ଉଚ୍ଚତମ ନ୍ୟାୟାଳୟ ଯିବ ଇପିଏଫ ପେନସନର୍ସ ଆସୋସିଏସନ
ବାଲେଶ୍ୱର,(ସରୋଜ ପଣ୍ଡା): ବିଭିନ୍ନ ସରକାରୀ ଉଦ୍ୟୋଗ ଓ ଘରୋଇ ଶିଳ୍ପ ସଂସ୍ଥାରେ ଦୀର୍ଘବର୍ଷ କାର୍ଯ୍ୟକରି ଭବିଷ୍ୟନିଧି ସଂସ୍ଥାରୁ ପେନସନ ପାଉଥିବା କର୍ମଚାରୀମାନଙ୍କ ସଂଗଠନ ‘ଅଲ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ’ ଜିଲା କମିଟିର କାର୍ଯ୍ୟକାରୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ମଲିକାଶପୁରସ୍ଥିତ ସ୍ୱର୍ଗତ ଅରୁଣ ଦେ ସ୍ମୃତିଭବନ ପରିସରରେ ଆୟୋଜିତ ବୈଠକରେ ଇଂ. ଅନାଦି ଚରଣ ବେହେରା ଅଧ୍ୟକ୍ଷତା କରିଥିଲେ । ଜିଲା ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ଗତ ବୈଠକର ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଦେଙ୍କ ସମେତ ଦିବଂଗତ ସଦସ୍ୟମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସମ୍ପ୍ରତିକ ସ୍ଥିତିରେ ପେନସନଭୋଗୀ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନେ ଆଲୋଚନା କରିଥିଲେ । ବିଶେଷ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ହୋଇ ଚାଲିଥିବା ବେଳେ ସ୍ୱଳ୍ପ ଭତ୍ତାରେ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ହୋଇଛି ବୋଲି ଉପସ୍ଥିତ ସଦସ୍ୟମାନେ କହିଥିଲେ । ସର୍ବନିମ୍ନରେ ମାସିକ ୯ହଜାର ଟଙ୍କା ଭତ୍ତା ପ୍ରଦାନ, ମହଙ୍ଗାଭତ୍ତା ସହ ଚିକିତ୍ସା ବୀମା ପ୍ରଦାନ ସଂପର୍କରେ ଉପସ୍ଥିତ ସଦସ୍ୟମାନେ ଆଲୋଚନା କରିଥିଲେ । ରାଜ୍ୟ ସରକାର ସମସ୍ତ ଇପିଏଫ ପେନସନଭୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବାକୁ ବୈଠକରେ ଦାବି କରାଯାଇଛି । କେନ୍ଦ୍ର ସରକାର ଦେଶର ବରିଷ୍ଠ ନାଗରିକମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି । କେତେକ ସଂସ୍ଥାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଅଦ୍ୟାବଧି ବକେୟା ପ୍ରାପ୍ୟ ମିଳିନଥିବା ବେଳେ ଏନେଇ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ନିଷ୍ପତ୍ତି ନିଆଯାଇଛି । ମାସିକ ଏକହଜାର ଟଙ୍କାରୁ କମ ପେନସନ ପାଉଥିବା କର୍ମଚାରୀମାନେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଥିବା ସଂପର୍କରେ କେତେକ ସଭ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରତ୍ୟେକ ସଂସ୍ଥାର କର୍ମଚାରୀମାନେ ଜିଲ୍ଲାପାଳ କିମ୍ବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି । ଉଚ୍ଚତମ ନ୍ୟାୟାଳୟର ମୋକଦ୍ଦମା ଖର୍ଚ୍ଚ ଭରଣା ପାଇଁ ସଦସ୍ୟମାନେ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି । ଇଂ. ହିମାଦ୍ରି ଶେଖର ରାୟ, ଇଂ. ସୁଶିଲ ବାରିକ, ଇଂ. କେଏଲ ଚୌଧୁରୀ, ଶ୍ୟାମସୁନ୍ଦର ଜେନା, ଜୟନ୍ତ ମହାପାତ୍ର, ଇଂ. ଉଜ୍ଜ୍ୱଳ କୁମାର ଚାନ୍ଦ, ଜଳଧର ପଣ୍ଡା, ଶରତ ଦଳାଇ, ଆଶିଷ ଦାଶ, ଅଭିଜିତ ଦାସ, ଯଦୁନାଥ ମହାପାତ୍ର, ସଚୀନ୍ଦ୍ର ଦାସଙ୍କ ସମେତ ଜିଲ୍ଲା କମିଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଆଇନ ପରାମର୍ଶଦାତା ନିରଞ୍ଜନ ପରିଡ଼ା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଅନନ୍ତ ପିଳା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


