ଇନ୍ଦୁପୁର ସରପଞ୍ଚଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ରାପଡା ବ୍ଲକର ୪ଜଣିଆ ପ୍ରତିନିଧି ଦଳରେ ସାମିଲ ହୋଇଥିବା ଯୁବନେତା ତଥା ଇନ୍ଦୁପୁର ପଞ୍ଚାୟତର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୁତାରଙ୍କୁ ଇନ୍ଦୁପୁର ବାରୁଣୀ ତୀର୍ଥ ଉନ୍ନୟନ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉନ୍ନୟନ କମିଟିର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ପରିଚାଳନା ଟ୍ରଷ୍ଟିି ପ୍ରକାଶ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବରେ ବିରୂପା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଯୋଗଦେଇ ବହୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିରୂପା ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପକ ଡଃ. ସଂଗ୍ରାମ କେଶରୀ ରାଉତ ଯୋଗଦେଇ ଗ୍ରାମର ବିକାଶ କ୍ଷେତ୍ରରେ କିପରି ସମସ୍ତେ ସାମିଲ ହୋଇ ଏକ ଆଦର୍ଶ ଗ୍ରାମପଞ୍ଚାୟତ ଗଠନ ହୋଇପାରିବ ସେ ସମ୍ପର୍କରେ ଦୃଢ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ସୁନନ୍ଦା ମଲିକ, ସମସ୍ତ ୱାର୍ଡସଭ୍ୟ,ସଭ୍ୟାଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ବସନ୍ତ କୁମାର ସାହୁ ଧନବ୍ୟବାଦ ଅର୍ପଣ କରିଥିଲେ ।


