ଇସ୍ପାତ, ଶିଳ୍ପ ରାଜଧାନୀ କଳିଙ୍ଗ ନଗରର ସ୍ଥିତି ଓ ପ୍ରଗତି

ହଳଧର ଧୀର
ନିୟନ୍ତ୍ରଣରେ ସତରେ ନିୟତୀ ଖେଳ ବଡ଼ ବିଚିତ୍ର । ମଣିଷ, କୀଟପତଙ୍ଗ ସମଗ୍ର ଜୀବ ଜଗତ ତାର ନିୟନ୍ତ୍ରଣରେ । ଆଉ ପ୍ରକୃତି ତାର ନିଜସ୍ୱ ଧର୍ମ ପାଳନ କରେ । ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶାକୁ ଦିନେ ଶିଳ୍ପ ସମୃଦ୍ଧ କରିବାର ସ୍ୱପ୍ନ ଦେଖିଥିଲେ । ଝଡ଼ର ଇଗଲ, ମାଟିର ମୂର୍ତ୍ତିକାର, କଳିଙ୍ଗ ରଥର ଯୋଦ୍ଧା ପୁରୁଷ, ମଣିଷ ଓ ମାଟିକୁ ଭଲ ପାଉଥିବା ଦୃଢ଼ ସଙ୍କଳ୍ପବାଦୀ ବ୍ୟକ୍ତିତ୍ୱ ବିଶ୍ୱଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଉ ଜନନୀ ଜନ୍ମ ଭୂମିର ଗୌରବ ବୃଦ୍ଧି କରିଥିବା ସେହି ମହାନ ବ୍ୟକ୍ତିତ୍ୱ ନମସ୍ୟ ସ୍ୱର୍ଗତ ବିଜୁପଟ୍ଟନାୟକ ସେହି ଦୃଢ଼ ସଙ୍କଳ୍ପବାଦୀ ବଜ୍ର ପୁରୁଷ ତାଙ୍କର ସ୍ୱପ୍ନକୁ ଫଳବତୀ ମଧ୍ୟ କରିଥିଲେ । ତାର ଫଳଶ୍ରୃତି ସ୍ୱରୁପ ଆଜିର କଳିଙ୍ଗ ନଗର, ଓଡ଼ିଶାର ଇସ୍ପାତ ରାଜଧାନୀ କଳିଙ୍ଗନଗର, ଯାଜପୁର ଜିଲ୍ଲାର ସୁକିନ୍ଦା, ଦାନଗଦୀ (ତ୍ରୀଜଙ୍ଗା) ବ୍ୟାସନଗର ତହସିଲ ଅଞ୍ଚଳକୁ ନେଇ ମଥା ଟେକି ଛିଡ଼ା ହୋଇଛି ବୃହତ୍ତ ଶିଳ୍ପପୁଞ୍ଜ । ତାର ଆବଶ୍ୟକତା ପୁରଣ କରୁଛି କ୍ରୋମ ଓ ଲୌହ ଖଣିଜସମ୍ପଦ ଯାହା ଫଳରେ ଶିଳ୍ପପତି ମାନେ ଉପକୃତ ହେଲେ । ସରକାର ମଧ୍ୟ ନିଜର ଆତ୍ମବଡିମା ଦେଖାଇଲେ ଆଉ କିଛି ସ୍ୱଳ୍ପ ରାଜସ୍ୱ ମଧ୍ୟ ପାଇଲେ । ଅପର ପକ୍ଷରେ ଶିଳ୍ପପତିମାନେ ପାଣି, ପବନ, ଭୂମି, ପ୍ରକୃତି ରୂପି ଜଙ୍ଗଲ ଓ ଖଣିଜ ସମ୍ପଦର ଅଧିକାରୀ ହେଲେ ।କିନ୍ତୁ ଶିଳ୍ପ ପାଇଁ ଆତ୍ମବଳୀ ଦେଇଥିବା, ନିଜର ଭିଟାମାଟି ହରାଇଥିବା, ଶିଳ୍ପର ସମୃଦ୍ଧି ଓ ଗମନାଗମନ ରାସ୍ତ ନିର୍ମାଣ ପାଇଁ ଜମି ହରାଇଥିବା ଲୋକମାନଙ୍କର ସ୍ୱାର୍ଥ ପ୍ରତି ସରକାର, ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି ଓ ଶିଳ୍ପପତି ଯେପରି ଆଖି ବୁଜି ଦେଇ ଗାନ୍ଧିଜୀଙ୍କର ତିନିମାଙ୍କଡ଼ର ଭୂମିକା ଗ୍ରହଣ କରିଛନ୍ତି । ତାହା ପ୍ରକୃତରେ ବ୍ୟଥିତ କିରିଛି ଶିଳ୍ପ ପୁଞ୍ଜିର ପାଖରେ ଥିବା ଅଞ୍ଚଳବାସୀମାନଙ୍କୁ । ତଥାପି ଶିଳ୍ପ ପ୍ରତିଷ୍ଠା ହେଉ ବୋଲି ସରକାରଙ୍କୁ ସମର୍ଥନ ଜଣାଇଥିଲେ ଅବହେଳିତ ଅଞ୍ଚଳବାସୀ ।ଶିଳ୍ପର ବିଶାକ୍ତ କଳା ଧୂଆଁ ଧୂଳିରେ ଅଣନିଶ୍ୱାସୀ ହୋଇପଡିଛନ୍ତି ଅଞ୍ଚଳବାସୀ, ଶିଳ୍ପରୁ ନିର୍ଗତ ବିଶାକ୍ତ ଜଳ ଜନସାଧାରଣଙ୍କର ଏକ ମାତ୍ର ଜଳଧାରା ଗଣ୍ଡାନାଳରେ ମିଶିଲା । ଶିଳ୍ପର ପ୍ରଭାବରେ ଚାଷବାସ ବୁଡିଲା, ଚାଷୀ କୂଳ ମୁଣ୍ଡରେ ହାତଦେଇ ବସିଲେ । ମୂଳ ଗ୍ରାମବାସୀ ମାନଙ୍କୁ ଅଣଦେଖା କରି ବିସ୍ଥାପିତ କଲୋନୀ ନିର୍ମାଣ ପାଇଁ ଶିଳ୍ପ ନିକଟରେ ଗ୍ରାମ୍ୟ ଜଙ୍ଗଲକୁ ଦୂରଦୃଷ୍ଟି ଅଭାବରୁ କାଟି ଦିଅଗଲା । ଶିଳ୍ପପୁଞ୍ଜି ଚାରିପଟକୁ ଲାଗି କରିଥିବା ସମସ୍ତ ଜଙ୍ଗଲ ଗୁଡ଼ିକୁ କାଟିଦିଆ ଗଲା । ଯେଉଁ ଜଙ୍ଗଲକୁ ନିଜର ଲୁହ ଲୁହକୁ ଅର୍ପଣ କରି ଗ୍ରାମବାସୀମାନେ ଗଢିଥିଲେ ଓ ଜଙ୍ଗଲର ସୁରକ୍ଷା କରି ଆସୁଥିଲେ । ସେହିମାନଙ୍କ ଆଖି ଆଗରେ ସେମାନଙ୍କ ଶରୀର ଅଂଶ ସ୍ୱରୂପ ଏହି ଜଙ୍ଗଲକୁ କାଟି ଦିଆଗଲା । ଶିଳ୍ପ ପୁଞ୍ଜିକୁ ଲାଗି ରହିଥିବା ଜଙ୍ଗଲ ଅଂଶକୁ ବାଦ ଦେଇ ଅନ୍ୟ ଅଂଶରେ ବିସ୍ଥାପିତ କଲୋନୀ ନିର୍ମାଣ କରିବାରେ କୌଣସି ପ୍ରତି ବନ୍ଧକ ନଥିଲା । କେବଳ ସରକାର, ଇଡ଼କୋ ଓ ପ୍ରଶାସନର ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ମେରୀରାୟ ଭାବ ଓ ଭାବନାର କୁପରିଣାମକୁ ଆଜି ଅଞ୍ଚଳବାସୀମାନେ ଭୋଗକରୁଛନ୍ତି । ଜଙ୍ଗଲ ବିଭାଗର ନୀରବତା ଓ ରାଜସ୍ୱ ବିଭାଗର ମେରୀରାୟ କାର୍ଯ୍ୟ ଧାରାରେ ବନ୍ଦି ହୋଇ ଯାଇଛନ୍ତି ଅଞ୍ଚଳବାସୀ । ଯେପରି ମନେହୁଏ ଏହି ଜନ କଲ୍ୟାଣ ରାଷ୍ଟ୍ରରେ କେବେଳ ବଡବଡ଼ିଆଙ୍କ ସ୍ୱାର୍ଥ ଓ ଶିଳ୍ପପତି ମାନଙ୍କର ସ୍ୱାର୍ଥ ରକ୍ଷାପାଇଁ ସମର୍ପିତ ଏ ସରକାର ଓ ପ୍ରଶାସନ । ଆଉ ସାଧାରଣ ଜନତାର ଦୟନୀୟତା ଓ ଅସହାୟତାକୁ ଦେଖିବା ପାଇଁ ଜଙ୍ଗଲ ବିଭାଗ ଓ ରାଜ୍ୱ ବିଭାଗ ଆଖବରେ ଅନ୍ଧପୁଟୁଳି ବାନ୍ଧିଦେଇଛି । ତଥାପି ସୁକିନ୍ଦା ଓ କୋରାଇ ନିର୍ବାଚନ ମଣ୍ଡଳୀର ଜନସାଧାରଣ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କର ଦାୟଦ ଓଡ଼ିଶାର ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ବିଶ୍ୱାସ ଅତୁଟ ରଖିଛନ୍ତି । ଦୁଇଟିଯାକ ନିର୍ବାଚନ ମଣ୍ଡଳୀ ନେତୃତ୍ୱର ଡ଼ୋରୀ ରହିଛି ସରକାରୀ ଦଳ ହାତରେ । ଅଞ୍ଚଳବାସୀମାନେ ବିଷପାନ କରି ଅମୃତର ଭାଣ୍ଡ ଖୋଲିଦେଇଛନ୍ତି ଶିଳ୍ପପତି, ସରକାର ଓ ପ୍ରଶାସନ ପାଇଁ । ତଥାପି ମନରେ ଆଶା ବାନ୍ଧିବସିଛନ୍ତି । ଦିନେନା ଦିନେ ସେମାନଙ୍କର ସମସ୍ୟା ର ସମାଧାନ ହେବ । ସମାଲୋଚକମାନେ କିନ୍ତୁ ଭିନ୍ନ କଥା କହୁଛନ୍ତି । ଷାଠିଏ ମହଣ ଘିଅ ହେବା ନାଁ ରାଧା ନାଚିବ, ନାଁ ଅଞ୍ଚଳବାସୀଙ୍କ ସ୍ୱପ୍ନ ସାକାର ହେବ ।
ଏବେ ଆମେ ଆସିବା ମୁଖ୍ୟ ପ୍ରସଙ୍ଗକୁ । ଶିଳ୍ପାଞ୍ଚଳର ମୁଖଶାଳା କୁହାଯାଉଥିବା ତ୍ରୀଜଙ୍ଗା (ଦାନଗଦୀ) ଗାଁର କଥାକୁ । ଶିଳ୍ପ ପାଇଁ ଗ୍ରାମ୍ୟ ଜଙ୍ଗଲଗଲା, ଜଳ ଉତ୍ସବିଷାକ୍ତ ହେଲା, ରାସ୍ତାପାଇଁ ଜମିଗଲା, ଚାଷ ବୁଡ଼ିଲା, ଜମି ପଡ଼ିଆ ପଡ଼ିଲା । ଜୀବନ ଓ ଜୀବିକା ବିପର୍ଣ୍ଣ ହେଲା, ତଥାପି ଏମାନଙ୍କ ମନରେ ଥିଲା ଅସୁମାରି ଆଶା, ସେବି ଧୂଳିସାତ ହେବାକୁ ବସିଲାଣି । ଗ୍ରାମ୍ୟ ଜଙ୍ଗଲକୁ କଟା ଯାଇବି ସ୍ଥାପିତ କଲୋନୀ ନିର୍ମାଣ କରାଗଲା । ବିସ୍ଥାପିତ ନିୟମକୁ କାର୍ଯ୍ୟକାରୀ କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ସରକାରଙ୍କର ଇଡ଼କୋ କର୍ତ୍ତୁପକ୍ଷ ମଧ୍ୟ ଆଖିବୁଜିଦେଲେ । ଏହି ନିୟମର ମୂଳ ଲକ୍ଷ ଥିଲା ବିସ୍ଥାପିତ ଲୋକ ଓ ମୂଳବାସିନ୍ଦା ଗାଁ ଲୋକମାନଙ୍କ ମଧ୍ୟରେ ଭାତୃଭାବ ସୃଷ୍ଟିକରି ସମାନ୍ତରାଳଭାବେ ମୂଳ ଗ୍ରାମର ଉନ୍ନତି କରି ବିସ୍ଥାପିତ ଲୋକମାନଙ୍କ ସହ ସମକକ୍ଷକରି ଶାନ୍ତି ଓ ସଂହତି ସ୍ଥାପନ କରିବା । ଯାହା ଫଳରେ କି ଲୋକମାନଙ୍କର ପରସ୍ପର ମଧ୍ୟରେ ଯେପରି କୌଣସି ଦ୍ୱନ୍ଦ ନ ଉପୁଜେ । ଉଦାହାରଣ ସ୍ୱରୂପ ବିସ୍ଥାପିତ କଲୋନୀ ପାଇଁ କଟା ଯାଉଥିବା ଗ୍ରାମ୍ୟ ଜଙ୍ଗଲଟି ଗାଁ ମଧ୍ୟ ଭାଗରେ ଥିବାରୁ ଏହି ଜଙ୍ଗଲକୁ ଲାଗି ଚାଷ ହେଉଥିବା ଗ୍ରାମବାସୀ ମାନଙ୍କର ଚାଷ ଜମି ନିକଟରୁ ଦୁଇ ଶହ ବର୍ଷ ଧରି ତତ୍‌କାଳୀନ ଜମିଦାର ଜଗବନ୍ଧୁ ସିଂହ ସର୍ଦାର ବ୍ୟକ୍ତଗତ ଉଦ୍ୟମରେ ଖୋଳାଯାଇଥିବା ଏକ ଛୋଟ କେନାଲ ମାଧ୍ୟମରେ ଉକ୍ତ ଜଙ୍ଗଲ ଦେଇ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଶତାଧିକ ଏକର ଚାଷଜମିରେ ବର୍ଷାଜଳ ଆସି ଜଳସେଚିତ ହୋଇପାରୁଥିଲା । କଲୋନୀ ନିର୍ମାଣ ସମୟୟରେ ଇଡକୋ କତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଏହି ଅଣଓସାରିଆ ଛୋଟ କେନାଲଟିର ପୂନଃଉଦ୍ଧାର ବା ମରାମତି ନକରି ତାହାକୁ ପୋତିଦେଇ ତାଉପରେ କଲୋନୀ ନିର୍ମାଣ କରିବା ଫଳରେ ଏହି କେନାଲ ଉପରେ ନିର୍ଭର କରୁଥିବା ତଳ ମୁଣ୍ଡର ଚାଷୀଙ୍କର ଶହଶହ ଏକର ଚାଷଜମି ମଧ୍ୟ ପଡିଆପଡ଼ିଗଲା । ଏହି ସମସ୍ୟାପ୍ରତି ସରକାର ନାଁ ପ୍ରଶାସନ କେହି ଦୃଷ୍ଟିଦେଲେ ନାହିଁ । ତତ୍‌କାଳୀନ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ କଥା ଆଲୋଚନା ନକରିବା ଉଚିତ୍ । ସେମାନଙ୍କର ଆଭିମୁଖ୍ୟଥିଲା ଭିନ୍ନ ଏହି ଗାଁର ବିକାଶ କ୍ଷେତ୍ରରେ ।
ଶିଳ୍ପ ହେବା ଫଳରେ ମଜୁରୀବୃଦ୍ଧି ଘଟିବା ଯୋଗୁ ଏବଂ କାରଖାନାରେ ଶ୍ରମିକ କାର୍ଯ୍ୟ କରିବା ମୋହରେ ଗାଁର କୃଷି ଶ୍ରମିକମାନେ ଚାଷକାର୍ଯ୍ୟ କରିବାକୁ ବିମୂଖ ହେବା ସଙ୍ଗେ ସଙ୍ଗେ ଚାଷୀମାନଙ୍କ ପକ୍ଷରେ ଅଧିକ ମଜୁରୀ ଦେଇ ଚାଷ କରିବା ସମ୍ଭବପର ହେଲାନାହିଁ । ଫଳରେ ଶହ ଶହ ଏକର ଚାଷ ଜମି ପଡ଼ିଆ ପଡ଼ିଗଲା । ଏଥିପାଇଁ ପ୍ରଶାସନ ମଧ୍ୟ କୌଣସି ଚିନ୍ତାପ୍ରକଟ କଲେ ନାହିଁ । ଗ୍ରାମ୍ୟ ଜଙ୍ଗଲ କଟାଯିବା ଫଳରେ ଶିଳ୍ପର କଳା ଧୂଆଁର ଆଁରେ ଅଣନିଶ୍ୱାସୀ ହୋଇ ପଡ଼ିଲା ମଣିଷ । ସ୍ୱାସ୍ଥ୍ୟ ସେବା ବିପର୍ଣ୍ଣ ହୋଇ ପଡ଼ିଲା । ଲୋକମାନେ ବହୁରୋଗର ଶିକାର ହୋଇପଡ଼ିଲେ । ଚାଷୀଙ୍କର ଯେଉଁ କଣେମାଣେ ଜମି ଚାଷହେଉଥିଲା କାରଖାନା ଗୁଡ଼ିକର କଳା ଧୂଆଁର ପାଉଁସ ଓ ବିଷାକ୍ତ ଜଳର ପ୍ରଭାବରେ ଜମି ତାର ଉର୍ବରତା ହରାଇଲା । ଗାଁର ମୂଖ୍ୟଜଳ ଉତ୍ସ ବା ଜଳଧାରା ଗଣ୍ଡାନାଳ ଶିଳ୍ପର ପରିତ୍ୟକ୍ତ ଦୂଷିତ ବିଷାକ୍ତ ଜଳ ସବୁ ମିଶିବା ଫଳରେ ମଣିଷ, ଗୋରୁଗାଈ, ପଶୁ, ପକ୍ଷୀ ମାନେ ଏହି ଜଳ ପାନକରି ରୋଗାକ୍ରାନ୍ତ ହୋଇପଡିଲେଣି । ଏହି ଗଣ୍ଡାନାଳ ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ମାନଙ୍କର ଜୀବନ ଜୀବିକା ବିପର୍ଣ୍ଣ ହେଲା । ଏହା ବାସ୍ତବରେ ଦୂର୍ଭାଗ୍ୟ ଜନକ କଥା । ସରକାରୀ କଳ ମଧ୍ୟ ଏଥି ପ୍ରତି ଆଖି ବୁଜିଦେଲେ ।
ଶିଳ୍ପପତି ମାନଙ୍କର ସ୍ୱାର୍ଥ ରକ୍ଷାପାଇଁ ସରକାର ଶିଳ୍ପବିକାଶର ଦ୍ୱାହୀ ଦେଇ ଚାଷୀମାନଙ୍କର ଚାଷଜମି ଉପରେ କାରଖାନା ଗୁଡ଼ିକୁ କଞ୍ଚାମାଲ ଓ ମାଲ ପରିବହନ ପାଇଁ ଚାରୀଥାକିଆ ବିଶିଷ୍ଟ ଏକ ରାସ୍ତା ନିର୍ମାଣ କରିବା ପାଇଁ ରାଜସ୍ୱ ବିଭାଗ ଦ୍ୱାରା ଯୋର ଯବରଦସ୍ତ ଜମି ଅ÷ଧିଗ୍ରହଣ କରି ରାଜ୍ୟପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା । କ୍ଷତିଗ୍ରସ୍ତ ଚାଷୀମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପ୍ରାପ୍ୟ ପାଇବାରୁ ବଞ୍ôଚତ ହୋଇଛନ୍ତି । କିନ୍ତୁ କ୍ଷତି ପୁରଣର ଦେବା ଦିଗରେ ସରକାର ପାତର ଅନ୍ତର ନୀତି ଗ୍ରହଣ କଲେ । ସାରଦ ୧ କିଷମ ଜମିକୁ ଏକର ପିଛା ୩ ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ସେହି ଜମିଗୁଡ଼ିକ ନିକଟକୁ ଲାଗି କରିଥିବା ସାରଦ-୨ ଓ ୩ କିଷମ ଜମି ଓ ପଡ଼ିଆ ଜମିଗୁଡ଼ିକୁ ଏକର ପିଛା ୧୮ ଲକ୍ଷ ଟଙ୍କା ଦେବା ଫଳରେ କ୍ଷତିଗ୍ରସ୍ତ ହୋଇଥିବା ସଂଖ୍ୟାଧିକ ଲୋକ କ୍ଷତି ପୂରଣ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏହି କ୍ଷତି ପୂରଣ ଅର୍ଥ ପ୍ରଦାନ କ୍ଷେତ୍ରରେ ତାରତମ୍ୟଥିବାରୁ ଏହା ସ୍ପଷ୍ଟ ସୂଚିତ ହେଉଥିଲାଯେ ରାଜନୈତିକ ଦୃଷ୍ଟି କୋଣରୁ ବିରୋଧି ଦଳର ସମର୍ଥକ ଭାବି ଚାଷୀ ସ୍ୱାର୍ଥ ବିରୋଧି ସ୍ଥାନୀୟ ନେତୃତ୍ୱ ଓ ସରକାରୀ କଳପକ୍ଷରୁ ଏହି ପଦକ୍ଷେ ନିଆଯାଇଥିଲା । ଉଦ୍ଦେଶ୍ୟ ମୂଳକ ଭାବେ ବେଞ୍ଚମାର୍କକୁ କମାଇ ଦିଆଯାଇଥିଲା । ତଥାପି ଜମି ହରାଇଥିବା ଲେକମାନେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟକରି ସାମୁହିକ କଲ୍ୟାଣ ପାଇଁ ଜମି ଛାଡ଼ି ଦେଇଥିଲେ । ତଥାପି ବର୍ତ୍ତମାନ ସୁଦ୍ଧା କେତେକ ବ୍ୟକ୍ତି ସେମାନଙ୍କର କ୍ଷତିପୂରଣ ଅର୍ଥ ପାଇ ପାରିନାହାନ୍ତି । କି ଜମି ହରାଇଥିବା ବ୍ୟକ୍ତିମାନଙ୍କୁ କୌଣସି ଶିଳ୍ପନୁଷ୍ଠାନରେ ନିଯୁକ୍ତ ସୁବିଧା ମିଳିଲା ନାହିଁ । ସେମାନଙ୍କର ଉନ୍ନତି ପାଇଁ ଶିଳ୍ପପତି ମାନେ କି ସରକାର କେହି ଦୃଷ୍ଟିଦେଲେ ନାହିଁ । ନିଜର ବେଦନା ଓ ଲହୁଲୁହକୁ ଏକାକାର କରି ଆହତ ହୃଦୟରେ ଚାଷି ମାନେ ସରକାରଙ୍କ ପ୍ରତି ସମର୍ଥନ ଜଣାଇ ଆସୁଛନ୍ତି ।ତଥାପି ସେମାନଙ୍କର ଆଶାଅଛି ଯେ ସରକାର ନିଶ୍ଚୟ ଦିନେନା ଦିନେ ସେମାନଙ୍କର ସମସ୍ୟା ବୁଝିବେ । ଗାଁ ଭିତରକୁ ଚାରି ଲାଇନ ରାସ୍ତ ନିକଟର ଏକ ସଂଯୋଗ ରାସ୍ତା ନିର୍ମାଣ କରିବେ, ଉପଯୁକ୍ତ କ୍ଷତିପୂରଣ କଥା ବିଚାର କରିବା ସହ ବହୁ ଗ୍ରାମର ବହୁବିଧି ଉନ୍ନତି ଦିଗରେ ପଦକ୍ଷପନେବେ । ଏହି ଗାଁର ଚାରିଲେନ୍ ବିଶିଷ୍ଟ ରାସ୍ତାର ମିଲିଟାରୀ ଛକଠାରେ ନିର୍ମିତ ଗୋଲେଇ ଛକଟି ତୃଟିପୂର୍ଣ୍ଣଭାବେ ନିର୍ମିତ ହୋଇଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବାରୁ ଏଠାରେ ଏକ ଓଭରବ୍ରୀଜ୍ ନିର୍ମାଣ କରିବା ଆବଶ୍ୟକତାକୁ ସରକାର ନିଶ୍ଚୟ ହୃଦୟଙ୍ଗମ କରି ପଦକ୍ଷପ ଗ୍ରହଣ କରିବେ ।

 

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ