“ଇତି କଳାକାର ଉବାଚ” ଲୋକାର୍ପିତ
ବ୍ରହ୍ମପୁର, (ଅନିଲ କୁମାର): ରାଜ୍ୟର ସର୍ବବୃହତ କଳାକାର ପ୍ରତିଷ୍ଠାନ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସ୍ୱନକ୍ଷତ୍ର ଦିବସ ଅବସରରେ ସଂଘ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡ଼ି “ଇତି କଳାକାର ଉବାଚ’’ ଅଣପାରମ୍ପାରିକ ଭାବେ ଲୋକାର୍ପିତ ହୋଇଯାଇଛି । ସାମାଜିକ ଦୂରତ୍ୱ ରକ୍ଷାପୂର୍ବକ ସ୍ଥାନୀୟ ଜାତୀୟ ସଂଗୀତ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜମଣ୍ଡପ ଠାରେ ଆୟୋଜିତ ଲୋକାର୍ପଣ କାର୍ଯ୍ୟକ୍ରମରେ ସୁବାସ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ କଳାକାର ତଥା ପୂର୍ବତନ କର୍ପୋରେଟର ବଦ୍ରି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂଘ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ । ସଂଘ ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ନାୟକ ସଂଘ ପ୍ରଯ୍ଧେକ୍ସଳ ତଥା ନାଟ୍ୟ ବିଦ୍ୟାବୁଦ୍ଧ ପ୍ରଫୁଲ ବେହେରାଙ୍କ ‘ଇତି କଳାକାର ଉବାଚ’ ଭିସିଡ଼ିର ଲୋକାର୍ପଣ କରିଥିଲେ । କ୍ଷୁଦ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ନାଟ୍ୟ ଗୌରବ ଡା. ତିରୁପତି ସାହୁ । ଏହି ଅବସରରେ ବରିଷ୍ଠ ଲୋକକଳାବିତ ଅଭିମନ୍ୟୁ ବିଷୋୟୀ, ଲୋକନାଟ୍ୟ ନିର୍ଦ୍ଦେଶକ ବିଜୁଳି ଦାସ, କଣ୍ଠଶିଳ୍ପୀ ଇସ୍ମାଇଲ୍ ଖାନ, ଲୋକନୃତ୍ୟବିତ ସାହେବ ସାହୁ, ବରିଷ୍ଠ ରୂପକାର ବଳରାମ ମହାପାତ୍ର ପ୍ରମୁଖଙ୍କୁ ସଂଘ ପକ୍ଷରୁ ଆର୍ଥିକ ସହାୟତା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଶେଷରେ ଭଗବାନ ସାମଲ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।


