‘ଇପିଏଫ ପେନସନର୍ସ ଆସୋସିଏସନ’ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି

ବାଲେଶ୍ୱର, (ସରୋଜ ପଣ୍ଡା) :-ଅବସର ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍ (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି)ରୁ ମାସିକ ସ୍ୱଳ୍ପ ପେନ୍‌ସନ୍ ପାଉଥିବା କର୍ମଚାରୀମାନେ ବିଭିନ୍ନ ଦାବି ସମ୍ବଳିତ ଚିଠି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ପଠାଇଛନ୍ତି । ଶତାଧିକ ପେନସନଭୋଗୀ ବାଲେଶ୍ୱର ମୁଖ୍ୟ ଡାକଘର ପରିସରରେ ଥିବା ଚିଠିବାକ୍ସରେ ଚିଠି ପକାଇଛନ୍ତି । ଉକ୍ତ ଚିଠିରେ ଇପିଏଫ୍ ପେନସନ୍‌ଭୋଗୀଙ୍କ ମାସିକ ପେନସନ୍ ଏକହଜାର ଟଙ୍କାରୁ ୯ହଜାରକୁ ବୃଦ୍ଧି, ମହଙ୍ଗା ଭତ୍ତା, ଉଚ୍ଚ ବେତନ ଆଧାରରେ ଅଧିକ ପେନସନ୍ ଓ ସରକାରୀ ଚିକିତ୍ସା ବୀମା ପ୍ରଦାନ ପାଇଁ ଅନୁରୋଧ କରାଯାଇଛି । ଅଲ୍ ଓଡ଼ିଶା ଇପିଏଫ୍ ପେନସନ୍ ଆସୋସିଏସନ୍‌ର ବାଲେଶ୍ୱର ଜିଲା ସଭାପତି ଇଂ. ଅନାଦି ଚରଣ ବେହେରା, ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଜଳଧର ପଣ୍ଡାଙ୍କ ସମେତ ପ୍ରାୟ ୩ଶହ ପେନସନ ଭୋଗୀ ନିଜ ହାତଲେଖା ପୋଷ୍ଟକାର୍ଡ଼ ଚିଠି ଡାକବାକ୍ସରେ ପକାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସଂସ୍ଥା ଓ ଘରୋଇ ସଂସ୍ଥା ଏବଂ କଳକାର ଖାନା ମାନଙ୍କରେ କାର୍ଯ୍ୟକରି ଅବସର ନେଇଥିବା କର୍ମଚାରୀ ଦୁର୍ଯ୍ୟୋଧନ ରଣା, ଇଂ. କେ.ଏଲ୍‌. ଚୌଧୁରୀ, ଜଗବନ୍ଧୁ ପାଗଲ, ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ, ମଧୁସୂଦନ ଜେନା ଓ ନିତ୍ୟାନନ୍ଦ ନଟ୍ଟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ । ଚଳିତ ଜୁନ୍‌ମାସରେ ସମଗ୍ର ଦେଶର ଇପିଏଫ୍ ପେନସନଭୋଗୀ ପ୍ରଧାନମନ୍ତ୍ରୀଙ୍କୁ ଏହିପରି ଚିଠି ପଠାଇବାକୁ ଜାତୀୟ ଓ ରାଜ୍ୟସ୍ତରୀୟ ଆସୋସିଏସନ୍ ଆହ୍ୱାନ ଦେଇଛନ୍ତି । ବରିଷ୍ଠ ନାଗରିକମାନଙ୍କର ଏହି ନ୍ୟାୟପୂର୍ଣ୍ଣ ଦାବି ହାସଲ ପାଇଁ ଦେଶ ଓ ରାଜ୍ୟର ସମସ୍ତ ଆର.ଡି.ସି. ଅଫିସ୍ ଓ ଇ.ପି.ଏଫ୍‌. ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନ ସମୟରେ ଦିଲୀରେ ଲଗାତର ଗଣଧାରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଇପିଏଫ୍ ପେନସନ୍‌ର୍ସ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ