ଉଠାଦୋକାନ ଉଚ୍ଛେଦ ବିରୁଦ୍ଧରେ ବିଏମ୍ସି କମିଶନରଙ୍କୁ ଭେଟିଲେ ସୁଶାନ୍ତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ କିଛିଦିନ ହେଲା ଭୁବନେଶ୍ୱର ମହାନଗର ନିଗମ ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ଦଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ, ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ଉତ୍ତର ନିର୍ବାଚନ ମଣ୍ଡଳୀରୁ ପାଖାପାଖି ୬୦ଟି ଜାଗାରୁ ୮ ହଜାରରୁ ଉର୍ଦ୍ଧ୍ୱ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲେ । ଯାହାଫଳରେ ଦୋକାନୀମାନେ ଏକ ପ୍ରକାର ଭୟ ଓ ଆତଙ୍କରେ ରହିଥିଲେ ଓ ମଧ୍ୟମର ଶହ ଶହ ଦୋକାନୀ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତରର ଶହ ଶହ ଦୋକାନୀ ବିଧାୟକ ସୁଶାନ୍ତ ରାଉତଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ । ଦୁଇ ବିଧାୟକ ଦୋକାନୀମାନଙ୍କ ଦୁଃଖ ବୁଝିବା ସହ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ସହିତ ଆଲୋଚନା କରି ମଙ୍ଗଳବାର ସକାଳ ୧୦.୩୦ ମିନିଟ୍ ସମୟରେ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ ଭେଟି ଉଠାଦୋକାନୀମାନଙ୍କୁ ଉଚ୍ଛେଦ ପରିବର୍ତ୍ତେ ସେହି ଜାଗାରେ ଥଇଥାନ କରିବା ଓ ସମ୍ପୂର୍ଣ୍ଣ ଉଚ୍ଛେଦ ବନ୍ଦ କରିବା, ଉଚ୍ଛେଦ ପୂର୍ବରୁ ବିଏମ୍ସି କମିଶନର ଯାଇ ଦୋକାନୀମାନେ ଓ ମହାସଂଘ ସହ ଆଲୋଚନା କରି ସମାଧାନ କରିବା, ନୂତନ ଟାଉନ ଭେଣ୍ଡିଂ କମିଟି ଗଠନ କରିବା, ଯେଉଁ ଉଠାଦୋକାନୀମାନେ ପରିଚୟ ପତ୍ର ପାଇନାହାଁନ୍ତି, ସେମାନଙ୍କୁ ପରିଚୟ ପତ୍ର ଓ ସାର୍ଟିଫିକେଟ ପ୍ରଦାନ କରିବା, ଥଇଥାନ ସମୟରେ ସ୍ୱଚ୍ଛତା ଅବଲମ୍ବନ କରିବା, ମାଷ୍ଟର ପ୍ଲାନରେ ଉଠାଦୋକାନୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଏବଂ ଉଚ୍ଛେଦ ସମୟରେ ଯେଉଁ ସଂଘ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଦେଖାଉଛନ୍ତି, ତାକୁ ବିଏମ୍ସି କର୍ମଚାରୀ ସମ୍ମାନ ଦେବା ଆଦି ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରଥମେ ଉଚ୍ଛେଦ ବନ୍ଦ କରି ସେମାନଙ୍କୁ ସେହି ଜାଗାରେ ଭେଣ୍ଡିଂଜୋନ ପ୍ରଦାନ କରିବାକୁ ଦୁଇ ବିଧାୟକ କମିଶନରଙ୍କ ସହିତ ଆଲୋଚନା କରିଥିଲେ । କମିଶନର ଶ୍ରୀଯୁକ୍ତ ପାଟିଲ କହିଲେ ଯେ, ଜୀବନ ଜୀବିକା ହେଉଛି ଉଠାଦୋକାନୀ ମାନଙ୍କର ଅଧିକାର, ସେମାନଙ୍କ ଅଧିକାରକୁ କେହି ଛଡ଼ାଇ ନେଇପାରିବେ ନାହିଁ । ବିଏମ୍ସି ସବୁବେଳେ ଉଠାଦୋକାନୀ ମାନଙ୍କ ସହିତ ଅଛି, ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ସହିତ ହାତ ମିଳାଇ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯିବ । ଏହି ଆଲୋଚନାରେ ବିଏମ୍ସିର ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମହାସଂଘର ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ, ସୂର୍ଯ୍ୟମଣି ସାହୁ, ବିପିନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।