ଉଚ୍ଚ ନ୍ୟାୟାଳୟ ତତ୍ତ୍ୱାବଧାନରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦଳିତ ନେତୃବୃନ୍ଦଙ୍କ ଦାବି

ଭୁବନେଶ୍ୱର : ଆଜି ଭୁବନେଶ୍ୱର ବୁଦ୍ଧମନ୍ଦିରଠାରେ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଓ ସାଥୀଙ୍କ ବିରୁଦ୍ଧରେ ହୋଇଥିବା ଦୁଇଟି ଦଳିତ ନିର୍ଯ୍ୟାତନା ମାମଲାର ତଥ୍ୟ ଅନୁସନ୍ଧାନ ଦଳଙ୍କ ତଥ୍ୟ ଅନୁସନ୍ଧାନ ରିପୋର୍ଟ ଉପସ୍ଥାପନ କରାଯାଇଥିଲା ଏବଂ ଏଥିରେ ରାଜ୍ୟର ବିଭିନ୍ନ ଦଳିତ ସଂଗଠନ ନେତୃବୃନ୍ଦମାନେ ଅଂଶଗ୍ରହଣ କରି ନିଜର ମତାମତ ପ୍ରଦାନ କରିଥିଲେ । ସେମାନେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ରାଜ୍ୟରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟରେ ଦୁର୍ନୀତି ଓ ଅନିୟମିତତା ସମ୍ପର୍କିତ ତଥ୍ୟ ଲୋକଲୋଚନକୁ ଆଣିବା ସହ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି । ଏଥିସହିତ ରାଜ୍ୟ ପ୍ରଶାସନରେ ଥିବା ବହୁ ବଡ଼ ବଡ଼ ପ୍ରଶାସନିକ ଅଧିକାରୀଙ୍କର ଦୁର୍ନୀତି ସେମାନେ ଲୋକଲୋଚନକୁ ଆଣିପାରିଛନ୍ତି । ତେଣୁ ସେମାନେ ଅତିଷ୍ଠ ହୋଇ ରାଜ୍ୟର ଦୁର୍ନୀତିଗ୍ରସ୍ତ ପ୍ରଶାସନିକ କୁଚକ୍ରିଗୋଷ୍ଠୀ ଦଳିତ ମହିଳାଙ୍କୁ ପ୍ରବର୍ତ୍ତାଇ ସୂଚନା ଅଧିକାର ଅଭିଯାନର ଲଢୁଆ ସାଥୀମାନଙ୍କୁ ଦମନ କରିବା ପାଇଁ ଯୋଜନାବଦ୍ଧ ଭାବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶାର ବିଭିନ୍ନ ଥାନାରେ ମିଥ୍ୟା ମାମଲା ରୁଜୁ କରେଇଛନ୍ତି । ନିକଟରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ଆଗଧାଡ଼ିର ସାଥୀମାନଙ୍କ ବିରୁଦ୍ଧରେ ଦୁଇ ଦୁଇଟି ଦଳିତ ମହିଳା ନିର୍ଯ୍ୟାତନା ମାମଲା ତରବରିଆ ଭାବେ ରୁଜୁ କରି ମିଥ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ତନାଘନା ଚଳାଇଛନ୍ତି । ଗତ ତା ୧୦.୦୯.୨୦୨୧ରିଖରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୧୧ ଜଣିଆ ତଥ୍ୟାନୁସନ୍ଧାନକାରୀ ଗୋଷ୍ଠୀ ଦୁଇ ଅଭିଯୋଗକାରିଣୀ ତଥା ଶ୍ରୀ ସୁନେଇ ଭୋଇ ଓ ଶ୍ରୀମତୀ ଲିପ୍ସା ନାୟକଙ୍କ ଗ୍ରାମ ପୂବାଗଡ଼ ଓ ଦରଡ଼ାକୁ ଯାଇଥିଲେ । ତଥ୍ୟ ଅନୁସନ୍ଧାନକାରୀଙ୍କୁ ମିଳିଥିବା ତଥ୍ୟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଆଜି ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଅନୁସନ୍ଧାନକାରୀ ଦଳର ବିଶିଷ୍ଟ ଦଳିତ ନେତା ଶ୍ରୀ ଅଶୋକ ମଲ୍ଲିକ, ସୂଚନା ଅଧିକାର କର୍ମୀମାନଙ୍କ ବିରୋଧରେ କିଭଳି ଦଳିତ ମହିଳାମାନେ ମିଥ୍ୟା ମୋକଦ୍ଦମା କରିଛନ୍ତି, ତାଙ୍କର ଅନୁଭୂତି ଉପସ୍ଥାପନା କରିଥିଲେ । ଏହା ସହିତ ଓଡ଼ିଶାର ବିଭିନ୍ନ ଦଳିତ ସଂଗଠନର ନେତୃତ୍ୱମାନେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିକ୍ରିୟା ରଖିଥିଲେ କି ଗୋଟେପଟେ ସୂଚନା ଅଧିକାର ଆଇନ ୨୦୦୫ ଏବଂ ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି (ନିର୍ଯ୍ୟାତନା ନିବାରଣ ସଂଶୋଧନ ଆଇନ ୨୦୧୫) ଦୁଇଟି ବଳିଷ୍ଠ ଆଇନକୁ ନଷ୍ଟ କରିବା ପାଇଁ ରାଜ୍ୟ ପ୍ରଶାସନରେ ଥିବା କୁଚକ୍ରି ଗୋଷ୍ଠୀମାନେ ସେମାନଙ୍କର ଷଡ଼ଯନ୍ତ୍ର ଜାରି ରଖିଛନ୍ତି । ଅଂଶଗ୍ରହଣ କରିଥିବା ନେତୃତ୍ୱମାନେ ପ୍ରକାଶ କଲେ କି ଏସ୍‌ସ, ଏସ୍‌ଟି ନିର୍ଯ୍ୟାତନା ନିବାରଣ ଆଇନଟି ବହୁ ସଂଘର୍ଷ ଓ ଆନ୍ଦୋଳନ ପରେ ଦଳିତମାନଙ୍କ ଆତ୍ମସମ୍ମାନ ଓ ସୁରକ୍ଷା ପାଇଁ କାର୍ଯ୍ୟକାରୀ ହୋଇଥିବା ବେଳେ ଭାରତବର୍ଷର ଶତକଡ଼ା ୨୫ଭାଗ ଏସ୍‌ସି, ଏସ୍‌ଟି ମାନଙ୍କର ବ୍ୟାପକ କ୍ଷତି ହେବ ଏବଂ ସୂଚନା ଅଧିକାର ଆଇନ ସାଧାରଣ ଲୋକମାନଙ୍କୁ ନ୍ୟାୟ ଦେବା ଓ ରାଜକୋଷର ସଠିକ୍ ବିନିଯୋଗ କରି ବିକାଶକୁ ତ୍ୱରାନ୍ୱିତ କରୁଥିବା ବେଳେ ଏହି ଆଇନରେ କାମ କରୁଥିବା ଆଗଧାଡ଼ିର ନେତୃତ୍ୱମାନଙ୍କ ମୁହଁ ଯଦି ବନ୍ଦ କରାଯାଏ ତେବେ ସମଗ୍ର ରାଜ୍ୟବାସୀଙ୍କ ଅମାପ କ୍ଷତି ହେବ ବୋଲି ଆଶା କରାଯାଉଛି । ତେଣୁ ଦଳିତ ନେତୃତ୍ୱମାନେ ଗଣମାଧ୍ୟମ ଜରିଆରେ ମିଳିତ ଭାବେ ଦାବି ଉପସ୍ଥାପନ କରି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସ୍‌ଆଇଟି ଗଠନ କରି ଏହି ଦୁଇଟି ମାମଲାର ନିରପେକ୍ଷ ତଦନ୍ତ କରାଯିବା ସହିତ ତରବରିଆ ଭାବରେ ଏହି ମାମଲାକୁ ବିନା ପ୍ରାଥମିକ ତଦନ୍ତରେ ଘଣ୍ଟାଏ ମଧ୍ୟରେ ପଞ୍ଜିକରଣ କରିଥିବା ପୋଲିସ୍ ପଦାଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ । ଯଦି ରାଜ୍ୟ ସରକାର ଏହି ଦାବିଗୁଡ଼ିକୁ ଗ୍ରହଣ କରି କାର୍ଯ୍ୟକାରୀ ନ କରନ୍ତି ତେବେ ଆଗାମୀ ଦିନରେ ସମସ୍ତ ଦଳିତ ସଂଗଠନ ମିଳିତ ଭାବରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଦଳିତ ମହାସଭାରର ରାଜ୍ୟ ସଭାପତି ଅଶୋକ ମଲ୍ଲିକ, ଦୁର୍ନୀତି ବିରୋଧୀ ମହାସଂଘର ସଭାପତି ତଥା ଓବିସି, ଏସ୍‌ଟି, ଏସ୍‌ସି ସମନ୍ୱୟ ସମିତିର ସଭାପତି କଳାହାଣ୍ଡିର ଶ୍ରୀ ବିନ୍ଦୁ ମହାନନ୍ଦ, ସାମାଜିକ ସମତା ଅଭିଯାନର କାଳନ୍ଦି ମଲ୍ଲିକ ଯାଜପୁର, ଆମ୍ବେଦକର ଲୋହିଆ ବିଚାରମଞ୍ଚର ନବକିଶୋର ଦାସ, ରାଷ୍ଟ୍ରୀୟ ଆମ୍ବେଦକର ସ୍ମୃତି ପରିଷଦର ପ୍ରମୋଦିନୀ ମଲ୍ଲିକ, ଆମ୍ବେଦକର ବିଚାର ମଞ୍ଚର ଦୈତାରୀ ନାଏକ ଓ ଦଳିତ ସାମାଜିକ କର୍ମୀ କେନ୍ଦ୍ରାପଡ଼ାର ରୀନା ମଲ୍ଲିକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ