ଇନ୍ଫୋସିସ୍ ସିିଇଓଙ୍କୁ ୨୪.୬୭କୋଟି ବେତନ
ନୂଆଦିଲ୍ଲୀ, (ଏଜେନ୍ସି): ଆଇଟି କମ୍ପାନୀ ଇନ୍ଫୋସିସ୍ର ମୂଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ସଲିଲ୍ ପାରେଖ୍ଙ୍କୁ ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୪.୬୭କୋଟି ଟଙ୍କାର ବେତନ ପ୍ୟାକେଜ୍ ମିଳିଛି । କମ୍ପାନୀର ବାର୍ଷିକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି । ପାରେଖ୍ ଜାନୁଆରୀ ୨୦୧୮ରେ କମ୍ପାନୀରେ ଯୋଗ ଦେଇଥିଲେ । ତାଙ୍କୁ ନିଶ୍ଚିତ ବେତନ ଭାବେ ୬.୦୭କୋଟି ଟଙ୍କା ମିଳିଥିବା ବେଳେ ୧୦.୯୬କୋଟି ଟଙ୍କାର ବୋନସ୍, ପ୍ରୋତ୍ସାହନ ଓ ଭାରିଏବଲ୍ ପେ ଭାବେ ମିଳିଛି । ସେହିପରି ଇନ୍ଫୋସିସ୍ ପକ୍ଷରୁ ପାରେଖ୍ଙ୍କୁ ୭.୬୪କୋଟି ଟଙ୍କାର ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଟାଟା କନ୍ସଲଟାନ୍ସୀ ସର୍ଭିସେସ୍ (ଟିସିଏସ୍)ର ସିଇଓ ରାଜେଶ ଗୋପୀନାଥନ୍ଙ୍କୁ ଗତ ଆର୍ଥିକ ବର୍ଷରେ ୧୬କୋଟି ଟଙ୍କାର ପ୍ୟାକେଜ୍ ମିଳିଛି । କମ୍ପାନୀର ରିପୋର୍ଟରେ କୁହାଯାଇଛି ଯେ ଗୋପୀନାଥନ୍ଙ୍କ ବେତନରେ ଆର୍ଥିକ ବର୍ଷ ୨୦୧୮-୧୯ରେ ଗତ ବର୍ଷ ତୁଳନାରେ ୨୮% ବୃଦ୍ଧି ହୋଇଛି । ଇନ୍ଫୋସିସ୍ର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ୟୁବି ପ୍ରବୀଣ ରାଓଙ୍କୁ ୨୦୧୮-୧୯ରେ ୯.୦୫କୋଟି ଟଙ୍କାର ବେତନ ପ୍ୟାକେଜ୍ ମିଳିଛି । ଏହାର ପୂର୍ବ ଆର୍ଥିକ ବର୍ଷରେ ତାଙ୍କୁ ୮.୨୨କୋଟି ଟଙ୍କାର ବେତନ ପ୍ୟାକେଜ୍ ମିଳିଥିଲା ।