ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):‘ଇପିଏଫ ପେନସନରର୍ସ ଆସୋସିଏସନ’ ଆହ୍ୱାନକ୍ରମେ ବିଭିନ୍ନ ଦାବି ନେଇ ଦେଶବ୍ୟାପୀ ପ୍ରତିବାଦ ଓ ଗଣଧାରଣା କରାଯାଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ୩ଶହରୁ ଊର୍ଦ୍ଧ୍ୱ ପେନସନଭୋଗୀ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଗଣଧାରଣା ଦେଇଥିଲେ । ଆସୋସିଏସନର ଜିଲା ସଭାପତି ଇଂ. ଅନାଦି ଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ସ୍ୱଳ୍ପ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର ବିରୋଧରେ ସମସ୍ତଙ୍କୁ ଅବଗତ କରିଥିଲେ । ଜିଲା ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ସଙ୍ଗଠନର ଦାବିର ଯଥାର୍ଥତା ଓ ରାଜ୍ୟ କମିଟିର ଆହ୍ୱାନ ସମ୍ପର୍କରେ ସୂଚନା ଦେଇଥିଲେ । ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ଜିଲା ସମ୍ପାଦକ ଇଂ. ବନମାଳି ନାୟକ, ସିଭିଲ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲା ପରିଷଦ ସଭ୍ୟ ସୀତାରାମ ପ୍ରଧାନ, ଡାକକର୍ମଚାରୀ ନେତା ଗୋପାଳଚନ୍ଦ୍ର ପଢ଼ିଆରୀ, ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ସମାଜସେବୀ ନିରଞ୍ଜନ ରାଉତ ଓ ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଇପିଏଫ ପେନସନଭୋଗୀ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପ୍ରତି ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ବୃଦ୍ଧି ପାଇ ଚାଲିଥିବା ବେଳେ ମାସିକ ହଜାରେ କିମ୍ବା ୧୨ଶହ ଟଙ୍କାର ଭତ୍ତା ପେନସନଭୋଗୀଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି ବୋଲି ସେମାନେ କହିଥିଲେ । ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଏନେଇ ଉଚିତ ପଦକ୍ଷେପ ନ ନେବା ଦୁର୍ଭଗ୍ୟର ବିଷୟ ବୋଲି ବକ୍ତାମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ବହୁ କର୍ମଚାରୀ ଆର୍ଥିକ ଦୁରାବସ୍ଥାରୁ ଜରାଜନିତ ରୋଗର ଚିକିତ୍ସା ପାଇ ପାରୁନାହାନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସୁବିଚାର ନକଲେ ଅନେକେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଥିଲେ । ଅତିକମରେ ମାସିକ ପେନସନ ୯ହଜାର ଟଙ୍କାକୁ ବୃଦ୍ଧି କରିବା, ବେତନ ଅନୁପାତରେ ବର୍ଦ୍ଧିତ ପେନସନ ଦେବା, ମହଙ୍ଗାଭତ୍ତା ପ୍ରଦାନ ଓ ସମସ୍ତ ପନସନଭୋଗୀଙ୍କୁ ସରକାରୀ ସ୍ୱାସ୍ଥ୍ୟବୀମାଭୁକ୍ତ କରିବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ପଣ୍ଡା, ହରିଶ ସାହୁ, ସନ୍ୟାସୀ ବେହେରା, ଅଶୋକ ଦାସ, ଅଧିଜିତ୍ ଦାସ, ଭୂପତି ଭୂଷଣ ଦାଶ, ଅନିରୁଦ୍ଧ ମହାନ୍ତି, ମାୟାଧର ନାୟକ, ଶ୍ୟାମସୁନ୍ଦର ଜେନା, ସୁରେଶ ନନ୍ଦ ଓ ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉଦାସୀନତା ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତେବେ ଆସନ୍ତା ଡିସେମ୍ବର ୧୯ ତାରିଖ ଦିନ ଜିଲାସ୍ତରୀୟ ସମାବେଶରେ ଆଗାମୀ କାର୍ଯ୍ୟପନ୍ଥା ଘୋଷଣା କରାଯିବ ବୋଲି ଜିଲା ସମ୍ପାଦକ ଶ୍ରୀ ମହାନ୍ତି ଏଥିରେ ସୂଚନା ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ସୂତାକଳ, ଝୋଟକଳ, ବିରଳା ଟାୟାର୍ସ, ଇମାମି ପେପର, ଇସ୍ପାତ ଏଲୟେଜ୍, ସିଡ଼୍ କର୍ପୋରେସନ୍, ଆଗ୍ରୋ ଇଣ୍ଡଷ୍ଟ୍ରି, ଇମ୍ପା ପ୍ରଭୃତି ଶିଳ୍ପାନୁଷ୍ଠାନ ସମେତ ଉଠାଜଳସେଚନ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ, ସମବାୟ ବ୍ୟାଙ୍କ, ଭୂଉନ୍ନୟନ ବ୍ୟାଙ୍କ୍, ଓଡ଼ିଶା ସେଲସ ରିପ୍ରେଜେଣ୍ଟେଟିଭ୍, ଶାଳନ୍ଦୀ ପ୍ରୋଜେକ୍ଟ, ରାସ୍ତା ଓ ଗୃହନିର୍ମାଣ ବିଭାଗ ଏବଂ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନର ଅବସରପ୍ରାପ୍ତ କର୍ମଚାରୀମାନେ ଏହି ଗଣ ଧାରଣାରେ ସାମିଲ ହୋଇଥିଲେ ।