ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଆଉ ୩ମାସ ମାଗଣା ଗ୍ୟାସ ମିଳିବ

ନୂଆଦିଲ୍ଲୀ : ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସୁବିଧା ଯୋଗାଇ ଦେବା ସଂକ୍ରାନ୍ତ ସମୟ ସୀମା ୩ମାସ ବଢିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ପ୍ରସ୍ତାବ ଦିଆଯାଇଥିଲା । ତଦନୁସାରେ ୧ଜୁଲାଇ ୨୦୨୦ଠାରୁ ୩ ମାସ ପାଇଁ ଏହ ସମୟ ମିଆଦ ବୃଦ୍ଧି ପାଇଛି । ସାଂପ୍ରତିକ କରୋନା ମହାମାରୀ ଯୋଗୁଁ ଦେଶର ଯେଉଁ ଅତି ଦରିଦ୍ର ପରିବାର ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜ ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ସଂଯୋଗ ନେଇଥିବା ଗରିବ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଉଜ୍ଜ୍ୱଳା ହିତାଧିକାରୀମାନଙ୍କୁ ଗତ ଏପ୍ରିଲ ୧ ତାରିଖଠାରୁ ୩ ମାସ ଲାଗି ମାଗଣାରେ ଏଲ୍‌ପିଜି ରିଫିଲ୍‌ ସୁବିଧା ମିଳିଛି । ଏହି ଯୋଜନାରେ ୯୭୦୯.୮୬କୋଟି ଟଙ୍କା ଉଜ୍ଜ୍ୱଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏପ୍ରିଲ, ମେ, ଜୁନ ୩ମାସ ପାଇଁ ପ୍ରେରଣ କରାଯାଇଛି । ଏହାଛଡା ଏହି ସମୟ ମଧ୍ୟରେ ହିତାଧିକାରୀ ୧୧.୯୭ କୋଟି ଗ୍ୟାସ ସିଲିଣ୍ଡର ପାଇଛନ୍ତି । ଏହି ମହାମାରୀ କାଳରେ ସଂପୃକ୍ତ ଯୋଜନା ଏହି ଗରିବବର୍ଗର ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଯୋଜନାର ସମୀକ୍ଷାରୁ ଜଣାପଡିଛି ଯେ ଉଜ୍ଜ୍ୱଳା ଯୋଜନାର କେତେକ ହିତାଧିକାରୀଙ୍କ ଖାତାକୁ ସରକାର ଯେଉଁ ଅଗ୍ରୀମ ଅର୍ଥ ପଠାଇଥିଲେ ତାହାକୁ ସେମାନେ ନିର୍ଦ୍ଧାରିତ ସମୟରେ ଗ୍ୟାସ୍‌ ସିଲିଣ୍ଡର କିଣିବାରେ ବ୍ୟୟ କରିପାରିନାହାନ୍ତି । ତେଣୁ ସେମାନଙ୍କୁ ସୁଯୋଗ ଦେବା ପାଇଁ ମନ୍ତ୍ରିପରିଷଦ ବୈଠକରେ ଏହି ସମୟସୀମା ବୃଦ୍ଧି କରାଯାଇଛି । ମନ୍ତ୍ରିପରିଷଦର ବୈଠକରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ସଂପୃକ୍ତ ହିତାଧିକାରୀମାନେ ଯେଉଁ ଅଗ୍ରୀମ ଅର୍ଥ ସରକାରଙ୍କଠାରୁ ଇତିମଧ୍ୟରେ ପାଇସାରିଛନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ମାଗଣା ଗ୍ୟାସ୍‌ ସିଲିଣ୍ଡର ନେଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ