ଇ-ମହିଳା ପତ୍ରିକା ‘କୁମାରୀ’ ଲୋକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ଜ୍ଞାନଶ୍ରୀ ପକ୍ଷରୁ ମାସିକ ମହିଳା ଓଡ଼ିଆ ଇ-ପତ୍ରିକା ‘କୁମାରୀ’ ସ୍ଥାନୀୟ ନାରୀସଙ୍ଘ ପରିସରରେ ଶନିବାର ଲୋକାର୍ପଣ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ‘କୁମାରୀ’ ଇ-ପତ୍ରିକାକୁ ଲୋକାର୍ପଣ କରିଥିଲେ । ଯୁବପିଢ଼ିଙ୍କୁ ଭାଷା ସାହିତ୍ୟ ପ୍ରତି ଆକୃଷ୍ଟ ବୃଦ୍ଧିରେ ଏହି ପତ୍ରିକା ବେଶ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ବିଶେଷ କରି ମୋବାଇଲ ମାଧ୍ୟମରେ ବି ଯୁବଗୋଷ୍ଠୀ ଏହି ପତ୍ରିକାକୁ ପଢ଼ି ପାରିବେ ବୋଲି ଶ୍ରୀମତୀ ଜେନା କହିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହିଭଳି ଇ-ପତ୍ରିକା ପ୍ରକାଶ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ତେବେ ଏହା ନିୟମିତ ପ୍ରକାଶ ପାଇଲେ ବୃହତର ପାଠକ ଗୋଷ୍ଠୀ ଉପକୃତ ହୋଇ ପାରନ୍ତେ ବୋଲି ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ୱାଳ, ପତ୍ରିକାର ଉପଦେଷ୍ଟା ଡାକ୍ତର ଅଭିମନ୍ୟୁ କାନୁନଗୋ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପତ୍ରିକାର ସମ୍ପାଦକ ପ୍ରଶାନ୍ତ କୁମାର ପଟେଲ ଏହି ଲୋକାର୍ପଣ ଉତ୍ସବରେ ସଭାପତିତ୍ୱ କରିଥିଲେ । ଚିରନ୍ତନ ବାନାର୍ଜୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କୈଳାସ ମଲିକ, ସପନ ସିଂ, ହିମାଂଶୁ ଜେନା, ସ୍ୱସ୍ତିକ ମହାପାତ୍ର, ଶିବଶଙ୍କର ଜେନା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ପରେ କବି ସୁଧାକର ସେଠୀଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥରେ ବହୁ କବି ଓ କବୟିତ୍ରୀ ଏଥିରେ ଉପସ୍ଥିତ ରହି ସ୍ୱରିଚତ କବିତା ପାଠ କରିଥିଲେ ।