ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ଶ୍ରମିକ ଅଶାନ୍ତି
ଯୋଡ଼ା (ଯୁଗାଦ୍ଦ) ଯୋଡା ଖଣି ମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ନିଯୁକ୍ତି ଓ ପରିବହନ କାର୍ଯ୍ୟକୁ ନେଇ ଶ୍ରମିକ ଅଶାନ୍ତି ଲାଗି ରଗିଛି । ପୂର୍ବେ ଉକ୍ତ ଖଣିର ପରିବହନ କାର୍ଯ୍ୟ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକଙ୍କ ମା କୁଆଁରୀ ଟ୍ରାନସପୋର୍ଟ ସଂସ୍ଥା କରୁଥିଲା । ଏହି ଖଣିର ପରିବହନ କାର୍ଯ୍ୟ ହାତେଇବା ଲକ୍ଷ୍ୟ ରଖି ବିଧାୟକଙ୍କ ସମସର୍ଥକମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ଏହି ପରିବହନ କାର୍ଯ୍ୟରେ ଅଂଶୀଦାର ଭାବେ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇ ପରବର୍ତୀ ସମୟରେ ପ୍ରତାରଣା କରିଥିଲେ । ଉକ୍ତ ଖଣିରେ ନିଯୁକ୍ତି ଓ ପରିବହନ କାର୍ଯ୍ୟ ରେ ଅଂଶୀଦାର ହେବା ଆଶାରେ ସ୍ଥାନୀୟ ଗ୍ରାମବାସୀମାନେ କିଛି ଅର୍ଥ ଯୋଗାଡ କରି ମା କୁଆଁରୀ ଟ୍ରାନସପୋର୍ଟକୁ ଦେଇଥିଲେ । ମାତ୍ର ସେମାନଙ୍କୁ ନିଯୁକ୍ତି କିମ୍ବା ପରିବହନ କାର୍ଯ୍ୟରେ ଅଂଶୀଦାର କରାଯାଇନଥିଲା , କେବଳ ମାସିକ ଭତା ଆକାରରେ ମାସକୁ ବ୍ୟକ୍ତି ପିଛା ଏକ ହଜାର ଟଙ୍କା କିଛି ମାସ ଦିଆଯିବା ପରେ ଆଉ ଦିଆଯାଇନଥିଲା । ଖଣି କମ୍ପାନୀ ମଧ୍ୟ ଅଂଚଳର ବାହୁବଳୀ ସାଜିଥିବା ବିଧାୟକ ଓ ତାଙ୍କ ସମର୍ଥକମାନଙ୍କୁ କାର୍ଯ୍ୟ ଦେଇ ଗ୍ରାମବାସୀମାନଙ୍କୁ ଉପେକ୍ଷା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖଣିରେ ନିଯୁକ୍ତି ଓ ପରିବହନ ଦାବି କରି ଗ୍ରାମବାସୀମାନେ ବହୁବାର ଧାରଣା ଓ ଆନ୍ଦୋଳନ କରିବା ପରେ ପରିବହନ କାର୍ଯ୍ୟର ଶତକଡା ୬୫ ପ୍ରତିଶତ ଗ୍ରାମବାସୀ ଏବଂ ଶତକଡା ୩୫ ପ୍ରତିଶତ ବିଧାୟକଙ୍କ ସମର୍ଥକମାନେ କାର୍ଯ୍ୟ ପାଇଥିଲେ । ଗ୍ରାମବାସୀମାନେ ଗତ ବର୍ଷ ଠାରୁ ପରିବହନ କାର୍ଯ୍ୟ କରିଆସୁଥିଲେ । ମାତ୍ର ବିଧାୟକଙ୍କ ସମର୍ଥକମାନେ ଗ୍ରାମବାସୀମାନେ ପାଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଛଡାଇ ନେବା ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ସେମାନଙ୍କୁ ହଇରାଣ ହରକତ କରିବା ସହିତ ସେମାନଙ୍କୁ ଭୟଭୀତ କରାଯାଇଥିବା ଉଁଚ୍ଚବାଲୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ, ମହେଶ୍ୱର ବାରିକ, ଚର୍ତୁଭୁଜ ନାଏକ, ବାସୁଦେବ ନାଏକ, ଦୟାନିଧି ନାଏକ, ରଂଜିତ ନାଏକ, ଶରତ ନାଏକ, ସମା ମୁଣ୍ଡା, ସୁପାର କାଣ୍ଡି, ସଂଜୟ ଗିରି ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଖଣି କମ୍ପାନୀ ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ସମ୍ପୂର୍ଣ୍ଣ ଯାନ୍ତ୍ରିକ ଖଣି କରିଅଛି । ଯାହା ଫଳରେ ସ୍ଥାନୀୟ ଲୋକେ ନିଯୁକ୍ତି ନ ପାଇବାରୁ ଗ୍ରାମରେ ବେରୋଜଗାର ବୃଦ୍ଧି ପାଇଛି । ଯଦିଓ ପରିବହନ କାର୍ଯ୍ୟରେ ଅଂଶୀଦାର ହୋଇ ଗ୍ରାମବାସୀମାନେ କିଛି ଅର୍ଥ ଉପାର୍ଜନ କରି ନିଜର ଜୀବିକା ମେନ୍ଟାଇବା ଆଶା ରଖିଥିଲେ , ତାହା ମଧ୍ୟ ଖଣି କମ୍ପାନୀ ଏବଂ ସ୍ଥାନୀୟ ବିଧାୟକଙ୍କ ଚକ୍ରାନ୍ତ ଯୋଗୁ ଆଶା ମଉଳି ଯାଇଛି । ରବିବାର ଅପରାହ୍ନରେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ସ୍ଥାନୀୟ ଗ୍ରାମବାସୀ ପରିବହନ କାର୍ଯ୍ୟ ତଦାରଖ କରୁଥିବା ବେଳେ ବିଧାୟକଙ୍କ ସମର୍ଥକମାନେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ଉକ୍ତ ଖଣିର ଗେଟ୍ ସମୁଖରେ ହୋହାଲ୍ଲା କରି ଭୟଭୀତ କରିବା ସହିତ ଏକ ରାଲି ପ୍ରଦର୍ଶନ କରିଥିଲେ । ଅଂଚଳରେ ଏକ ପ୍ରକାର ଉତେଜନା ପରିସ୍ଥିତି ଉପୁଜିବାରୁ ବାମେବାରୀ ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ । ତେଣେ ଇନ୍ଦ୍ରାଣୀ ପଟ୍ଟନାୟକ କର୍ତୁପକ୍ଷ ଦୁଇ ଦଳକୁ ଲଢାଇ ତୃତୀୟ ପକ୍ଷ ହୋଇ ଲାଭବାନ ହେବା ଆଶା ରଖିଛି ।


