ଉଚ୍ଚ ନ୍ୟାୟାଳୟର ଆଦେଶକୁ ଅମାନ୍ୟ, ରାତ୍ରରେ ଚାଲିଛି ନିର୍ମାଣ କାର୍ଯ୍ୟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରଶାଦ ପଣ୍ଡା) ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଦେଶକୁ ଗଜପତି ଜିଲ୍ଲାରେ ଅମାନ୍ୟ କରାଯାଇ ରାତ୍ର ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହୁଥିବା ଅଭିଯୋଗ ହୋଇଛି । ନ୍ୟାୟାଳୟର ଆଦେଶକୁ ଅବମାନନା କରିବା ଦଣ୍ଡନୀୟ ଅପରାଧ ବୋଲି ଅଭିଯୋଗ କରାଯାଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଠାରୁ ରାମଚନ୍ଦ୍ରପୁର ରାସ୍ତା ପର୍ଯ୍ୟନ୍ତ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରୀନାଥ ସାହୁଙ୍କ ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ ସକାଶେ ବିଭିନ୍ନ ସାମଗ୍ରୀ ଯଥା ମାଟି,ଗୋଡି,ବାଲି ଆଦି ପକାଯାଇ ଠିକାଦାର ରାସ୍ତା ନିର୍ମାମ କରୁଥିବା ଅଭିଯୋଗ ହୋଇଛି । ଏହା ପୁର୍ବରୁ ଏନେଇ ତାଙ୍କ ବଡ ଝିଅ ମିନାକ୍ଷୀ ସାହୁ,ପୁଅ କୁନା କୁମାର ସାହୁ ଓ ମନୋଜ ସାହୁ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ତହସିଲଦାର,ମୁଖ୍ୟ ଶାସନ ସଚିବ,ପୁର୍ତ୍ତବିଭାଗର ନିର୍ବହୀ ଯନ୍ତ୍ରୀ ଓ ଠିକା କମ୍ପାନିର ମୁଖ୍ୟଙ୍କୁ ଲିଖିତ ଜଣାଇଥିଲେ । ବତ୍ତମାନ ସେମାନେ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଚିଠି ନଂ ଡବ୍ଲୁ.ପି.(ସି)୮୪୭୩ ୨୦୧୯ର ୧/୫/୨୦୧୯ଆଦେଶ ଅନୁଶାରେ ରାସ୍ତା ପ୍ରଶସ୍ତି କରଣ କାମ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି । ଅଥଚ ଉଚ୍ଚ ନ୍ୟାୟାଳୟର ଆଦେଶକୁ ଅବମାନନା କରି ସମ୍ପୃକ୍ତ ଠିକାଦାର ରାତି ଅଧିଆ କାମ ଚାଲୁ ରଖିଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରୀ ମାନେ ଜଣାଇଛନ୍ତି ଯେ,ଆମ ପୈତୃକ ଗ୍ରାମ ଗାରବନ୍ଧରୁ ରାମଚନ୍ଦ୍ରପୁର ରାସ୍ତା ପର୍ଯ୍ୟନ୍ତ ରହିଥିବା ବ୍ୟକ୍ତିଗତ ଜମି ଗୁଡିକରେ ଠିକା ସଂସ୍ଥା କପିଳାଶ ଇନ୍ଫ୍ରା ରାସ୍ତା ପ୍ରସସ୍ତି କରଣ କାର୍ଯ୍ୟରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ପକାଇବା ସହ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆମର ବିନା ଅନୁମତିରେ ଏବଂ ତହସିଲଦାରଙ୍କ ବିନା ନିର୍ଦ୍ଦେଶରେ ମାଟି,ଚିପ୍ସ,ବାଲି ପକାଇ କାର୍ଯ୍ୟ କରୁଛନ୍ତି । ଏସମ୍ପର୍କରେ ସ୍ୱର୍ଗତ ବିଧାୟକ ସାହୁଙ୍କ କନିଷ୍ଠ ପୁତ୍ର ମନୋଜ କହିଛନ୍ତି ଯେ ଠିକାଦାର,ତହସିଲଦାର,ପୁର୍ତ୍ତ ବିଭାଗର କତୃପକ୍ଷ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ସେମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅବମାନନା କରୁଛନ୍ତି । ଆମର ବ୍ୟକ୍ତିଗତ ଚାଷ ଜମିରେ ସୀମା ନିର୍ଦ୍ଧାରଣ କରିବା,ବିନା ନୋଟିସରେ ରାସ୍ତା ପ୍ରଶସ୍ତି କରଣ ନାମରେ ଜମି ଗୁଡିକୁ ଅଧିଗ୍ରହଣ କରି କାମ କରିବା ବେ ଆଇନ ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣୁନାହାଁନ୍ତି । ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟ ବନ୍ଦ କରିବାକୁ ମନୋଜ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ