ଇୟର ଫୋନ୍ ବ୍ୟବହାର କରୁଥିଲେ…
ଆଜିକାଲିର ମୋବାଇଲ୍୍ମାନିଆ ଯୁଗରେ ଯୁବପିଢିମାନେ ମୋବାଇଲ୍ ପ୍ରେମରେ ଏଭଳି ଭାବେ ପଡ଼ିଯାଇଛନ୍ତି ଯେ ଯେମିତି ଲାଗେ ସେମାନେ ଭାତ ଛାଡ଼ିଦେବେ, କିନ୍ତୁ ମୋବାଇଲ୍ ଛାଡ଼ି ପାରିବେ ନାହିଁ । ମୋବାଇଲ୍୍କୁ ସେମାନେ ଖୁବ୍ କମ୍ ଆବଶ୍ୟକୀୟ କାମରେ ଲଗାନ୍ତି, ପରନ୍ତୁ ଅଧିକାଂଶ ସମୟରେ ନେଟ୍ ଦେଖିବା ବା ଗୀତ ଶୁଣିବା କାମରେ ବେଶି ଲଗାନ୍ତି । ଗୀତ ଶୁଣିବାରେ ବ୍ୟବହାର କରନ୍ତି ଇୟର ଫୋନ୍ । ଏହି ଇୟର ଫୋନ୍ ଯେ କେତେ ବିପଜ୍ଜନକ ତାହା ହୁଏତ ସେମାନେ ଜାଣି ଅଜଣା ହୋଇଥାନ୍ତି । ଜାଣନ୍ତିକି ଇୟର ଫୋନ୍ ବ୍ୟବହାର ଦ୍ୱାରା କେଉଁ କ୍ଷତିଟି ଆପଣଙ୍କର ହୋଇଥାଏ । ଏହା ଦ୍ୱାରା ଶୁଣିବାର ଶକ୍ତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହା ସହିତ ଶ୍ରବଣ ଶକ୍ତି ୪୦ରୁ ୫୦ ଡେସିବଲ୍ ପର୍ଯ୍ୟନ୍ତ କମିଯାଏ । କିଛି ଯୁବପିଢି କାନରେ ଇୟର ଫୋନ୍ ଲଗାଇ ତୀବ୍ର ସ୍ୱରରେ ଗୀତ ଶୁଣି ତାହାରି ଧୂନ୍ରେ ମୁଣ୍ଡ ହଲାଇ ଅଙ୍ଗଭଙ୍ଗୀ କରିଥାନ୍ତି ଓ ଆଉ କେହି ଗୁଣୁ ଗୁଣୁ ହୋଇ ଗୀତ ଗାଇଥାନ୍ତି । କିନ୍ତୁ ମନେ ରଖିବା ଉଚିତ ଯଦିବି ଗୀତ ଶୁଣୁଛନ୍ତି ମଝିରେ ମଝିରେ ବ୍ରେକ୍ ନିଅନ୍ତୁ ଓ ଅତି ଉଚ୍ଚ ସ୍ୱରରେ ଗୀତ ଶୁଣନ୍ତୁନି । ଲଗାତର ଭାବେ ତୀବ୍ର ସ୍ୱରରେ ଗୀତ ଶୁଣିବା ଦ୍ୱାରା କାନର ପରଦା ଭାଇବ୍ରେଟ୍ ହେବାକୁ ଲାଗେ ଓ ଦୂର ଆବାଜ୍ ଶୁଣିବାରେ ସମସ୍ୟା ଦେଖାଦିଏ । ଏହା ଦ୍ୱାରା ବଧିରପଣ ହେବାର ମଧ୍ୟ ବହୁତ ସମ୍ଭାବନା ଥାଏ । ଅଧିକ ସମୟ ପର୍ଯ୍ୟନ୍ତ ଗୀତ ଶୁଣିବା ଦ୍ୱାରା କାନ ପାରାଲିସିସ୍ ଆଡ଼କୁ ଗତି କରେ, ଧୀରେ ଧୀରେ କାନର ଶ୍ରବଣ ଶକ୍ତି କମିଯାଏ । ତୀବ୍ର ସ୍ୱରରେ ଗୀତ ଶୁଣିବା ଦ୍ୱାରା ମାନସିକ ସମସ୍ୟା ସହିତ ହୃଦ୍ଘାତ ହେବାର ବି ବହୁତ ଆଶଙ୍କା ଥାଏ । ଏହା ଦ୍ୱାରା କ୍ୟାନ୍ସର ସମ୍ଭାବନା ସବୁଠୁ ଅଧିକ ଥାଏ । ଇୟରଫୋନ୍ରେ ଅଧିକ ସମୟ ଗୀତ ଶୁଣିବା ଦ୍ୱାରା ଇନ୍ଫେକ୍ସନ୍ ହୋଇ କାନ ଭିତରେ ଘା’ ହୋଇଯାଏ । ମନେରଖନ୍ତୁ ଯଦି କାହାକୁ ନିଜର ଇୟର ଫୋନ୍କୁ ୟୁଜ୍ କରିବାକୁ ଦେଉଛନ୍ତି, ଦେବେ ଏହାର ସାନିଟାଇସେନକୁ ଯେମିତି ନଭୁଲନ୍ତି । ପ୍ରାୟ ଦେଖାଯାଏ ଭିଜୁଆଲ ମିଡ଼ିଆରେ କାମ କରୁଥିବା କର୍ମଚାରୀମାନେ ଇୟରଫୋନ୍ ଅଧିକ ଭାବେ ବ୍ୟବହାର କରିଥାନ୍ତି । ମନେ ରଖନ୍ତୁ ଏଭଳି ପରିପ୍ରେକ୍ଷୀରେ ଯଦି ଆପଣଙ୍କର ନିହାତି ଆବଶ୍ୟକ ଥାଏ ବ୍ୟବହାର କରନ୍ତୁ, କିନ୍ତୁ ମଝିରେ ପାଞ୍ଚ/ ଦଶ ମିନିଟ୍ ବ୍ରେକ୍ ନିଅନ୍ତୁ । ଭଲ କ୍ୱାଲିଟିର ହେଡ୍ଫୋନ୍ ବା ଇୟର ଫୋନ୍ ବ୍ୟବହାର କରନ୍ତୁ । ଇୟର ଫୋନ୍ ବଦଳରେ ହେଡ୍ଫୋନ୍ ବ୍ୟବହାର କରନ୍ତୁ, କାରଣ ଏହା ବାହ୍ୟ କାନରେ ଲଗାଯାଇଥାଏ ।