ଇନ୍ଦୁପୁର ପାଠାଗାର ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସେବା ସମ୍ମାନ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତ କାର୍ଯ୍ୟାଳୟରେ ରବିବାର ୧୨୦ଜଣ ସ୍ଥାନୀୟ କର୍ତ୍ତବ୍ୟରତ ଡାକ୍ତର, ସାମ୍ବାଦିକ, ସମାଜସେବୀ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ଆଶାକର୍ମୀମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ଇନ୍ଦୁପୁର ଗୋପବନ୍ଧୁ ପାଠାଗାରର ସଭାପତି ନୀଳମାଧବ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଧୂମାତ ସରପଞ୍ଚ ନରହରି ପାଣି ମୁଖ୍ୟ ଅତିଥି, ଶିକ୍ଷାବିତ୍ ପ୍ରଣବ କୁମାର ଜେନା ମୁଖ୍ୟବକ୍ତା,ସାମ୍ବାଦିକ ପରୀକ୍ଷିତ ପାତ୍ର ଓ ଇନ୍ଦୁପୁର ସରପଞ୍ଚ ରୀନା ମଳିକ ଓ ଆଇନଜିବି ପ୍ରଦିପ କୁମାର ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସମାଜ ସେବୀ ପ୍ରକାଶ କୁମାର ଜେନା ଉତ୍ସବ ପରିଚାଳନା କରିଥିବା ବେଳେ ନାଏବ ସରପଞ୍ଚ ଅଜୟ କୁମାର ଜେନା, ସମାଜସେବୀ ରଣଜିତ ସାହୁ ଓ ଶରତ କୁମାର ମଲ୍ଲିକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । କରୋନା କୋଭିଡ-୧୯ର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବା ସମାଜ ସେବୀ ଓ ବିଭିନ୍ନ ବର୍ଗର ଲୋକମାନଙ୍କୁ ପ୍ରସ୍ତୁତ ରହି ମାସ୍କ ଓ ସାନିଟାଇଜର ବ୍ୟବହାର, ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା ଓ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଗ୍ରାମବାସୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଶେଷରେ ରଣଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


