ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହୀମ ଜୋକୋ ୱିଡୋଡୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତଳାପ କରିଛନ୍ତି । ଉଭୟ ନେତା କୋଭିଡ-୧୯ ମହାମାରୀର ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ । ଇଣ୍ଡୋନେସିଆକୁ ମେଡିକାଲ ସାମଗ୍ରୀ ଯୋଗାଇ ଦେଇଥିବାରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇଣ୍ଡୋନେସିଆକୁ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ଭାରତ ସମସ୍ତ ପ୍ରଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ପ୍ରଦାନ କରିଥିଲେ । ଉଭୟ ଦେଶରେ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଉଭୟ ଦେଶର ଟିମ ବରାବର ଯୋଗାଯୋଗରେ ରହି ଏହି ପରିସ୍ଥିତିର ମୁକାବିଲା କରିବେ ବୋଲି ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇଣ୍ଡୋନେସିଆ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସହଯୋଗୀ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗରେ ବୃଦ୍ଧି କୋଭିଡ-୧୯ ବୈଶ୍ୱିକ ମହାମାରୀର ମୁକାବିଲା କରିବାରେ ସହାୟକ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପବିତ୍ର ରମଜାନ ମାସ ଉପଲକ୍ଷେ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।