ଉଜାଲା ଗ୍ୟାସ ଯୋଜନାରେ ବ୍ୟାପକ ଅନିୟମିତତା, ଗ୍ୟାସ ନପାଇ ମଧ୍ୟ ଆସୁଛି ଟଙ୍କା, ଟାଙ୍କି ଚୁଲା ନେଲା କିଏ ?
ହାଟଡ଼ିହି (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ଉଜାଲା ଗ୍ୟାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ହିତାଧିକାରୀମାନେ ଉଜାଲା ଯୋଜନାରେ ଗ୍ୟାସ ପାଇଁ ଆବେଦନ କରିଥିବାବେଳେ ଗ୍ୟାସ ଟାଙ୍କି ଓ ଚୁଲା ପାଇନଥିବାବେଳେ ଏବେ ସେମାନଙ୍କ ଏକାଉଣ୍ଟକୁ ଟଙ୍କା ଆସିବାପରେ ସେମାନେ ଗ୍ୟାସ କଞ୍ଜୁମର ହୋଇଥିବା ଜାଣିବାକୁ ପାଇବାପରେ ସେମାନଙ୍କ ଟାଙ୍କି ଓ ଚୁଲା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ସେମାନେ ଆନନ୍ଦପୁର ଉପଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଉ କିଛି ହିତାଧିକାରୀ ଗ୍ୟାସ ଟାଙ୍କି ଓ ଚୁଲା ପାଇଥିଲେବି ସେମାନଙ୍କୁ ବହି ଦିଆଯାଇ ନଥିବାରୁ ସେମାନଙ୍କ ଗ୍ୟାସ ରିଫିଲିଙ୍ଗ ଓ ଟଙ୍କା ଉଠାଇବାରେ ଅସୁବିଧା ଭୋଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ବିପିଏଲ ଲୋକମାନଙ୍କୁ ଉଜାଲା ଯୋଜନାରେ ସାମିଲ କରିବାପାଇଁ କିଛି ଗ୍ୟାସ ବିତରକ ସଂସ୍ଥା ଦଲାଲ ମାନଙ୍କ ମାଧ୍ୟମରେ ଆଧାରକାର୍ଡ, ବ୍ୟାଙ୍କ ପାସବହି, ଫଟ, ଇଲେକଟ୍ରିକ ବିଲ ସଂଗ୍ରହ କରି ନେଇଥିଲେ । ଏପରିକି କିଛି ହିତାଧିକାରୀ ଗ୍ୟାସ ପାଇବା ଆଶାରେ ମଧ୍ୟ ୫ଶହ ଲେଖାଏଁ ଟଙ୍କା ଲାଞ୍ଚ ଆକାରରେ ମଧ୍ୟ ଦେଇଥିଲେ । ସେମାନଙ୍କୁ ବିଦ୍ୟାଧରପୁର ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥାରେ ପଞ୍ଜିକୃତ କରାଇ ଗ୍ୟାସ ଯୋଗାଇ ଦେବାକୁ କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗ୍ୟାସ ହେଲାନି ବୋଲି ସେମାନଙ୍କୁ କହିଥିଲେ । ଏବେ କରୋନା ପାଇଁ ଭାରତ ସରକାର ପ୍ରତ୍ୟେକ ଉଜ୍ଜାଲା ହିତାଧିକାରୀଙ୍କୁ ତିନୋଟି ସିଲିଣ୍ଡର ମାଗଣାରେ ଦେବାପାଇଁ କହିବାପରେ ସେମାନଙ୍କ ମୋବାଇଲକୁ ମେସଜ ଆସିବାରୁ ସେମାନେ କଞ୍ଜୁମର ହୋଇଥିବା ଜାଣିବାକୁ ପାଇଛନ୍ତି । ମେସେଜ ଆସିବାପରେ କିଛି ହିତାଧିକାରୀ ବିଦ୍ୟାଧରପୁର ଇଣ୍ଡେନ ବିତରକଙ୍କୁ ଭେଟି ସେମାନଙ୍କ ଗ୍ୟାସ କନେକସନ କଥା ପଚାରିବାରୁ ସେ କନେକସନ ପାଇଁ ଟଙ୍କା ମାଗୁଥିବା ବରାଙ୍ଗ ଗ୍ରାମର ହେମଲତା ବାରିକ ଅଭିଯୋଗ କରିଛନ୍ତି । ସେହିପରି ଗୀତାଞ୍ଜଳୀ ଜେନା, ପଦ୍ମାବତୀ ଜେନା, ବନଲତା ଜେନା, ପ୍ରମିଳା ଧଳ, ଛବିରାଣୀ ରଥ, ବାସନ୍ତୀ ନାୟକ, ରଶ୍ମୀତା ଜେନା,ଉର୍ବସୀ ଜେନା, ରୁପାରାଣୀ ଜେନା, ତୁଳସୀ ଜେନା, ଶାନ୍ତିଲତା ମହାରଣା, ଏଲିନାରାଣୀ ଜେନା, ସ୍ୱର୍ଣ୍ଣଲତା ରାଉତ, ଲକ୍ଷ୍ମୀ ଶଙ୍ଖୁଆ, ଦୀପାଞ୍ଜଳୀ ବିଶ୍ୱାଳ, ରବି ଜେନା, ହେମଲତା ବାରିକ, ସୁକାନ୍ତୀ ରାଉତ, ରୁକ୍ମଣୀ ଜେନା, ପାକନ ଜେନା, ପ୍ରମିଳା ଧଳଙ୍କ ସମେତ ପନ୍ଦାଡୋ, ତେନ୍ତୁଲିପଦି, ଦୁଡୁଗାଁ, ବରାଙ୍ଗ, ସୁନ୍ଦରାପାଳ, କଣିଆରୀ, ଢ଼େଙ୍କା, ଜମ୍ଭୀରା, ସମଣା, ଧନୁର୍ଜୟପୁର, ନୁଆସାହି, କୁଶ ଟିକିରି ଆଦି ଗ୍ରାମର ଶତାଧିକ ହିତାଧିକାରୀ ଏପରି ସମାନ ଅଭିଯୋଗ ମାନ ଆଣିଛନ୍ତି । ସେମାନେ ଏନେଇ ଉଜ୍ଜାଲା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେବି କୌଣସି ସୁଫଳ ନମିଳିବାରୁ ସେମାନେ ଏନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଉପଖଣ୍ଡ ଯୋଗାଣ ଅଧିକାରୀ ବୁଦ୍ଧଦେବ ଜେନା ଆଧାରକାର୍ଡ ନମ୍ବର ଦେଇ ଅଭିଯୋଗ କରନ୍ତୁ ମୁଁ ଉପଜଲାପାଳଙ୍କ ସହିତ କଥା ହୋଇ ତଦନ୍ତ କରିବୁ ବୋଲି କହିଛନ୍ତି । ଏହି ଯୋଜନାରେ ହାଟଡିହି ବ୍ଲକର ହଜାର ହଜାର ହିତାଧିକାରୀ ଠକାମୀର ଶିକାର ହୋଇଥିବା କୁହାଯାଉଛି । ଏ ସମ୍ପର୍କରେ ବିଦ୍ୟାଧରପୁର ଇଣ୍ଡେନ ଗ୍ୟାସ ପରିଚାଳକଙ୍କୁ ପଚାରିବାରେ ସେ ଏପରି ଅଭିଯୋଗ ମୁଁ ପାଇନାହିଁ । ଯଦି କାହାର ଏପରି ହୋଇଛି ସେମାନେ ଆଧାରକାର୍ଡ ଧରି ଆସି ଅଭିଯୋଗ କଲେ ତାଙ୍କର କଣ ହୋଇଛି ଜଣାପଡନ୍ତା ବୋଲି କହିଛନ୍ତି । କିଛି ଲୋକ ବହି ନେଇନଥିବାବେଳେ ଆମେ ସେମାନଙ୍କ ବହିକୁ ଏବେ ଇସୁ କରୁଛି ବୋଲି ମଧ୍ୟ କହିଛନ୍ତି । ଖାଲି ଏହି ଗ୍ୟାସ ବିତରକ ସଂସ୍ଥା ନୁହଁ ଅନ୍ୟ ଗ୍ୟାସ ବିତରକଙ୍କ ନାମରେ ମଧ୍ୟ ସମାନ ଅଭିଯୋଗ ଆସୁଛି । ଉଜ୍ଜାଲା ଯୋଜନାରେ ବଡଧରଣର ହରିଲୁଟ ହୋଇଥିବା ଓ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହି ଘୋଟାଲାର ପର୍ଦ୍ଦାଫାସ ହୋଇପାନ୍ତା ବୋଲି ହିତାଧିକାରୀ ମାନେ ଦାବି କରିଛନ୍ତି ।