ଇଣ୍ଡିଆ ବ୍ଲକରେ ଫାଟ

ଜାତୀୟ ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନ ଶାସକ ଆମ ଆଦମୀ ପାର୍ଟି (ଆପ୍‌) ଏବଂ ମୁଖ୍ୟ ବରୋଧିଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଲୋକସଭା ନିର୍ବାଚନ ପୂର୍ବରୁ ୨୬ଟି ବିରୋଧି ଦଳକୁ ନେଇ ଗଠିତ ଇଣ୍ଡିଆ ମେଂଟରେ ଫାଟ । କ୍ରମାଗତ ତୃତୀୟ ଥର କ୍ଷମତାସୀନ ହେବା ଲାଗି ଲକ୍ଷ୍ୟ ରଖିଥିବା ଆମ୍ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢୁଛି । ଇଣ୍ଡିଆ’ର ଦୁଇ ଅଂଶୀଦାର ଦଳ ଆପ ଏବଂ କଂଗ୍ରେସ ଏବେ ପରସ୍ପର ବିରୁଦ୍ଧରେ କେବଳ ନିର୍ବାଚନ ଲଢୁନାହାଁନ୍ତି, ଯେଉଁଭଳି ଆକ୍ଷେପ-ପ୍ରତିଆକ୍ଷେପ କରୁଛନ୍ତି, ତାହା ମେଂଟ ଭାଙ୍ଗି ଯାଇଥିବା ସଂକେତ ପ୍ରଦାନ କରୁଛି । କେବଳ ଏତିକି ନୁହେଁ, ଇଣ୍ଡିଆ’ର ଅନ୍ୟତମ ପ୍ରମୁଖ ଅଂଶୀଦାର ଦଳ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଶିବସେନା(ୟୁବିଟି) ଖୋଲାଖୋଲି ଭାବେ ଆପ୍ ପ୍ରତି ସମର୍ଥନ ଘୋଷଣା କରିଛି । ଫଳତଃ କଂଗ୍ରେସ ଏବେ ଏକ ଘରକିଆ ହୋଇଯାଇଛି ବୋଲି କହିଲେ ଭୁଲ ହୋଇନପାରେ । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକତ୍ର ଲଢିଥିଲେ ମଧ୍ୟ କଂଗ୍ରେସ ଓ ଶିବସେନା(ୟୁବିଟି) ମଧ୍ୟରେ କେତେକ ଘଟଣା ନେଇ ମୁହାଁମୁହିଁ ହୋଇଥିଲେ । ନିକଟରେ ଶିବସେନା(ୟୁବିଟି)ର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ କଂଗ୍ରେସକୁ କଟୁ ଭର୍ତ୍ସନା କରାଯାଇଥିଲା । ଅନ୍ୟପକ୍ଷରେ କଂଗ୍ରେସର ବଡ ଭାଇ ପଣିଆକୁ ତୃଣମୂଳ କଂଗ୍ରେସ ପ୍ରଥମରୁ ବିରୋଧ କରି ଆସୁଥିବାବେଳେ ଏବେ ନିକଟରେ ଏହାର ସୁପ୍ରିମକୋ ସୁଶ୍ରୀ ମମତା ବାନାର୍ଜୀ ମେଂଟର ନେତୃତ୍ୱ ନେବା ଲାଗି ନିଜ ଆଡୁ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କୁ କଂଗ୍ରେସର ପୁରାତନ ସହଯୋଗୀ ଆରଜେଡି ସମେତ ବହୁ ଅଂଶୀଦାର ଖୋଲାଖୋଲି ସମର୍ଥନ କରିନଥିଲେ । ସେହିପରି ନିକଟରେ ଉତରପ୍ରଦେଶ ୯ଟି ବିଧାନସଭା ଆସନରେ ଆଶାନୁରୂପ ଆସନରେ ପ୍ରତିଦ୍ୱନ୍ଦତା ପାଇଁ ନପାଇବାରୁ ନିର୍ବାଚନ ନଲଢିବା ଏବଂ ସମାଜବାଦୀ ପାର୍ଟିର ପରାଜୟ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗଲା ସାଧାରଣ ନିର୍ବାଚନରେ ମେଂଟ ସତ୍ୱେ ଆପ୍ କିମ୍ବା କଂଗ୍ରେସ ଗୋଟିଏ ଆସନ ନପାଇବା ଏବଂ ପଞ୍ଜାବରେ ଉଭୟ ପରସ୍ପର ବିରୁଦ୍ଧରେ ପ୍ରତିଦ୍ୱନ୍ଦିତା କରିବା ଦୁଇ ଦଳର ସମ୍ପର୍କରେ ଭଟ୍ଟା ପକାଇଛି । କେବଳ ଏତିକି ନୁହେଁ, ଦୁଇଟି କାରଣ ପାଇଁ କଂଗ୍ରେସର ଏବେ ମେଂଟର ଅଂଶୀଦାର ଦଳମାନଙ୍କର ତୀବ୍ର ବିରୋଧର ସମ୍ମୁଖୀନ ହେବା ସହ ଏକଘରକିଆ ହୋଇଯାଇଛି ବୋଲି କୁହାଯାଇପାରେ । ପ୍ରଥମ ଘଟଣାଟି ହେଉଛି, ଇଣ୍ଡିଆ ମେଂଟର ସହାୟତାରେ କଂଗ୍ରେସ ଲୋକସଭାରେ ତିନି ଅଙ୍କବିଶିଷ୍ଟ ସଂଖ୍ୟାରେ ପହଁଚି ମୁଖ୍ୟ ବିରୋଧି ଦଳର ମାନ୍ୟତା ହାସଲ କରିଥିବାବେଳେ ହରିଆନା ଓ ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ । ସେହିପରି ଲୋକସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଇଣ୍ଡିଆ’ର ଅଂଶୀଦାରଦଳମାନଙ୍କୁ ହେୟଜ୍ଞାନ କରି ନିର୍ବାଚନ ଲଢିବା । ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ କ୍ଷମତାଚ୍ୟୁତ ହେବା ଏବଂ ହରିଆନାରେ ଏକାକୀ ଲଢି ପରାଜିତ ହେବା ଘଟଣା ବିଜେପିକୁ ମୁକାବିଲା କରିବାରେ କଂଗ୍ରେସ ଅସମର୍ଥ ଥିବା ନେଇ ଧାରଣା ଏବେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କଂଗ୍ରେସର ବଡ ଭାଇ ପଣିଆ ଏବେ ଅଂଶୀଦାରମାନଙ୍କୁ ଦୂରେଇ ଦେଇଛି ବୋଲି କହିଲେ ଅତିରଂଜିତ ହୋଇନପାରେ । ଆହୁରି ମଧ୍ୟ କଂଗ୍ରେସ ନେତା ଅଜୟ ମାକେନ କେଜିରୱାଲାଙ୍କୁ ପର୍ଜିଂୱାଲା ଏବଂ ଅନ୍ୟତମ ନେତା ଅଶୋକ ଗେହଲଟ ଆପ୍ କଂଗ୍ରେସର ମୁଖ୍ୟ ବିରୋଧି କହିବା ମେଂଟରେ ଅଂଶୀଦାରଙ୍କ ଠାରୁ ଦୂରେଇ ଦେଇଛି ବୋଲି କୁହାଯାଇପାରେ । ସେହିପରି ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ମେଂଟ ଗଠନ ହୋଇଥିଲା । ବିଧାନସଭା ନିର୍ବାଚନରେ ମେଂଟର କିଛିି ମନେ ନାହିଁ । ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀ ନେତା ଓମାର ଅବଦୁଲା ମେଂଟ ଭାଙ୍ଗିଦେବା ନେଇ ପ୍ରଶ୍ନ ଉଠାଇଛନ୍ତି । ଲୋକସଭା ନିର୍ବାଚନର ମାତ୍ର ୧୦ମାସ ପୂର୍ବରୁ ଗଠିତ ‘ଇଣ୍ଡିଆ ମେଂଟ’ ସାଧାରଣ ନିର୍ବାଚନ ପରଠାରୁ ଅବକ୍ଷୟର ଧାରା ଆରମ୍ଭ କରିବା ବିଭିନ୍ନ ଘଟଣାବଳୀରୁ ସଂକେତ ମିଳିଥିଲା, ଯାହାକି ଏବେ ଖଣ୍ଡଖଣ୍ଡ ହୋଇ ଭାଙ୍ଗିଯିବା ଅବସ୍ଥାକୁ ଚାଲି ଆସିଛି । ପରିସ୍ଥିତି ଏପରି ହୋଇଛି ଯେ, ବିଧାନସଭା ନିର୍ବାଚନ ଗୁଡିକରେ ପରସ୍ପର ବିରୁଦ୍ଧରେ ଲଢୁଛନ୍ତି । ବିରୋଧି ଏକତା ‘ୟୁନାଇଟେଡ ୱି ଷ୍ଟାଣ୍ଡ’ ପରିବର୍ତେ କ୍ରମଶଃ ‘ଡିଭାଇଡେଡ୍ ୱି ଫଲ’ରେ ପରିଣତ ହେବା ପଥରେ ଅଗ୍ରସର ହେଉଛି । ଇଣ୍ଡିଆ ମେଂଟ ଏବେ ପରିବର୍ତିତ ରାଜନୀତିର ସୁଅରେ ଭାସିଯାଇ ଇତିହାସ ପାଲଟିବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ । ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଆସନ୍ତାବର୍ଷ ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ହେବ । ଇଣ୍ଡିଆ ମେଂଟରେ ବିଭାଜନ ବିଜେପିକୁ କେବଳ ସୁହାଇବ ନାହିଁ, ଜୟଯାତ୍ରାକୁ ରୋକିବାରେ ବଖଣ୍ଡିତ ବିରୋଧି ଅସମର୍ଥ ହେବେ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ