ଇଭିଏମ୍ ବିଜେପି ଲେଖାଥିବା ଅଭିଯୋଗ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିରୋଧୀ

ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସ ସହ ଅନ୍ୟ ୫ ବିରୋଧୀ ଦଳ ନେତା ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଇଭିଏମ୍ରେ ବିଜେପି ନିର୍ବାଚନୀ ଚିହ୍ନ ‘ପଦ୍ମ’ ତଳେ ବିଜେପି ଲେଖାଯାଇଥିବାକୁ ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହା ନିର୍ବାଚନ ନିୟମର ଉଲଙ୍ଘନ ବୋଲି ସେମାନେ ଦାବି କରିବା ସହ ବିଜେପିର ଏହା ଏକ ଚକ୍ରାନ୍ତ ବୋଲି କହିଛନ୍ତି । କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ତେଲୁଗୁ ଦେଶମ ପାର୍ଟି, ଆରଜେଡି ପ୍ରମୁଖ ଦଳ ଏକଜୁଟ୍ ହୋଇ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏତଦ୍ବ୍ୟତୀତ ଏହି ଘଟଣାରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀଙ୍କ କହିବା ଅନୁସାରେ ଏକ ମତଦାନ କେନ୍ଦ୍ରରେ ଥିବା ଇଭିଏମ୍ରେ ପଦ୍ମ ଫୁଲ ଚିହ୍ନ ତଳେ ବିଜେପି ଲେଖାଯାଇଥିବା ଜଣାପଡିଛି । ପୂର୍ବରୁ ପଦ୍ମଫୁଲ ତଳେ ପାଣି ଦେଖାଉଥିଲା, କିନ୍ତୁ ବର୍ତ୍ତମାନ ବିଜେପି ଲେଖାଯାଉଥିବା ଦେଖିବାକୁ ମିଳୁଛି । ଇଭିଏମ୍ରେ କୌଣସି ରାଜନୈତିକ ଦଳର ଚିହ୍ନତଳେ ଦଳ ନାମ ଲେଖାଯିବାର ନିୟମ ନାହିଁ । କିନ୍ତୁ ବିଜେପି ଏହି ନିୟମର ଉଲଙ୍ଘନ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏହା କିପରି ନିର୍ବାଚନ ଆୟୋଗଙ୍କ ଦୃଷ୍ଟିରୁ ଅଗୋଚର ରହିଲା ସେନେଇ ଦେଶବ୍ୟାପୀ ଏକ ଗୁଞ୍ଜରଣ ସୃଷ୍ଟି ହୋଇଛି । ଅପରପକ୍ଷେ ବିଜେପି ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ପ୍ର୍ରତିକ୍ରିୟା ପ୍ରକାଶ କରିନାହିଁ । ନିର୍ବାଚନ ଆୟୋଗ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେବେ କିମ୍ବା ବିଜେପି ଠାରୁ କୈଫିୟତ ତଲବ୍ କରିବେ ସେନେଇ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ