ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଉଚ୍ଚ ଶିକ୍ଷା ପ୍ରଦାନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଆବଶ୍ୟକୀୟ ଭିତ୍ତିଭୂମୀ ଅଭାବ, ଶିକ୍ଷାଦାନରେ ଅନ୍ତରାୟ ସୃଷ୍ଟି କରୁଛି। ଏହି ସବୁ ମହାବିଦ୍ୟାଳୟରେ ଭିତ୍ତିଭୂମୀର ବିକାଶ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ସଦର ବିଧାୟକ ମାନସ କୁମାର ଦତ୍ତ ରାଜ୍ୟ ଉଚ୍ଚଶିକ୍ଷା ବିଭଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ନିବେଦନ କରିବା ସହ ଏକ ଦାବିପତ୍ର ଦେଇଛନ୍ତି । ଏଥିରେ ବାଲେଶ୍ଵର ସହରର ଶୋଭାରାମପୁର ସ୍ଥିତ ବାଲେଶ୍ଵର କଲେଜ, ସୁନହଟ ସ୍ଥିତ ବଳାଙ୍ଗୀ ମହାବିଦ୍ୟାଳୟ, ଗୋପାଳ ଗାଁ ସ୍ଥିତ ମହିଳା ମହାବିଦ୍ୟାଳୟ, ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟ ପ୍ରଭୃତି ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଶ୍ରୀ ଦତ୍ତ ନିବେଦନ କରିଛନ୍ତି। ଚାରୋଟି ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକ ବହୁମୁଖୀ ଶ୍ରେଣୀ ଗୃହ, ଲବୋରେଟୋରୀ, ଲାଇବ୍ରେରୀ, ବାଉଣ୍ଡରୀ ୱାଲ, ଶୌଚାଳୟ, ଛାତ୍ରଛାତ୍ରୀମାନଙ୍କ ପାଇଁ କମନ ରୁମ, କଂଭେସନ୍ ହଲ, ସାଇକେଲ ଷ୍ଟାଣ୍ଡ, ଓପନ ଷ୍ଟେଜ ସେଡ ପ୍ରଭୃତିର ଆବଶ୍ୟକତା ରହିଛି । ଉତ୍କୃଷ୍ଟ ଶିକ୍ଷାଦାନ ନେଇ ସମ୍ପୃକ୍ତ ମହାବିଦ୍ୟାଳୟଗୁଡିକର ପ୍ରସିଦ୍ଧି ଥିବା ବେଳେ ଗ୍ରାମଂଚଳର ବହୁ ଦୁର ଦୁରାନ୍ତରୁ ଛାତ୍ରଛାତ୍ରୀ ସେଠାରେ ଶିକ୍ଷା ଗ୍ରହଣ କରନ୍ତି ବୋଲି ବିଧାୟକ ଶ୍ରୀ ଦତ୍ତ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଏହା ସହିତ ମହାବିଦ୍ୟାଳୟ ପାଇଁ ଏକ ଖେଳ ପଡିଆର ଆବଶ୍ୟକତା ଥିବା ବେଳେ ଏହାକୁ ଅଗ୍ରାଧିକାର ଭାବେ ପୁରଣ ପାଇଁ ସେ ଦାବି କରିଛନ୍ତି । ଏକ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ମହାବିଦ୍ୟାଳୟଗୁଡ଼ିକର ଆବଶ୍ୟକୀୟ ଭିତ୍ତିଭୂମୀ ବିକାଶରେ ଶିକ୍ଷାବିଭାଗର ଅନୁଦାନ ପ୍ରଦାନ ନିମନ୍ତେ ବିଧାୟକ ଶ୍ରୀ ଦତ୍ତ ନିବେଦନ କରିଛନ୍ତି ।