ଉଠା ଜଳସେଚନ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ୯ ଓ ୧୦ରେ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଉଠା ଜଳସେଚନ ନିଗମ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଚଳିତ ମାସ ୯ ଓ ୧୦ ତାରିଖ (ଶନିବାର ଓ ରବିବାର) ଦିନ ଦୁଇଦିନ ବ୍ୟାପୀ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ଅନୁଷ୍ଠିତ ହେବ । ପ୍ରଥମ ଦିନର ଅଧିବେଶନରେ ଶତାଧିକ ପ୍ରତିନିଧି ଓ ୨ୟ ଦିନର ସାଧାରଣ ସଭାରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରୁ ୫ ଶହରୁ ଅଧିକ ସଭ୍ୟ ଯୋଗଦେବେ । ସାଧାରଣ ସଭାରେ ଅତିଥି ଓ ବକ୍ତାଭାବେ ଏଆଇଟିୟୁସିର ରାଜ୍ୟ ସଭାପତି ଅଶୋକ ଦାଶ, ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ଫେଡେରେସନ୍ର ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଇପିଏଫ୍ ପେନସନର୍ସ ଆସୋସିଏସନ୍ ରାଜ୍ୟ ସଂପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ପ୍ରମୁଖ ଯୋଗଦେବେ ଓ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବିଧାୟକ ସ୍ୱରୂପ କୁମାର ଦାସ ସାଧାରଣ ସଭାରେ ଅତିଥି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ ଅଭିଭାଷଣ ଦେବେ । ଏହି ଉତ୍ସବରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଭାତୃପ୍ରତିମ ସଂଘର ପ୍ରତିନିଧିମାନେ ଯୋଗ ଦେବାକୁ ନିବେଦନ କରାଯାଇଛି । ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶେଷ ପ୍ରସ୍ତୁତି ବୈଠକ ଶନିବାର ଦିନ ପୂର୍ବାହ୍ନରେ ପଢ଼ୁଆଁପଦାସ୍ଥିତ ସଂଘର ସଭାଗୃହରେ ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ସୁବର୍ଣ୍ଣ ଜୟନ୍ତୀର ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଏକ ସ୍ମରଣିକାର ପ୍ରକାଶନ ହେବ । ଦୁଇଦିନର ବିଭିନ୍ନ ଅଧିବେଶନରେ କର୍ମଚାରୀମାନଙ୍କ ସମସ୍ୟା ଉପରେ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମଜୀବୀ ଜନଗଣଙ୍କ ବିରୋଧି ଆଇନ୍ ଓ ଆଗାମୀ ଦିନରେ ଶ୍ରମିକ ଶ୍ରେଣୀର କର୍ତ୍ତବ୍ୟ ସଂପର୍କରେ ଆଲୋଚନା ହେବ ବୋଲି ଶ୍ରୀ ଜେନା ଜଣାଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ, ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀଙ୍କ ସମେତ ସର୍ବଶ୍ରୀ ଶରତ ଚନ୍ଦ୍ର ଦଳାଇ, ଶ୍ୟାମସୁନ୍ଦର ଦାସ ମହାପାତ୍ର, ମଧୁସୂଦନ ଜେନା, ବ୍ରଜ କୁମାର ପଣ୍ଡା, ନଟବର ଦେ, ଶଶଧର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପଣ୍ଡା ଓ ଅନିଲ୍ କୁମାର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶରତ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


