ଉଠା ଜଳସେଚନ କର୍ମଚାରୀ ସଂଘର ଦ୍ୱିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଉଠା ଜଳସେଚନ ନିଗମ କର୍ମଚାରୀ ସଂଘର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ସୁବର୍ଣ୍ଣ ଜୟନ୍ତୀର ଦୁଇ ଦିବସୀୟ ସମାରୋହ ଶନିବାର ଦିନ ଅପରାହ୍ନରେ ଆରମ୍ଭ ହୋଇଛି । ସଂଘର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ରତ୍ନାକର ପଣ୍ଡା ଲାଲ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ଶତାଧିକ ପ୍ରତିନିଧି ଯୋଗଦେଇ ସଂପାଦକଙ୍କ ବିବରଣୀ ଓ ଆଗାମୀ ଦିନର କାର୍ଯ୍ୟସୂଚୀ ଉପରେ ଆଲୋଚନା କରୁଛନ୍ତି । ଅତିଥି ଓ ବକ୍ତାଭାବେ ଟି.ୟୁ.ଏ.ସି.ସି.ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ଓ ସଂଘର ଉପ ସଭାପତି ତଥା ସିପିଆଇର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତିର ଦୃଢ଼ ସମାଲୋଚନା କରିଥିଲେ । ମାସିକ ମାତ୍ର ଏକହଜାର ଟଙ୍କା ଇପିଏଫ୍ ପେନ୍‌ସନ୍ ଦେଉଥିବା କେନ୍ଦ୍ର ସରକାର ତୁରନ୍ତ ଏହାକୁ ବୃଦ୍ଧି କରିବାକୁ ସେମାନେ ଦାବି କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରକାଶିତ ସ୍ମରଣିକା ‘ସଂଘର୍ଷ ଓ ତ୍ୟାଗରେ ୫୦ ବର୍ଷ’କୁ ସଂଘର ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଉନ୍ମୋଚନ କରିଥିଲେ । ସଂଘର ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ବିବରଣୀ ଓ ଆୟବ୍ୟୟ ହିସାବ ପାଠ କରିଥିଲେ । ମଧୁସୂଦନ ଜେନା ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବାବେଳେ କମଳଲୋଚନ ଜେନା ଶୋକପ୍ରସ୍ତାବ ଆଗତ କରିଥିଲେ । ମାୟାଧର ନାୟକ ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ପ୍ରତିନିଧି ଅଧିବେଶନରେ ବିଭିନ୍ନ ଭାତୃପ୍ରତିମ ସଂଘରୁ ପ୍ରତିରକ୍ଷା କର୍ମଚାରୀ ନେତା ଜଗଦୀଶ ବାରିକ, ବିଦ୍ୟୁତ୍ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ରାଜ୍ୟ ଫେଡେରେସନ୍‌ର ଉପସଭାପତି ବସନ୍ତ ଦାଶ ପ୍ରମୁଖ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ସୁବର୍ଣ୍ଣ ଜୟନ୍ତୀର ସଫଳତା କାମନା କରିଥିଲେ । ଶରତ ଚନ୍ଦ୍ର ଦଳାଇ ଧନ୍ୟବାଦ ଦେଇଥିଲେ । ଆସନ୍ତାକାଲି ସୁବର୍ଣ୍ଣ ଜୟନ୍ତୀର ସାଧାରଣ ଅଧିବେଶନରେ ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦ ଗାନ୍ଧିସ୍ମୃତି ଭବନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଓ ୩ଟି ଜିଲ୍ଲାରୁ ୫ଶହରୁ ଅଧିକ କର୍ମଚାରୀ ଯୋଗଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ