ଇଷ୍ଟକୋଷ୍ଟ ରେଲୱେ କର୍ମଚାରୀମାନଙ୍କର ଏନ୍ପିଏସ୍ ବିରୁଦ୍ଧରେ ଭୁବନେଶ୍ୱରରେ ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନାଗଭୂଷଣ ଭବନଠାରେ ନୂତନ ପେନସନ ବ୍ୟବସ୍ଥାକୁ ବିରୋଧ କରି ଇଷ୍ଟକୋଷ୍ଟ ରେଲୱେ କର୍ମଚାରୀମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଫ୍ରଣ୍ଟ ଏଗନେଷ୍ଟ ଏନ୍ପିଏ ଓ ନ୍ୟାସନାଲ ମୁଭମେଣ୍ଟ ଫର୍ ଓଲ୍ଡ଼ ପେନସନ ସ୍କିମ୍କୁ ଲାଗୁ କରିବାକୁ ଏହି ସମ୍ମିଳନୀରେ ମତପ୍ରକାଶ ପାଇଛି । ଏହି ସମ୍ମିଳନୀରେ ଏମ୍.ଏମ୍.ଓ.ପି.ଏସ୍.ର ରାଷ୍ଟ୍ରୀୟ ସଚିବ ରାଜେନ୍ଦ୍ର ପାଲ କହିଲେ ଯେ, ପୁରୁଣା ପେନସନ ଆମର ସାମ୍ବିଧାନିକ ଅଧିକାର । ଏହି ଅଧିକାରକୁ ଆମକୁ ହାସଲ କରିବାକୁ ପଡ଼ିବ । ଏହି ଅଭିଯାନର ପ୍ରଚାର ସଚିବ ଡ. କମଲ ଉଶ୍ରୀ କିହଲେ ଯେ, ଭାରତୀୟ ରେଳର ଘରୋଇକରଣକୁ ବିରୋଧ କରିବା ପାଇଁ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଅଧିକାର ହାସଲ କରିବା ଲାଗି ରେଳବାଇରେ କାର୍ଯ୍ୟ କରୁଥିବା ଶହ ଶହ ଯୁବ କର୍ମଚାରୀମାନଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବାକୁ ପଡ଼ିବ ବୋଲି ଡ. ଉଶ୍ରୀ ଆହ୍ୱାନ ଦେଇଥିଲେ । ଏଆଇସିସିଟିୟୁର କାର୍ଯ୍ୟକାରୀ ସଭାପତି ରାଧକାନ୍ତ ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଖାଲି ପେନସନ କଥା କହିଲେ ହେବ ନାହିଁ, ଆଗାମୀ ଦିନରେ କର୍ପୋରେଟମାନଙ୍କ ଶୋଷଣ ମନୋଭାବ ଓ ଦେଶର ସାଧାରଣ ଜନତାର ଜୀବନ ଜୀବିକାର ଅଧିକାରକୁ ନେଇ ଆନ୍ଦୋଳନକୁ ତୀବ୍ର କରିବାକୁ ପଡ଼ିବ ବୋଲି କହିଥିଲେ । ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଲେ ଯେ, ନୂଆ ପେନସନ ସ୍କିମ୍ ଏକ ବଜାର ବ୍ୟବସ୍ଥା ସହ ଯୋଡ଼ି ସରକାର ଘରୋଇ କମ୍ପାନୀମାନଙ୍କୁ ମୁନାଫା ଦେବା ଲାଗି ଏ ପ୍ରକାର ଚକ୍ରାନ୍ତ କରିଛନ୍ତି । ୨୦୦୩ରେ ବିଜେପି ସରକାର ଏହି ନୂତନ ପେନସନ ବ୍ୟବସ୍ଥା ଲାଗୁ କରି ଲକ୍ଷ ଲକ୍ଷ ଲୋକଙ୍କର ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଇଛନ୍ତି । ଯାହାଫଳରେ ଆଜି ବି ୬ ଲକ୍ଷ କୋଟି ଟଙ୍କାର ଏନ୍ପିଏସ୍ ଟଙ୍କା କେଉଁଠି ଅଛି ଜାଣିବା କଷ୍ଟକର ହେଉଛି । ତତ୍ସହିତ ୧୬୦୦ ଏନ୍ପିଏସ୍ ଟଙ୍କା ପୁରାପୁରି ସେୟାର ବଜାରେ ବୁଡ଼ିଯାଇଛି । ତେଣୁ ସରକାର ତୁରନ୍ତ ପୁରୁଣା ପେନସନ ସ୍କିମ୍ ଲାଗୁ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ବେହେରା, ଗୌରୀଶଙ୍କର ପଟ୍ଟନାୟକ, ଏ.କେ. ପାଢୀ ପ୍ରମୁଖ ତାଙ୍କର ବକ୍ତବ୍ୟ ରଖିଥିବା ବେଳେ ଏହି ସମ୍ମିଳନୀରେ କୈଳାସ ଚନ୍ଦ୍ର ଛୁରିଆ ସଭାପତିତ୍ୱ କରିଥିଲେ । ଶେଷରେ ଏହି ଆନ୍ଦୋଳନର ନେତା ବ୍ରହ୍ମାନନ୍ଦ ଭୋଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ଓଡ଼ିଶାରେ ଇଷ୍ଟକୋଷ୍ଟ ରେଲୱେରେ କିପରି ହଜାର ହଜାର ଯୁବ ସାଥୀଙ୍କୁ ଏହି ଆନ୍ଦୋଳନରେ ସାମିଲ କରାଯିବ ସମସ୍ତେ ଉଦ୍ୟମ କରିବାକୁ ସେ କହିଥିଲେ । ଏହାପରେ ଏକ ୨୧ଜଣିଆ ପରିଷଦ ଗଠନ କରାଯାଇ ବ୍ରହ୍ମାନନ୍ଦ ଭୋଇଙ୍କୁ ଏହାର ସମ୍ପାଦକ ରୂପେ ନିର୍ବାଚିତ କରାଯାଇଥିଲା । ଏହାକୁ ପ୍ରବୀଣ ମହାପାତ୍ର ସମର୍ଥନ କରିଥିଲେ ।