ଇତିହାସ ଵନିଯିବ ସର୍ଗିଗୁଡା ଚିନିକଲ, ପ୍ରତିଷ୍ଠା କରିଥିଲେ ବାପା, ଉଜାଡ଼ିଦେଲେ ପୁଅ
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): କଳାହାଣ୍ଡି ବେସାହାରା ଆଖୁଚାଷୀ, ବେରୋଜଗାର ଶିକ୍ଷିତ ଯୁବଗୋଷ୍ଠୀ_ ଇତିହାସରେ ବିଲିନ ହେବାକୁ ଯାଉଛି ଜୁନାଗଡ଼ ବ୍ଲକର ସର୍ଗିଗୁଡା ଠାରେ ଥିବା ଚିନିକଲ । ଅନ୍ୟ ପକ୍ଷରେ ଏହି ଚିନିକଲକୁ ବାପା ପ୍ରତିଷ୍ଠା କରିଥିବା ବେଳେ ପୁଅ କିନ୍ତୁ ଉଜାଡ଼ିଦେଲେ । ଆଡ଼ ଆଖିରେ ମଧ୍ୟ ଦେଖିଲେ ନାହିଁ । ଫଳରେ ୩୧ ବର୍ଷ ହେଲା ବନ୍ଦ ପଡିଛି ସର୍ଗିଗୁଡାର ଚିନିକଲ । ଏନେଇ ବିଭିନ୍ନ ରାଜନୈତିକ ଦଳର ନେତା ସ୍ୱର ଉତ୍ତୋଳନ କରୁନଥିବା ବେଳେ ଅଞ୍ଚଳର ଆଖୁଚାଷୀ ଏବେ କ୍ଷତିଗ୍ରସ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ବହୁ ଶିକ୍ଷିତ ବେକାର ଯୁବକ ଯୁବତୀ କାମଧନ୍ଦା ନ ପାଇ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଯାଇ ଶବ ହୋଇଫେରୁଛନ୍ତି । କଳାହାଣ୍ଡି ଜିଲ୍ଲାର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ୧୯୯୪ ମସିହା ଫେବ୍ରୁଆରୀ ୧୨ ତାରିଖରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ ସର୍ଗିଗୁଡା ଠାରେ ଜାତୀୟ ରାଜପଥ ୨୬ କଡ଼ରେ କୃଷି ଭିତ୍ତିକ ଏକ ଚିନିକଲ ପ୍ରତିଷ୍ଠା କରାଯାଇଥିଲା । ଏହି ଚିନିକଲକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଚିନିକଳ ମହାରଷ୍ଟ୍ରର ଏକ କମ୍ପାନୀ ପଶ୍ଚିମ ଓଡିଶା ସୁଗର ଓ କେମିକାଲ ଲିମିଟେଡ଼ ଦ୍ୱାରା ପରିଚାଳିତ ହେଉଥିଲା । ପରିଚଳନା ଗତ ତ୍ରୁଟି ଯୋଗୁଁ କମ୍ପାନୀ ଦେବାଳିଆ ହେବା ସହିତ ବନ୍ଦ ହୋଇଯାଇଥିଲା । ଶତାଧିକ ଲୋକ ଜୀବିକା ହରାଇବା ସହିତ ଜିଲ୍ଲାର ଆଖୁଚାଷୀ ପ୍ରଭାବିତ ହୋଇଥିଲେ । କଳାହାଣ୍ଡି ଜିଲ୍ଲା ତଥା ଜୁନାଗଡ଼ ଅଞ୍ଚଳରେ ଶିଳ୍ପର ଆଶା ସଂଚାର କରୁଥିବା ଏହି କାରଖାନା ଲୋକଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଇଥିଲା । କମ୍ପାନୀରେ ତାଲା ପଡିବାରୁ ଚୋର ମାନଙ୍କ ଭୂସ୍ବର୍ଗ ପାଲଟିଲା । କଳାହାଣ୍ଡି ଜିଲ୍ଲାରେ ଅର୍ଥନୀତି ଅଭିବୃଦ୍ଧି ଓ ଯୁବ ବର୍ଗଙ୍କୁ ନିଯୁକ୍ତି ର ସୁଯୋଗ ସୃଷ୍ଟି କରିବା ପାଇଁ ସେହି ବନ୍ଦ ପଡିଥିବା ଚିନିକଲରେ ଏକକାଳୀନ ୩ଟି କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପାରାବଏଲଡ଼ ରାଇସମିଲ, ବାୟୋମାସ ପ୍ଲାଣ୍ଟ ଓ ଡିଷ୍ଟିଲାରୀ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରାଯିବା ସହ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆସି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଏହି ଶିଳ୍ପ ପ୍ରକଳ୍ପ କୁ ରାଉରକେଲା ର ଷ୍ଟାରଲାଇଟ ଏନର୍ଜି ଲିମିଟେଡ଼ କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କମ୍ପାନୀ ଚିନିକଲର ୯୧ ଏକର ୪୮ ଡ଼ିସିମିଲ ଜମି ଓ ପୁରୁଣା କୋଠାକୁ ନିଜ ମାଲିକାନାରେ ରଖିଥିଲା ।
ଏହି କମ୍ପାନୀ ଭିତରେ ଇଣ୍ଟରଗ୍ରେଡ ଶସ୍ୟ ଭିତ୍ତିକ ଡିଷ୍ଟିଲାରୀ ସମେତ ଘଣ୍ଟାକୁ ୪୮ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପାର ଵଏଲଡ଼ ରାଇସମିଲ ଓ ୩ ମେଗାୱାଟର ୨ଟି ଟରବାଇନ ଯୁକ୍ତ ବାୟୋମାସ ପାୱାରର୍ପ୍ଲାଣ୍ଟ ସ୍ଥାପନ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏହି ଷ୍ଟାରଲାଇଟ ଏନର୍ଜି କମ୍ପାନୀ କାମ ଆରମ୍ଭ ତ ଦୂରର କଥା କୌଣସି କାରଣ ବଶତଃ ମୁହଁ ଫେରାଇବା ସହ ସର୍ଗିଗୁଡା ଠାରେ ଥିବା ପୁରୁଣା ଚିନିକଲ ର ୯୧ ଏକର ୪୮ ଡ଼ିସିମିଲ ଜମିକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଜୁନାଗଡରେ ଚିନି କାରଖାନା ବନ୍ଦ ହେବା ପରେ ହଜାର ହଜାର ଲୋକ ଚାକିରୀ ହରାଇଲେ। ଚିନି ମିଲକୁ କଞ୍ଚାମାଲ ଯୋଗାଉଥିବା ଚିନି-ବେତ ଚାଷୀମାନେ ବର୍ତ୍ତମାନ ଜୀବିକା ନିର୍ବାହ ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଚିନିକଲ ୩୧ ବର୍ଷ ହେଲା ବନ୍ଦ ପଡିଥିବା ବେଳେ ବର୍ତ୍ତମାନ ବନ୍ଦ ପଡିଥିବା ଚିନିକଲର ୬ ଟି କୋଠାକୁ ଗୋଦାମ ଗୃହ କରି ବିଶାଖାପାଟଣାର ପାତ୍ର ଲଜିଷ୍ଟିକ କମ୍ପାନୀକୁ ଭଡା ଦିଆଯାଇଛି । ଏହି ଗୋଦାମ ରେ ମକା ରଖା ଯାଇଛି ।
ବର୍ତ୍ତମାନ ରାଜ୍ୟରେ ୨୪ ବର୍ଷ ର ବିଜେଡି ସରକାରକୁ ମାତ ଦେଇ ବିଜେପି ସରକାର ଆସିଛି । ବିଜେପି ସରକାର ଉତ୍ତକର୍ସ ଓଡ଼ିଶା ମାଧ୍ୟମରେ ଶିଳ୍ପର ସଞ୍ଚାର ବଢିଛି । ଏହାରି ମାଧ୍ୟମରେ କଳାହାଣ୍ଡି ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ପାଇଁ ସଞ୍ଚାର ବଢିଛି । ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରେ ବନ୍ଦ ପଡିଥିବା ଚିନିକଲ କୁ ପୁନରୁଦ୍ଧାର କରିବେ ନା ନୂତନ ଚିନି କଲ ପ୍ରସ୍ତୁତ କରିବେ ତାହା ଦେଖିବାକୁ ବାକି ରହିଲା ।