ଉଠାଦୋକାନୀଙ୍କ ମହାନତା ପାଇଥିବା ଭ୍ୟାନିଟ୍ ଫେରାଇଲେ

ଭୁବନେଶ୍ୱର- : ସହିଦ ନଗର ଦୁର୍ଗାପୂଜା ମଣ୍ଡପ ପଛପଟେ ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିବା କୈଳାସ ଚନ୍ଦ୍ର ଚୌଧୁରୀ ଏକ ଭ୍ୟାନିଟ୍ ବ୍ୟାଗ ପାଇ ତୁରନ୍ତ ମା’ଦୁର୍ଗା କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଶିବ ପ୍ରସାଦ ପାତ୍ର ଓ ସମ୍ପାଦକ ବସନ୍ତ କୁମାର ରାଉତଙ୍କୁ ଜଣାଇଥିଲେ । ଏହି ଦୁଇଜଣ ବ୍ୟକ୍ତି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କୁ ଜଣାଇବା ପରେ ଶ୍ରୀଯୁକ୍ତ ସାହୁ ତୁରନ୍ତ ସହିଦ ନଗର ଥାନା ଏସିପିକୁ ଘଟଣା ବିଷୟରେ ଜଣାଇଥିଲେ । ଏସିପି ଉକ୍ତ ଭ୍ୟାନିଟ୍‌କୁ ଧରି ସହିଦ ନଗର ଥାନାକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ । ତୁରନ୍ତ ବସନ୍ତ, ଶିବ, ସତ୍ୟରଞ୍ଜନ ମହାପାତ୍ର, ଟ୍ରଷ୍ଟର ପ୍ରବୋଧ ପଣ୍ଡା, ହେମନ୍ତ ନାୟକ, ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ସହିଦ ନଗର ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ହଜିଥିବା ଭ୍ୟାନିଟ୍ ଲକ୍ଷ୍ମୀସାଗର ନିବାସୀ ସ୍ମୃତିରେଖା ମହାନ୍ତିଙ୍କର ବୋଲି ଜଣାପଡ଼ିଥିଲା । ଉକ୍ତ ଭ୍ୟାନିଟ୍‌ରୁ ମହିଳାଙ୍କ ଯୋଗାଯୋଗ ନମ୍ବର ମିଳିବାରୁ ଥାନା ଅଧିକାରୀ ଉକ୍ତ ମହିଳାଙ୍କୁ ଫୋନ କରି ଥାନାକୁ ଡ଼କାଇଥିଲେ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହିତ ସହିଦ ନଗର ଥାନାକୁ ଆସି ଉପଯୁକ୍ତ ପ୍ରମାଣ ଦେଇ ଭ୍ୟାନିଟ୍‌ରେ ଥିବା ଟଙ୍କା ସମେତ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପାଇ ଖୁସିରେ ବିଭୋର ହୋଇଯାଇଥିଲେ ଏବଂ ସେ କହିଥିଲେ ଯେ, ମୁଁ ଭାବିନଥିଲି ଯେ ମୋର ଭ୍ୟାନିଟ୍‌କୁ ମୁଁ ଫେରିପାଇବି ବୋଲି । ପରେ ମହିଳା ଜଣଙ୍କ ତାଙ୍କ ଭ୍ୟାନିଟ୍ ପାଇଥିବା ଉଠାଦୋକାନୀମାନଙ୍କୁ ସାଧୁବାଦ ଜଣାଇବା ସହିତ ଘରକୁ ଫେରିଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ସହିଦ ନଗର ଥାନା ଆଇଆଇସି ଉଠାଦୋକାନୀମାନଙ୍କୁ ପ୍ରଶଂସା କରିବା ସହ ଏହି ଭଳି ମହତ୍ କାର୍ଯ୍ୟ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ