ଇମୋଜିର ନିର୍ମାତା
ପ୍ରତିବର୍ଷ ଜୁଲାଇ ୧୭କୁ “ଇମୋଜି ଡେ’ ଭାବେ ପାଳନ କରାଯାଏ । ୨୦୧୪ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିକାଲିର ସମୟରେ ମେସେଜର ବହୁଳ ବ୍ୟବହାର ତଥା ଇମୋଜିର ପ୍ରୟୋଗକୁ ଦୃଷ୍ଟିରେ ରଖି ଏହି ଦିବସ ପାଳିତ ହେଉଛି । ତେବେ ବିଭିନ୍ନ ସୋସିଆଲ ମିଡିଆରେ କାନ୍ଦ, ହସ ଏବଂ ରାଗ ଭଳି ଭାବନାକୁ ବ୍ୟବହାରକାରୀ “ଇମୋଜି’ ଦ୍ୱାରା ସହଜରେ ପରିପ୍ରକାଶ କରିପାରୁଛନ୍ତି । ଅନ୍ୟମାନଙ୍କଠାରୁ ଭାରତୀୟମାନେ ଇମୋଜିରେ ଖୁସି, ଲୁହ ଓ କିସ୍ର ବ୍ୟବହାର କରିଥାନ୍ତି । ଏହା କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି । ତେବେ ବ୍ୟବହାର କରାଯାଉଥିବା ସ୍ମାଇଲ ଇମୋଜିକୁ ପ୍ରଥମେ କିଏ ପ୍ରସ୍ତୁତ କରିଥିଲେ ଜାଣନ୍ତି? ଏହାକୁ ଆମେରିକାର ହର୍ଭି ରୋଜ ବଲ୍ ପ୍ରସ୍ତୁତ କରିଥିଲେ । ସେ ଜାଣି ନ ଥିଲେ ଏହା ପରେ ଲୋକପ୍ରିୟ ହୋଇପାରିବ । ୧୯୬୩ରେ ହର୍ଭି ଏକ ବିଜ୍ଞାପନ ଓ ପେପର ଏଜେନ୍ସି ଚଳାଉଥିବାବେଳେ ଏକ ମ୍ୟୁଚୁଆଲ ଲାଇଫ୍ ଇନ୍ସ୍ୟୁରାନ୍ସ କମ୍ପାନୀ ତାହାର ସମସ୍ୟା ନେଇ ତାଙ୍କ ପାଖକୁ ଆସିଥିଲା । ତାଙ୍କ କର୍ମଚାରୀ ଦୁଃଖୀ ଥିବା ଦେଖି ହର୍ଭି ଏକ ସ୍ମାଇଲ ତିଆରି କରିଥିଲେ । ଏଥିପାଇଁ ତାଙ୍କୁ ୪୫ ଡଲାର ମିଳିଥିଲା । ରାଗିଥିବା କର୍ମୀଙ୍କୁ ଖୁସି କରିବା ପାଇଁ ପ୍ରଥମେ ଏହାକୁ ବ୍ୟବହାର କରାଯାଇଥିଲା ।


