ଇପିଏଫ ପେନସନର୍ସ ଆସୋସିଏସନ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ଅବସର ପ୍ରାପ୍ତ ଇପିଏଫ ପେନସନଭୋଗୀ୍ କର୍ମଚାରୀ ସଂଘ ଜିଲା କମିଟିର ଏକ ବୈଠକ ଅରୁଣ ଦେ ସ୍ମୃତି ପରିଷଦ ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସର୍ବନିମ୍ନ ମାସିକ ମାତ୍ର ଏକ ହଜାର ଟଙ୍କା ପେନସନ ପାଉଥିବା କର୍ମଚାରୀଙ୍କୁ ମାସିକ ୯ ହଜାର ଟଙ୍କା, ଅଧିକ ବେତନ ପାଇଥିବା କର୍ମଚାରୀଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଦ୍ଧିତ ପେନସନ୍, ମହଙ୍ଗାଭତ୍ତା, ସରକାରୀ ଚିକିତ୍ସା ବୀମା ପ୍ରଦାନ ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ଚାଲିଥିବା ଦାବି ଏବଂ ଆନ୍ଦୋଳନ ସମ୍ପର୍କରେ ଜିଲା ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଇଂ. ଅନାଦି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କମିଟିର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜୁନ ମାସରେ ସମସ୍ତ ଇପିଏଫ୍ ପେନସନଭୋଗୀ ଦାବି ସମ୍ବଳିତ ପୋଷ୍ଟକାର୍ଡ଼ରେ ଚିଠି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ଏହି ବୈଠକରେ ସିଦ୍ଧାନ୍ତ ନିଆଯାଇଛି । ଜୁଲାଇ ମାସରେ ରାଜ୍ୟସ୍ତରୀୟ କନ୍ଭେନ୍ସନ୍, ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ଇପିଏଫ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ, ସେପ୍ଟେମ୍ବର ମାସରେ ସମସ୍ତ ଆରଡିସି ଅଫିସ୍ ସମ୍ମୁଖରେ ଗଣଧାରଣା ଓ ନଭେମ୍ବର ୧୬ ତାରିଖ ଦିନ ଦେଶବ୍ୟାପୀ ଦାବି ଦିବସ ପାଳନ ଆହ୍ୱାନକୁ ବାଲେଶ୍ୱର ଜିଲାରେ ସଫଳ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥିର କରାଯିବ । ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନ ସମୟରେ ଗଣଧାରଣା ଓ ଦିଲୀସ୍ଥିତ ଭବିଷ୍ୟନିଧି ପାଣ୍ଠିର କେନ୍ଦ୍ରୀୟ ଦପ୍ତରକୁ ଘେରାଉ କରାଯିବ । ଉପରୋକ୍ତ ସମସ୍ତ ପ୍ରସ୍ତାବିତ ଗଣତାନ୍ତ୍ରିକ ଆନ୍ଦୋଳନକୁ ବାଲେଶ୍ୱର ଜିଲାରେ ସଫଳତାର ସହ ଆୟାଜନ ପାଇଁ ଆଜିର ଏହି ବୈଠକରେ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ପ୍ରତି ଚାକିରିରେ ଥାଇ ଅବସର ପରେ ଇପିଏଫ୍ ପେନ୍ସନ୍ ପାଇବାକୁ ଥିବା ସମସ୍ତ କର୍ମଚାରୀ ଇପିଏଫ୍ ପେନସନର୍ସ ଆସୋସିଏସନ୍ର ସଭ୍ୟପଦ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଆସୋସିଏସନ୍ର ରାଜ୍ୟ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଭୂପତି ଭୂଷଣ ଦାସ, ରତ୍ନାକର ପଣ୍ଡା, ଇଂ. କହ୍ନେଇଲାଲ୍ ଚୌଧୁରୀ, ଶ୍ୟାମସୁନ୍ଦର ଜେନା, ଅରୁଣ କୁମାର କମିଳା ଓ ମନ୍ମଥ ପରିଡ଼ା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବହୁ ସଦସ୍ୟ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶରତଚନ୍ଦ୍ର ଦଳାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।