ଇସକଫ’ ଭାରତୀୟ ସଂସ୍କୃତିର ରକ୍ଷାକବଚ
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ) ଭାରତୀୟ ସଂସ୍କୃତିର ରକ୍ଷାକବଚ ବୋଲି ନିକଟରେ ଇସକଫ ଜାତୀୟ ପରିଷଦର ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା ଏକ ସାକ୍ଷାତକାର ରେ କହିଛନ୍ତି।ରବିବାର ଦିନ ଲକ୍ଷ୍ମଣ ଭବନ ପରିସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରି ସାମ୍ପ୍ରତିକ ବିଶ୍ବରେ ଦେଖା ଦେଇଥିବା ପରମାଣୁ ଯୁଦ୍ଧର କଳାବାଦଲ ଏବଂ କେନ୍ଦ୍ର ସରକାରଙ୍କ ଭୁଲ ନୀତିନିଷ୍ପତ୍ତି ଯୋଗୁଁ ଭାରତର ବିଭିନ୍ନତା ମଧ୍ୟରେ ଏକତା, ମୈତ୍ରୀ ଭାବ ଓ ସଂହତି ଆଜି ବିପନ୍ନ ହେବାକୁ ଯାଉଥିବା ସେ ସୂଚାଇଛନ୍ତି।ଇସକଫର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରି ଏହି ସଂଗଠନ ପ୍ରାକ୍ ସ୍ବାଧୀନତା କାଳରୁ ଆଜି ପର୍ଯ୍ୟନ୍ତ ରଖି ଆସିଥିବା ଆନ୍ତଃରାଜ୍ଯ ବନ୍ଧୁତା ଏବଂ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ଜାରି ରଖିଥିବା ଅହଃରହଃ ଉଦ୍ୟମ ତାହାର ଲୋକପ୍ରିୟତାକୁ ବହୁଗୁଣିତ କରିପାରିଛି।ସାମାଜିକ ଶାନ୍ତି ପ୍ରତିଷ୍ଠା ଓ ଭାଇଚାରା ବଜାୟ ରଖିବା ପାଇଁ ଇସକଫ ଭଳି ସାଂସ୍କୃତିକ ସଂଗଠନର ପ୍ରସାର ଆଜି ଅପରିହାର୍ଯ୍ୟ ମଧ୍ୟ ହୋଇପଡିଛି।ପ୍ରକାଶ ଥାଉକି ଗତ ୧୦ ଏବଂ ୧୧ ତାରିଖ ଦୁଇ ଦିନ ଧରି କଟକ ବାରବାଟୀ ଷ୍ଟାଡିୟମରେ ଇସକଫ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବା ସହ ଏଥିରେ ଋଷିଆ, କ୍ଯୁବା, ଭିଏତନାମ ଭଳି ରାଷ୍ଟ୍ର ମାନଙ୍କ ସହ ସଂଗଠନର ଦ୍ବିପାକ୍ଷିକ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା।ଏଥିରେ କ୍ଯୁବାର ରାଷ୍ଟ୍ରଦୂତଙ୍କ ସମେତ ଭାରତର ବିଭିନ୍ନ ରାଜ୍ଯରୁ ୨୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିବା ବେଳେ ଶ୍ରୀ ପଣ୍ଡାଙ୍କୁ ଜାତୀୟ ଉପସଭାପତି ଏବଂ ଦିଗପହଣ୍ଡିର ଆଇନଜୀବୀ ହରପ୍ରସାଦ ରଥଙ୍କୁ ଜାତୀୟ ପରିଷଦ ସଭ୍ୟ ଭାବେ ନିର୍ବାଚିତ କରାଯାଇଥିଲା।ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାରୁ ବିଦେଶୀ ନାହାକ, ପଞ୍ଚାନନ ସ୍ବାଇଁ, ସୋମନାଥ ନାୟକ ଅଂଶ ଗ୍ରହଣ କରିଥିଲେ। ଆଜିର ପ୍ରେସ ମିଟ ଇସକଫ ର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଡ଼ି. ଆଦି ନାରାୟଣ ରେଡ୍ଡୀ ଉପସ୍ଥିତ ଥିଲେ