ଇନ୍ଦୁପୁର ପାୟଲ ମ୍ୟୁଜିକ ସ୍କୁଲର ବିଂଶତମ ଗ୍ରାମୀଣ ମହୋତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଳକ ଅନ୍ତର୍ଗତ ଇନ୍ଦୁପୁର ପାୟଲ ମ୍ୟୁଜିକ ସ୍କୁଲର ବିଂଶତମ ଗ୍ରାମୀଣ ମହୋତ୍ସବ ଦୁଇଦିନ ବ୍ୟାପି ମ୍ୟୁଜିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଳର ସଭାପତି ନୀଳମାଧବ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଇଂ ମୂରଲୀଧର ସେଠୀ ଯୋଗଦେଇ ଏହି ସ୍କୁଲ କେବଳ କେନ୍ଦ୍ରାପଡାରେ ନୁହେଁ ସମଗ୍ର ଓଡିଶାରେ ନିଜ ସ୍ୱିକୃତୀର ପ୍ରତିଛବି ଆଙ୍କିବା ସହ ଗ୍ରାମୀଣ ପ୍ରତିଭାବାନ କଳାକାରମାନଙ୍କୁ ବିଭିନ୍ନ କଳାକ୍ଷେତ୍ରରେ ଶିକ୍ଷାଦାନ କରି ଜୀବିକା ନିର୍ବାହର ବାଟ ଦେଖାଇଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡଃ. ଜଗନ୍ନାଥ କୁଅଁର ଏବଂ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ, ଡା. ଶ୍ରୀକାନ୍ତ କୁମାର ସ୍ୱାଇଁ, ଇନ୍ଦୁପୁର ପଞ୍ଚାୟତ ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୂତାର, ସମିତି ସଭ୍ୟା ସୁନନ୍ଦା ମଲ୍ଲିକ ପ୍ରମୁଖ ଯୋଗଦେଇ ପାୟଲ ମ୍ୟୁଜିକ୍ ସ୍କୁଲର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଶିକ୍ଷାବିତ୍ ପ୍ରଣବ କୁମାର ଜେନା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ସଂଯୋଜନା କରିଥିବା ବେଳେ ପଣ୍ଡିତ ଶମ୍ଭୁନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ସହ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଦେବାଶିଷ ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ସଂଗୀତ ଗୁରୁ ଭାଷ୍କର ଚନ୍ଦ୍ର ବେହେରା, ନୃତ୍ୟଗୁରୁ ତପସ୍ୱିନୀ ସାହୁ ଓ ଦିଲୀପ କୁମାର ଜେନା, ତବଲା ଗୁରୁ ସୁଶିଲ ସେନ୍, ଚିତ୍ରକଳା ଗୁୁରୁ ପୁଷ୍ପାଞ୍ଜଳୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବାର୍ଷିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାଂସଦ ଆନ୍ତର୍ଜାତୀୟ କବି ଡଃ. ପ୍ରସନ୍ନ କୁମାର ପାଟଶାଣୀ ଯୋଗଦେଇ ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ପାୟଲ ମ୍ୟୁଜିକ୍ ସ୍କୁଲ ନିଜର ଦକ୍ଷତା ଓ କଳା ନୈପୁଣତା ଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ରୋଜାଲିନ୍ ସେନାପତି କବିତା ଓ ସଂଗୀତ ମାଧ୍ୟମରେ କଳାକାର ତାହାର କଳା କିପରି ଭାବେ ପରିବେଷଣ କରିପାରିବ ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ନିକିରାଇ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ, ଶିକ୍ଷାବିତ୍ ତଥା ପରିବେଶବିତ କାଶୀନାଥ ରାଉତରାୟ, ସମାଜସେବୀ ପ୍ରମୋଦ କୁାମର ପତି, ଯାତ୍ରା ଅଭିନେତା ଦୀପକ ରଞ୍ଜନ ବୋଷ ଯୋଗଦେଇ ପାୟଲ ମ୍ୟୁଜିକ୍ ସ୍କୁଲ କିପରି ଭାବେ ରାଜ୍ୟରେ ପରିଚିତ ହୋଇପାରିଛି ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱ ରୋଜାଲିନ୍ ସେନାପତିଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ଗୌରବ ସମ୍ମାନ, ପ୍ରତାପ କୁମାର ଦାସଙ୍କୁ କବିଶ୍ରୀ ଗୌରବ ସମ୍ମାନ, ସେଖ୍ ଇଦ୍ରିମ୍ ଅଲ୍ଲୀଙ୍କୁ ଶ୍ରେଷ୍ଠ ଶିକ୍ଷାବିତ୍ ଗୌରବ ସମ୍ମାନ, ଅଜୟ ପଣ୍ଡାଙ୍କୁ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଗୌରବ ସମ୍ମାନ, ମିର ସମସୁଲ ହକ୍ଙ୍କୁ ଶିକ୍ଷକ ଗୌରବ ସମ୍ମାନ ଓ ସଂଗ୍ରାମ ମହାରଣାଙ୍କୁ କବିଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରକାଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅନୁଷ୍ଠାନର ସଂଗୀତ ଗୁରୁ ଭାଷ୍କର ଚନ୍ଦ୍ର ବେହେରା, ନୃତ୍ୟଗୁରୁ ଦିଲ୍ଲିପ କୁମାର ଜେନା ଓ ନୃତ୍ୟ ଗୁରୁମା ତପସ୍ୱିନୀ ସାହୁଙ୍କ ନେତୃତ୍ୱରେଦୁଇଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦ୍ଯାପନୀ ଦିବସରେ ଓଡିଆ ଚଳଚିତ୍ର ଓ ଧାରାବାହିକ ଜଗତର ବହୁ କଳାକାର ଓ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଗଡନାୟକଙ୍କ ନେତୃତ୍ୱରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଦୁଇଦିନର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପାଦକ ଦେବାଶିଷ ସାମଲ ଓ ରଞ୍ଜନ କୁମାର ଦଳାଇ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶୀଲ କୁମାର ସେନ୍, ସରୋଜ ପଣ୍ଡା, ସୌମ୍ୟରଞ୍ଜନ ପାଢୀ, ଶତାୟୁ କୁମାର ରାଉତ, ସତ୍ୟବ୍ରତ ଘଡାଇ, ବିଶ୍ୱରଞ୍ଜନ ରାଉତ, ସଞ୍ଜୟ କୁମାର ନାୟକ, ମିଲନ୍ କୁମାର ଜେନା, ରାଧାରାଣୀ ଦାଶ, ଅନିତା ଗୋଚ୍ଛାୟତ, ଲିଲିମା ପ୍ରିୟଦର୍ଶନୀ ସାହୁ, ଲକ୍ଷ୍ମୀରାଣୀ ପୃଷ୍ଟି, ଲୋପାମୁଦ୍ରା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


