ଉଠା ଜଳସେଚନ କର୍ମଚାରୀ ସଂଘର ୫୦ ବର୍ଷ ପୂର୍ତ୍ତି ଉତ୍ସବ ଉଦ୍ଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରମିକ ଶ୍ରେଣୀ ନିଜର ଦାବି ଓ ଅଧିକାର ସଂପର୍କରେ ଅଧିକ ସଚେତନ ହେଲେ ମାଲିକ ଏବଂ ସରକାରଙ୍କଠାରୁ ଦାବି ହାସଲ ସହଜ ହେବ ବୋଲି ଓଡ଼ିଶା ଉଠା ଜଳ ସେଚନ କର୍ମଚାରୀ ଫେଡେରେସନ୍ର ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ମତବ୍ୟକ୍ତ କରିଛନ୍ତି । ବାଲେଶ୍ୱର, ମୟୁରଭଂଜ ଓ ଭଦ୍ରକ ଜିଲ୍ଲା ଉଠା ଜଳ ସେଚନ କର୍ମଚାରୀ ସଂଘର ୫୦ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀର ଉଦ୍ଯାପନ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଏହି ମତପ୍ରଦାନ କରିଛନ୍ତି । ବାଲେଶ୍ୱର ଷ୍ଟେସନ କ୍ଲବ ସଭାଗୃହରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍ଯାପନ ଉତ୍ସବର ସାଧାରଣ ସଭାରେ ସଂଘର ସଭାପତି ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ଅଲ୍ ଓଡ଼ିଶା ଇପିଏଫ୍ ପେନ୍ସନରର୍ସ ଆସୋସିଏସନ୍ର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ପ୍ରମୁଖ ଅତିଥି ଓ ବକ୍ତା ଭାବେ ଯୋଗଦେଇ ଦୀର୍ଘ ୫୦ବର୍ଷଧରି ଉଠାଜଳସେଚନ କର୍ମଚାରୀମାନେ ନିଜର ପେଟପାଟଣାର ଦାବି ସହ ବହୁ ସ।।ମାଜିକ କାର୍ଯ୍ୟରେ ସହଯୋଗ କରିଆସୁଥିବାରୁ ସେମାନେ, ସଂଘକୁ ଉଚ୍ଚପ୍ରଶଂସା କରିଥିଲେ । ଏଆଇଟିୟୁସିର ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା ସଂଘର ଲାଲ୍ ପତାକାକୁ ଉତ୍ତୋଳନ କରି କୃଷି ଓ କୃଷକମାନଙ୍କ ସ୍ୱାର୍ଥରେ ଏହି ଶ୍ରମିକମାନଙ୍କ ତ୍ୟାଗପୁତ କର୍ତ୍ତବ୍ୟ ଏବଂ ସଂଗ୍ରାମୀ ଚେତନା, ଅନ୍ୟ ଶ୍ରମିକ ସଂଗଠନପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ ।ସଂଘର ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ବିବରଣୀ ଓ ଆୟବ୍ୟୟର ହିସାବ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ନବଗଠିତ ଉଠା ଜଳ ସେଚନ ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ନାମ ସଂଘର ଉପଦେଷ୍ଟା ରତ୍ନାକର ପଣ୍ଡା ପାଠ କରିଥିଲେ ଓ ସଭାକାର୍ଯ୍ୟ ଆରମ୍ଭରେ ଅନ୍ୟତମ ଉପଦେଷ୍ଟା ମଧୁସୂଦନ ଜେନା ଶୋକପ୍ରସ୍ତାବ ଆଗତ କରିଥିଲେ । ଆଇଏନ୍ଟିୟୁସିର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ସିଆଇଟିୟୁ ନେତା ରାଜକିଶୋର ଲେଙ୍କା, ଡାକ କର୍ମଚାରୀ ନେତା ଅକ୍ଷୟ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ସଭାପତି ଇଂ. ବନମାଳୀ ନାୟକ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ସଂପାଦକ ମନୋଜ ନାୟକ, ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ, ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଓ ଅଙ୍ଗନୱାଡ଼ି ସଂଘର ଆରତୀ ଦାସମହାପାତ୍ର ପ୍ରମୁଖ ସଂଘର ୫୦ବର୍ଷ ପୂର୍ତ୍ତୀ ଉଦ୍ଯାପନ ଉତ୍ସବରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉଠାଜଳସେଚନ ନିଗମକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଇପିଏଫ୍ ର ମାସିକ ପେନସନ୍ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧି ବନ୍ଦ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ସହ-ସଂପାଦକ ଶରତଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ କମଳଲୋଚନ ଜେନା, ସମରେନ୍ଦ୍ର ଦାସ, ଭରତ ଚନ୍ଦ୍ର ସେଠୀ, ଶଶଧର ପରିଡ଼ା, ବଂଶୀଧର ନାୟକ, ଶ୍ୟାମସୁନ୍ଦର ଦାସମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ମନ୍ମଥ ପରିଡ଼ା, ଶରତ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।