ଉଠାଦୋକାନୀ ସୁବାସ ପାଣ୍ଡେଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ : ପ୍ରତାପ ସାହୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ପାଚେରୀ କଡ଼ରେ ସୁବାସ ପାଣ୍ଡେ ନାମକ ଜଣେ ଉଠାଦୋକାନୀ ଦୀର୍ଘ ୨୦ବର୍ଷ ଧରି ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ସୁବାସ ଲୋନ କରି ଏବଂ କିଛି ହାତ ଉଧାର ଆଣି ସେଠାରେ ବେଲ୍‌ଟ, ପ୍ଲାଷ୍ଟିକ ସାମଗ୍ରୀ, ରୁମାଲ, ଗ୍ଲୋବସ୍‌, ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଦି ବ୍ୟବସାୟ କରୁଥିଲେ । କିନ୍ତୁ ଉଠାଦୋକାନୀ ଆଇନ୍ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମାନୁନଥିବା ବିଏମ୍‌ସି, ପୋଲିସ୍ ଓ ବିଡ଼ିଏର କିଛି ଅସାଧୁ କର୍ମଚାରୀ ଗତ କିଛିଦି ଧରି ସୁବାସଙ୍କ ଦୋକାନକୁ ବାରମ୍ବାର ଭାଙ୍ଗିଦେବା ଫଳରେ ସେ ମାନସିକ ଚାପରେ ରହୁଥିଲେ । କାରଣ ପାଖରେ ପ୍ରଦର୍ଶନୀ ପଡ଼ିଆ ଥିବାରୁ ଏବଂ ପ୍ରତ୍ୟେକ ସମୟରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବାରୁ ସେଠାରେ ଲୋକଙ୍କ ଗହଳି ଲାଗି ରହୁଥିଲା ଏବଂ ସୁବାସଙ୍କର ଭଲ ରୋଜଗାର ମଧ୍ୟ ହେଉଥିଲା । ଭଲ ବେପାର ହେଉଥିବାରୁ ସେ କରିଥିବା ଲୋନ ଏବଂ ହାତ ଉଧାର ଶୁଝିବାକୁ ମଧ୍ୟ ସକ୍ଷମ ହୋଇଥିଲେ । ହେଲେ ହଠାତ୍ ଦୁଇବର୍ଷ ଧରି ମହାମାରୀ କରୋନା ଦେଖାଦେବା ଫଳରେ ସୁବାସଙ୍କ ବେପାରରେ ବାଧା ଉପୁଜିଥିଲା ଏବଂ ପୁନର୍ବାର ହାତଉଧାର କରି ନିଜର ବେପାର ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ କ୍ରମାଗତ ଭାବେ ବିଏମ୍‌ସି, ବିଡ଼ିଏ ଏବଂ ପୋଲିସ୍‌ଙ୍କ ମଳିତ ଉଦ୍ୟମରେ ସୁବାସଙ୍କ ଦେକାନକୁ ବାରମ୍ବାର ଭାଙ୍ଗିବାରୁ ସେ ଏକ ପ୍ରକାର ଭାରସାମ୍ୟ ହରାଇ ବସିଥିଲେ । ଫଳରେ ବିଏମ୍‌ସର ଅତ୍ୟାଚାର ସହି ନପାରି ସୁବାସ ରହୁଥିବା ବରଗଡ଼ ବ୍ରିଟ କଲୋନୀ ଭଡ଼ାଘରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବା ପରେ ଉଠାଦୋକାନୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ନିୟମ ଥିବାବେଳେ ଓ ମୁଖ୍ୟମନ୍ତ୍ରୀଙ୍କ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିବା ବେଳେ ବିଏମ୍‌ସିର ଅସାଧୁ କର୍ମଚାରୀମାନେ କିଭଳି ସୁବାସଙ୍କ ଦୋକାନକୁ ଉଚ୍ଛେଦ କରିଥିଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପ୍ରକାଶଥାଉକି, ଗତ ୧୨ ଦିନ ତଳେ ମାର୍କେଟ ବିଲ୍‌ଡ଼ିଙ୍ଗରେ ଜଣେ ବ୍ୟବସାୟୀ ତାଙ୍କର ଦୋକାନକୁ ବିଏମ୍‌ସି ଭାଙ୍ଗିଦେବା ଫଳରେ ସେ ମଧ୍ୟ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ଏଠାରେ ଉଲ୍ଲେଖଥାଉ କି, ଉଠାଦୋକାନୀ ସର୍ଭେରେ ସୁବାସଙ୍କ ନମା ରହିଛି ଏବଂ ସେ ଫନୀ ଓ କୋଭିଡ଼ ସହାୟତା ମଧ୍ୟ ପାଇଛନ୍ତି । ଏଲ୍‌.ଓ.ଆର. ଜରିଆରେ ସେ ବ୍ୟାଙ୍କରୁ ମଧ୍ୟ ଋଣ କରିଛନ୍ତି । ଆଜି ସୁବାସଙ୍କ ଏକାଦଶାହରେ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀ ପ୍ରତାପ କୁମାର ସାହୁ ଯୋଗଦେଇ ଅମର ଆତ୍ମାର ସଦ୍‌ଗତ କାମନା କରିବା ସହିତ ସୁବାସଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ, ସୁବାସଙ୍କ ଦୁଇଝିଅଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ପାଇଁ ଶ୍ରୀଯୁକ୍ତ ସାହୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ମା ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘର ସେ ଜଣେ ସଦସ୍ୟ ଥିଲେ । ସଂଘର ପ୍ରତିଷ୍ଠାତା ସଭାନେତ୍ରୀ ଗୀତା ବିଶ୍ୱାସ କହିଲେ ଯେ, କିଛି ଅସାଧୁ କର୍ମଚାରୀ, ଅସାଧୁ ବ୍ୟକ୍ତିମାନଙ୍କ ପାଇଁ ଆଜି ସୁବାସ ମୃତ୍ୟୁବରଣ କରିଛନ୍ତି । ସୁବାସଙ୍କୁ ରାଜ୍ୟ ସରକାର ସ୍ମାର୍ଟସିଟିରେ ତିଆରି କରାଯାଉଥିବା ଦୋକାନଟିଏ ତାଙ୍କ ପରିବାରକୁ ପ୍ରଦାନ କରାଯାଉ ଏବଂ ସୁବାସଙ୍କ ସମେତ ମାର୍କେିଟ ବିଲ୍‌ଡ଼ିଙ୍ଗରେ ମୃତ୍ୟୁବରଣ କରିଥିବା ଉଠାଦୋକାନୀଙ୍କ ମୃତ୍ୟୁ ପାଇଁ ଦାୟୀ ବିଏମ୍‌ସି କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ