ଇସ୍କନ ବାଲେଶ୍ୱର ଶାଖା ପକ୍ଷରୁ ଜନ୍ମାଷ୍ଟମୀ ମହୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ଆନ୍ତର୍ଜାତିକ କୃଷ୍ଣ ସଚେତନତା ସମାଜ (ଇସ୍କାନ) ବାଲେଶ୍ୱର ଶାଖା ପକ୍ଷରୁ ସହରର ଆକତପୁରସ୍ଥିତ ଶ୍ରୀରାଧା ରସିକାୟ ଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅଧିବାସ ଓ ସଂଧ୍ୟା ଆରତୀ ସାଙ୍ଗକୁ କୃଷ୍ଣଲୀଳା ଆଦି ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ମଙ୍ଗଳା ଆରତୀ, ଦର୍ଶନ ଆରତୀ, ନାମ ସଂକୀର୍ତ୍ତନ, ସଂଧ୍ୟା ଆରତୀ, ଶ୍ରୀକୃଷ୍ଣ ଲୀଳା କଥା, ମହାଭିଷେକ ଓ ମହା ଆରତୀ ପ୍ରଭୃତି କର୍ମକାଣ୍ଡ ଆୟୋଜିତ ହୋଇଥିଲା । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ସମଜାସେବୀ ସୁବାସିନୀ ଜେନା, ମାନସ ଦତ୍ତ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ଇସ୍କାନ ବାଲେଶ୍ୱର ଶାଖାର ଆଧ୍ୟାତ୍ମିକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । କୃଷ୍ଣ ଦର୍ଶନ ଉପରେ ଅଧାରିତ ଭାରତୀୟ ସଂସ୍କୃତିକୁ ସମୃଦ୍ଧି କରିବା ସହ ଉତ୍ତର ପିଢ଼ି ସଂଯୋଗୀକରଣରେ ଏହା ବେଶ ସହାୟକ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଭଜନ କୀର୍ତ୍ତନ ମାଧ୍ୟମରେ ଦିବସ ବ୍ୟାପୀ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆକତପୁର ସମେତ ସହରର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆସନ୍ତାକାଲି ନନ୍ଦ ଉତ୍ସବ ସାଙ୍ଗକୁ ବ୍ୟାସ ପୂଜା, ରାଜେଶ୍ୱରୀ ବେଶ ଦର୍ଶନ, ଶ୍ରୀଲ ପ୍ରଭୁପାଦ ସ୍ତୁତି, ଶ୍ରୀଲ ପ୍ରଭୁପାଦ ଅଭିଷେକ ଓ ୧୦୮ ଭୋଗ ଲାଗିହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।