ଇଦ-ଉଲ୍-ଫିତର୍ ପାଳିତ
ଜଟଣୀ (ଜୁଗାବ୍ଦ ନ୍ୟୁଜ୍): ତ୍ୟାଗ ଓ ସମର୍ପଣର ପର୍ବ ଇଦ୍-ଉଲ୍-ଫିତ୍ର ଜଟଣୀର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଯାଇଛି । ସହରର ପ୍ରମୁଖ ୬ଟି ମସ୍ଜିଦ୍ ଓ ଇଦ୍ଗାହରେ ଏହି ପର୍ବ ପାଇଁ ନମାଜ ପାଠର ଆୟୋଜନ ହୋଇଥିଲା । ଏହି ସଂପ୍ରଦାୟର ସମସ୍ତ ବର୍ଗର ଲୋକମାନେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ । ଏକ ମାସର ରୋଜା (ନିଷ୍ଠା ଉପବାସ) ରଖିବା ପରେ ଆଜି ଏହି ଇଦ୍ ଉତ୍ସବର ଆୟୋଜନ ହୋଇଥିଲା । ସହରର ବଡି ମସଜିଦ୍, ରେତଙ୍ଗକଲୋନୀ ମସଜିଦ୍, ମୁଣ୍ଡିଆସାହି ସ୍ଥିତ ମଦନୀ ମସଜିଦ୍, ରାଜାବଜାର ସ୍ଥିତ ଅମନ ମସଜିଦ୍, କୁଦିଆରୀର ଛୋଟି ମସଜିଦ୍ ସହିତ ରେତଙ୍ଗକଲୋନୀଠାରେ ଥିବା ଇଦ୍ଗାହ ପଡିଆ ଠାରେ ସକାଳ ସାଢ଼େ ୯ ଟାରେ ମସଜିଦ୍ର ମୌଲାନାମାନଙ୍କ ଦ୍ୱାରା ନମାଜ ପାଠ ହୋଇଥିଲା । ନମାଜ ପାଠ ପରେ ବିଶ୍ୱବିଧାତା ଆଲ୍ଲାଙ୍କ ସ୍ମରଣରେ ଦୂଆ କରାଯାଇଥିଲା । ଏଥିରେ ମାନବ ସମାଜର ମଙ୍ଗଳକାମନା ପାଇଁ ବିନମ୍ର ପ୍ରାର୍ଥନା କରାଯାଇଥିଲା । ଦୂଆ ସରିବା ପରେ ଜଣେ ଅନ୍ୟ ଜଣଙ୍କୁ ଆଲିଙ୍ଗନ ମାଧ୍ୟମରେ ଭାବ ବିନିମୟ ଆଦାନ ପ୍ରଦାନ କରିଥିଲେ । ଏହି ଇଦ୍ ପର୍ବର ନମାଜ ପୂର୍ବରୁ ବିଧି ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଫିତରା, ଜକାତ୍, ସଦ୍କା ପ୍ରଭୃତି ଦେବାର ନିୟମ ପାଳନ କରାଯାଇଥିଲା । ଏହାର ଅନ୍ୟ ଏକ ଅର୍ଥରେ ଗରିବ, ଅସହାୟଙ୍କୁ ଦାନ କରିବାକୁ ବାଧ୍ୟତାମୂଳକ ରହିଛି । ସମସ୍ତ ମୁସଲମାନ ପରିବାରରେ ନୂତନ ବସ୍ତ୍ର ଧାରଣ କରିବା ପରେ ଲଛା, ସିମେୟା ଓ ବିଭିନ୍ନ ମିଷ୍ଟାନ୍ନ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା ରହିଥିଲା ।