ଉଠା ଦୋକାନୀମାନଙ୍କ ଦ୍ୱାରା ଜଳଛତ୍ର ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୩୫ ନମ୍ବର ଓ ୪୦ ନମ୍ବର ୱାର୍ଡ଼ରେ ଜଳଛତ୍ର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଯୋଗ ଦେଇ ପଥଚାରୀମାନଙ୍କୁ ପଣା ବଣ୍ଟନ କରିବା ସହ କୋଭିଡ଼ ବିଷୟରେ ସଚେତନ କରାଇଥିଲେ ଏବଂ ୩୫ ନମ୍ବର ୱାର୍ଡ଼ର କର୍ପୋରେଟର ରଞ୍ଜୁଲତା ରାୟ ଏବଂ ୪୦ ନମ୍ବର ୱାର୍ଡ଼ର କର୍ପୋରେଟର ଆସିଆ ବେଗମ ପ୍ରମୁଖ ଯୋଗଦେଇ ପଥଚାରୀମାନଙ୍କୁ ଲେମ୍ବୁ ସରବତ, ଥଣ୍ଡାପାଣି ବଣ୍ଟନ କରିଥିଲେ । ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଯୋଗଦେଇ ପଥଚାରୀମାନଙ୍କୁ ଓଆରଏସ୍, ଗ୍ଲୁକୋନ-ଡି ବଣ୍ଟନ କରି ଲୋକମାନଙ୍କ ତୃଷ୍ଣା ମେଣ୍ଟାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମହାନଗର ନିଗମ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ଏବଂ ମା’ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘ ୱେଲଫେୟାର ଟ୍ରଷ୍ଟର ମିଳିତ ଉଦ୍ୟମରେ ଏହି ଜଳଛତ୍ର ଖୋଲାଯାଇଥିଲା । ଏଥିରେ ସଂଗଠନ ସଭାନେତ୍ରୀ ଗୀତା ବିଶ୍ୱାସ ସମେତ ବହୁ ଉଠାଦୋକାନୀ ଯୋଗ ଦେଇଥିଲେ ।


