ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ୱେ ଡେରାବିଶି ତହସିଲଦାର ଜମି ଚିହ୍ନଟ ନକରିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):  ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ୱେ ଡେରାବିଶି ତହସିଲଦାର ଜମି ଚିହ୍ନଟ କରୁନଥିବାରୁ ତାହାର ପ୍ରତିବାଦରେ ଏକ ପରିବାର ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯାଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ଡେରାବିଶି ତହସିଲ ଅନ୍ତର୍ଗତ ବସୁପୁର ଗ୍ରାମର ପଦ୍ମଚରଣ ବାରିକଙ୍କ ପୁଅ ନାରାୟଣ ବାରିକ ଅଭିଯୋଗ କରିଛନ୍ତି ଯେ ବସୁପୁର ମୈାଜାର ଖାତା ନମ୍ବର -୩୫୩ ଓ ପ୍ଲଟ ନମ୍ବର – ୧୩୬ ଘରବାରି ଜମିକୁ ଚିହ୍ନଟ କରିବା ପାଇଁ ନାରାୟଣ ଗତ ୨୦୧୮ ମସିହା ଜୁନମାସ ୨୮ତାରିଖରେ ଡେରାବିଶି ତହସିଲରେ ଦରଖାସ୍ତ ଦାଖଲ କରିବା ସହ ୟୁଜର ଫିସ ଦେଇ ରସିଦ ହାସଲ କରିଥିଲେ । କିନ୍ତୁ ତହସିଲ ପକ୍ଷରୁ ସେହି ଜମିକୁ ଚିହ୍ନଟ କରାନଯିବାରୁ ସେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ । ଗତ ୨୦୧୯ମସିହା ସେପ୍ଟେମ୍ବରମାସ ୨୪ତାରିଖରେ ଉଚ୍ଚ ନ୍ୟାୟାଳୟ ଡେରାବିଶି ତହସିଲଦାରଙ୍କୁ ୬ମାସ ମଧ୍ୟରେ ସେହି ଜମି ଚିହ୍ନଟ କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଡେରାବିଶି ତହସିଲଦାର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ମଧ୍ୟ ମାନିଲେ ନାହିଁ । ଯଦ୍ୱାରାକି ନାରାୟଣ ପୁନର୍ବାର ଉଚ୍ଚ ନ୍ୟାୟାଳୟରେ ଡେରାବିଶି ତହସିଲଦାରଙ୍କ ବିରୋଧରେ କଂଟେମେଂଟ କେଶ ଦାୟରକରିଥିଲେ । ସେହିମାମଲାର ବିଚାର କରି ୪୫ଦିନ ମଧ୍ୟରେ ତାଙ୍କ ଜମିକୁ ଡେରାବିଶି ତହସିଲଦାର ଚିହ୍ନଟ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେବି ତାହା କାର୍ଯ୍ୟକାରୀ ହେଲାନାହିଁ । ତେଣୁ ନାରାୟଣ ଏସମ୍ପର୍କରେ ଗତ ଅକ୍ଟୋବରମାସ ୧୩ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ଜିଲ୍ଲାପାଳ ତହସିଲଦାରଙ୍କୁ ଏକ ଜରୁରୀ ଆଦେଶରେ ଜମି ଚିହ୍ନଟ କରିବାକୁ ନିର୍ଦେଶ ଦେଲେ । କିନ୍ତୁ ଏସବୁ ପରେବି ନାରାୟଣଙ୍କ ଜମି ଚିହ୍ନଟ ନହେବାରୁ ସେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ବାଧ୍ୟ ହେଲେ । ଜମି ଚିହ୍ନଟ ନହେବାରୁ ନାରାୟଣଙ୍କୁ ସରକାରଙ୍କ ପକ୍କାଗୃହ ଯୋଜନାରେ ମିଳିଥିବା କାର୍ଯ୍ୟାଦ୍ଦେଶ ଓ ଅର୍ଥ ଯୋରିମାନା ସହ ଫେରସ୍ତ କରିବାକୁ ପଡିବ ଏବଂ ସେ ବହୁ ଅସୁବିଧାର ସମ୍ମୁଖିନ ହେବେ ବୋଲି କହିଛନ୍ତି । ତହସିଲଦାରଙ୍କ ଭଳି ଜଣେ ଏକଜିକ୍ୟୁଟିଭ ମ୍ୟାଜିଷ୍ଟେଟ ଯଦି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଏଭଳି ଭାବରେ ବେଖାତିର କରି ଜଣେ ଗରିବ ଅସହାୟ ଲୋକକୁ ହଇରାଣ କରନ୍ତି ତେବେ ସାଧାରଣ ନ୍ୟାୟ ପ୍ରଦାନ ବ୍ୟବସ୍ଥା କିଭଳି ଜିଲ୍ଲାରେ ଚାଲିଛି ତାହା ସହଜରେ ଅନୁମେୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ