ଇଭିଏମ ତ୍ରୁଟି ଯୋଗୁ ମତଦାନ ବିଳମ୍ବିତ ନୀଳଗିରିପାଟଣାରେ ବିଳମ୍ବିତ ରାତି ଯାଏଁ ମତଦାନ
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍): ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଭିଏମ୍ ମେସିନ ଅଚଳ ନେଇ ଉତ୍ତେଜନା ଲାଗି ରହିଥିଲା । ନିରାକାରପୁର ୧୪୯, ୧୫୧, ଡିଆ ପଞ୍ଚାୟତ ୧୪୬ ବୁଥ୍, କମାଗୁରୁ ୧୬୬, ୧୬୭, ଗୋଡ଼ିପଡ଼ା ପଞ୍ଚାୟତ ୧୦୩, ୧୦୪ ବୁଥ୍ ମେସିନ କିଛି ଘଣ୍ଟା ପାଇଁ ଅଚଳ ହେବାପରେ ପ୍ରଶାସନର ଉଦ୍ୟମରେ ତାହା ଠିକ୍ କରାଯାଇ ପୁନର୍ବାର ମତଦାନ ଚାଲିଥିଲା । ସେହିପରି ବଡ଼ପୋଖରୀଆ ପଞ୍ଚାୟତ ନୀଳଗିରିପାଟଣା ଗ୍ରାମରେ ଥିବା ୧୫୯ ନଂ ବୁଥରେ ଅପରାହ୍ନ ୨ରୁ ରାତି ସାଢେ୮ଟା ପର୍ଯ୍ୟନ୍ତ ଇଭିଏମ ମେସିନ ଅଚଳ ରହିବାରୁ ସେଠାରେ ଉତ୍ତେଜନା ରହିଥିଲା । ପରେ ନିର୍ବାଚନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଇଭିଏମ୍ ସଚଳ କରାଯାଇ ଚାଲୁ କରିବାରୁ ମତଦାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ସୂଚନା ମିଳିଛି । କ୍ଷେତ୍ରବାସୀ ଏକାଡେମୀ ୧୫୧ ବୁଥରେ ଅତ୍ୟଧିକ ଭୋଟରଙ୍କ ଲାଗି ମତଦାନ ରାତି ସାଢେ ୮ଟା ପର୍ଯ୍ୟନ୍ତ ଚାଲିଥିଲା । ନିରାକାରପୁର ଥାନା ଅଧିନରେ ୩୪ଟି ବୁଥ୍ ହୋଇଥିଲାବେଳେ ସେଥିରୁ ୧୭ଟି ଉତ୍ତେଜନା ପ୍ରବଣ ବୁଥ୍ ରହିଛି । ୩୪ଟି ବୁଥ୍ରେ ଶାନ୍ତିଶୃଙ୍ଖଳା ମତଦାନ ପାଇଁ ଦୁଇଟି ୨୮, ୨୯ ମୋବାଇଲ୍ ଟିମ୍ ଗଠନ କରାଯାଇଥିଲା । ଏଥିରେ ସିଆଇଏସ୍ଏଫ୍ ଦାମନଯୋଡ଼ିର ଗୋଟିଏ ପ୍ଲାଟୁନ, ଷଷ୍ଠ ବାଟାଲିଏନ ଓଏସଏପି ଏକ ସେକସନ, କୋରାପୁଟ, ଗଜପତିରୁ ୪/୪ ମୋବାଇଲ ଟିମ୍ ଓ କୋରାପୁଟରୁ ୨ଜଣ ଓପି, ସେକେଣ୍ଡ ବାଟାଲିଅନ୍ ଝାଡ଼ସୁଗୁଡ଼ାରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।