ଉଠିଲାଣି ପିଚୁ ଉଡିଲାଣି ଧୂଳି;ରାଜେନ୍ଦ୍ରପୁର-ଚୁଡାକୁଟି ରାସ୍ତା ଅବସ୍ଥା ଶୋଚନୀୟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ଗୁଡିକ ଏବେ ଭଗ୍ନ ଅବସ୍ଥାକୁ ଆସିଗଲାଣି । ପାଞ୍ଚବର୍ଷ ଓ ତିନିବର୍ଷ ପୂର୍ବରୁ ଯେଉଁ ରାସ୍ତା ଗୁଡିକ ନିର୍ମାଣ ହୋଇଥିଲା ରକ୍ଷଣାବେକ୍ଷଣ ଅଭାବ ଯୋଗୁ ତାହା ଏବେ ଯାତାୟତ ଅନୁପଯୋଗୀ ହୋଇଥିବା ଲକ୍ଷ୍ୟ କରାଯାଉଛି । ମିଳିଥିବା ସୂଚନା ମୂତାବକ ଭଣ୍ଡାରିପୋଖରୀ ବ୍ଲକର ରାଜେନ୍ଦ୍ରପୁର –ଚୁଡାକୁଟି ରାସ୍ତାଟି ଏବେ ଜରାଜୀର୍ଣ୍ଣ ହୋଇଗଲାଣି । ୨୦୧୫ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବାରିକପୁର ନିକଟ ଜାତୀୟ ରାଜପଥ ରାଜେନ୍ଦ୍ରପୁର ଛକ ଠାରୁ ଚୁଡାକୁଟି ଯାଏଁ ରାସ୍ତାର ନବନିର୍ମାଣ ହୋଇଥିଲା । ପୂର୍ବରୁ ୬କିଲୋମିଟର ବ୍ୟାପୀ ଉକ୍ତ ରାସ୍ତାଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ଭଣ୍ଡାରିପୋଖରୀ ଓ ଧାମନଗର ପ୍ରଶାସନ ହାତରେ ନ୍ୟସ୍ତ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଉକ୍ତରାସ୍ତାଟି ନୂତନ ରୂପରେଖରେ ନିର୍ମାଣ ହେବା ପରେ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ଚାଲିଯାଇଥିଲା । ଇତିମଧ୍ୟରେ ୫ବର୍ଷ ବିତିଯାଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଥାନରୁ ପିଚ ଉଠିବା ସହିତ ଧୂଳି ଉଡିବା ଆରମ୍ଭ କଲାଣି । ଏହି ରାସ୍ତାଦେଇ ଚୁଡାକୁଟି ଠାରୁ ଆରମ୍ଭ କରି କଲ୍ୟାଣୀ, ସୋରିଷଡିହ, ଇଚ୍ଛଦା, ବରହମପୁର, ପିରିଜିପୁର, ରାଜେନ୍ଦ୍ରପୁର, ନିର୍ଗୁଣ୍ଡି ପ୍ରମୁଖ ଗ୍ରାମର ହଜାର ହଜାର ଜନସାଧାରଣ ଦୈନନ୍ଦିନ ଯାତାୟତ କରିଥାଆନ୍ତି । ରାସ୍ତାରୁ ପିଛ ଉଠିବା କାରଣରୁ ମେଣ୍ଟାଲ ଓ ଚିପ୍ସଗୁଣ୍ଡ ବିକ୍ଷିପ୍ତ ଭାବରେ ଏଣେତେଣେ ପଡିରହୁଛି । ଯେଉଁଥିପାଇଁ ମୋଟରସାଇକେଲ କିମ୍ବା ସାଇକେଲ ଆରୋହୀଟିଏ ଗଲାବେଳେ ଅସାବଧାନତା ବସତଃ ଦୁର୍ଘଟଣାର ଶିକାର ହେଉଛି । ଏପରିକି ଚାଷୀବନ୍ଦୀ ଲୋକଟିଏ ପାଖ କ୍ଷେତରୁ ଶସ୍ୟ ଭାରଟିଏ କାନ୍ଧରେ ନେଇ ଆସିଲାବେଳେ ଅନେକ କଷ୍ଟ କରି ରାସ୍ତା ଅତିକ୍ରମ କରୁଛି । ଆଗକୁ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀମାନେ ଏହି ଜରାଜୀର୍ଣ୍ଣ ରାସ୍ତାରେ ଯାତାୟତ କରିବା ନିଶ୍ଚିତ ହୋଇଯାଇଛି । ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହା ଉପରେ ଦୃଷ୍ଟି ଦେଇ ଦୁଇଗୋଟି ବ୍ଲକର ଯାତାୟତ ଉପଯୋଗୀ ପ୍ରମୁଖ ରାସ୍ତାଟିକୁ ପୁନଃ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ