ଉଡାଣ

ସେଦିନ ରାଜଧାନୀ ଏକ୍ସପ୍ରେସର ଏସି ବଗି ଗୁଡିକ ଭିତରୁ ନିର୍ଦ୍ଦିଷ୍ଟ ରିଜରର୍ଭେସନ ସିଟ ଦୁଇଟିରେ ବସି ଦିଲ୍ଲୀ ଯାଏ ଉଡାଣ କରିବାର ଥାଏ. ଏହା ପୂର୍ବରୁ ନାଇଟକୋଚ ବସରେ ସମ୍ବଲପୁର ଯାଏଁ ଯାଇ ସେଠି ସକେଟ ହୋଟେଲରେ ବୁକ ହୋଇଥିବା ହୋଟେଲରେ ରହି ପୁଣି ସେଠୁ ଝାଡଖଣ୍ଡ ଯାଏଁ ଯାଇଥିଲେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ କୌଣସି ଏକ ଘରୋଇ କାମରେ ବୋଲି ମନେପକାଉଥିଲେ ଉପାସନା. ସେତେବେଳେ ଆଜି ପରି ଅଣନିଶ୍ଵାସୀ ଲାଗିବା ରୋଗଟା ନଥିଲା ଉପାସନାଙ୍କର . ସେହି ଚାରିକି ପାଞ୍ଚ ଦିନର ଉଡାଣ ରହଣୀ ପରେ ଫେରିଲାବେଳର ଦୃଶ୍ୟ ଥିଲା ଅତୀବ ମାର୍ମିକ. ଦୂରରୁ ଅଟୋରିକ୍ସାରେ ଅନୁପମା ଓ ସ୍ୱାମୀଙ୍କୁ ଫେରୁଥିବାର ଦେଖି ଘରର ପୋଷା ଦେଶୀ କୁକୁର,ହୁଣ୍ଡା ଦୂରରୁ ଦୌଡୁଥିଲା ଏମିତି ଯେମିତି ଉଡୁଛି. ଘୋଡା କି ହରିଣ ଏତେ କ୍ଷିପ୍ର ଗତିରେ କେଵେ ଦଉଡିନଥିବେ. ଉଡିଲା ପରି ଦଉଡି ଆସି ଅଟୋ ଭିତରକୁ କୁଦାମାରି ଗେଲ ହେଉଥିଲା ସତେକି ହଜିଲା ମଣିଷ ଫେରିପାଇଛି. ସେହି କଥା ଭାବି ରାଜାଧାନୀ ଟ୍ରେନର ଏସି ବଗିରେ ବସିପଡିବା ପରେ ଉପାସନା ଅଣନିଶ୍ଵାସୀ ହୋଇପଡ଼ିଥିଲେ ଖୁବ ତ ଦିଲ୍ଲୀରୁ ପୁଅ ଫୋନ କରୁଥିଲା ମାଆକୁ ଧରି ଘରକୁ ଫେରିଯାଅ ବାପା. ଏମିତି ଅଣନିଶ୍ଵାସୀ ଲାଗୁଥିବା ମାଆକୁ ସାଙ୍ଗରେ ଆଣିଲେ ବାଲେଶ୍ବର ପରେ ଅବସ୍ଥା ଖରାପ ହେଲେ କଣ କରିବ!ବରଂ ଟଙ୍କା ଯାଉ ପଛେ ମୁଁ ନନ ଏସିରେ ଦେଖୁଛି ଆଉ କୋଉ ଟ୍ରେନ ଦିଲ୍ଲୀକୁ ଆସୁଛି. ତା ପରେ ଉପାସନାଙ୍କୁ ନେଇ ଓଲ୍ହେଇ ପଡି ସ୍ୱାମୀ କହୁଥିଲେ ବ୍ୟସ୍ତ ହୁଅନି ଜୀଵନ ବଡ଼ ନା ଟଙ୍କା ବଡ଼!ଉପାସନା କିନ୍ତୁ ଭାବୁଥିଲେ ତାଙ୍କ ସେହି ପୁରୁଣା ପୋଷା ଦେଶୀ କୁକୁର ହୁଣ୍ଡା କଥା. ସମସ୍ତ ଅଚିହ୍ନା ଲୋକଙ୍କୁ ଘର ସାମ୍ନା ରାସ୍ତାରେ ଚଲେଇ ନଦେଇ ଭୁକିବାରୁ ମଣିଷମାନଙ୍କର ଅସୂୟାର ଶୀକାର ହେବା ଫଳରେ ଅର୍ଥାତ କିଏ ଟେକା ପକାଏ ତ କିଏ ଠେଙ୍ଗା ଉଞ୍ଚାଇ ବାଡେଇବାରୁ ହୁଣ୍ଡା ଆସ୍ତେ ଆସ୍ତେ ଟେକାର ଜବାବ ପଥରରେ ଦେବାକୁ ଯାଇ କାମୁଡି ଥିଲା ବିରୋଧୀମାନଙ୍କୁ ଆଉ ସେମାନେ କୁକୁର କାମୁଡା ଇଞ୍ଜେକ୍ସନ ପାଇଁ ଟଙ୍କା ମାଗି ନେଉଥିଲେ ସ୍ୱାମୀଙ୍କ ପାଖରୁ. ଥରେ ନୁହେଁ କି ଦିଥର ନୁହେଁ ବରଂ ଏହି ପ୍ରକ୍ରିୟାର ଗତିରୋଧ କରିବାକୁ ଯାଇ ନିଷ୍ପତ୍ତି ନିଆହେଲା କି ହୁଣ୍ଡାକୁ ଏଣିକି ଛାଡି ଦିଆଯିବନଚେତ ତ୍ରାହି ହିଁ ନାହିଁ.ବିଶ୍ୱସ୍ତ କୁକୁର ହୁଣ୍ଡାକୁ ସାଙ୍ଗରେ ଟ୍ରେନରେ ଆଣି ଜାଣିଶୁଣି ହଜାଇ ଦେଇ ଫେରି ଯାଇଥିଲେ ସ୍ୱାମୀ ଏହି ଭୁବନେଶ୍ୱର ଷ୍ଟେସନରେ. ହୁଣ୍ଡାର ଅବସ୍ଥା କଣ ହେଲା ଜଣା ନଥିଲା କିନ୍ତୁ ତା ପରଠୁ ଅଣନିଶ୍ଵାସୀ ରୋଗଟା ବାହାରି ପଡିଲା ଉପାସନାଙ୍କର. ଆଉ ଆଜି ସେହି ପ୍ଲାଟଫର୍ମରେ ବସି ଯା ଆସ କରୁଥିବା ବୁଲା ଦେଶୀ କୁକୁର ସବୁଙ୍କୁ ନିରୀକ୍ଷଣ କରୁ କରୁ ଆଖିରେ ଲୁହ ଭର୍ତ୍ତି ହୋଇଯାଉଥିଲା ବେଳେ ପୁଅ ତତ୍କାଳରେ ଦୁରନ୍ତ ନାମ୍ନୀ ନନ ଏସି ଟ୍ରେନରେ ଟିକେଟ ହୋଇଯାଇଛି କହିଲା ବେଳକୁ ଉପାସନା ବିସ୍କୁଟ କିଣି ବୁଲାକୁକୁରଙ୍କୁ ଖୁଆଇବାରେ ମଗ୍ନ ଥିଲେ. ସେହି ପ୍ଲାଟଫର୍ମ ଭିତରେ ଅପେକ୍ଷା କରି ସକାଳ ସାତରେ ଛାଡ଼ିଦେଇଥିବା ରାଜାଧାନୀ ଏକ୍ସପ୍ରେସ ପରେ ଯାଇ ଦିନ ଦୁଇଟାରେ ଦୁରନ୍ତ ଟ୍ରେନରେ ଚଢିଥିଲେ ସ୍ୱାମୀ ସ୍ତ୍ରୀ. ବସିପଡ଼ିଲା ପରେ ସ୍ୱାମୀ ବିପ୍ଳବ ପଚାରୁଥିଲେ ଏବେ କଣ ଅଣନିଶ୍ୱାସୀ ଲାଗୁଛି? ଖୋଲା ଝରକା ଆଡକୁ ଚାହିଁଥିବା ଉପାସନା ଦେଖାଇଦେଇଥିଲେ ଗୋଟେ କୁକୁରକୁ, ଯିଏ ନିଘୋଡ଼ ନିଦରେ ଶୋଇ ଯାଇଥିଲା ତାଙ୍କ ସିଟ ତଳେ. ଦିନ ଓ ରାତିର ଖାଇବାରୁ ଭାଗ ଦେଇଥିଲେ କୁକୁରକୁ ଦୁହେଁ ସ୍ୱାମୀ ସ୍ତ୍ରୀ.ଆଉ ମସଗୁଲ ହେଉଥିଲେ ନାତି ସାଇକୁ ଦେଖିବାର ସୁନେଲି ସ୍ୱପ୍ନରେ. ଦିଲ୍ଲୀରେ ଟ୍ରେନ ଲାଗିଲା ତା ଆରଦିନ ସକାଳୁ ସକାଳୁ ତ କୁକୁରଟି ଚାଲିଥିଲା ତାଙ୍କୁ ଅନୁସରଣ କରି ଆକ୍ସିଲିଏଟରରେ. ପୁଅ ଅପେକ୍ଷା କରିଥିଲା ତଳେ ଗାଡି ଧରି ତ ଉପାସନା କୁକୁରଟି କଥା ଏକାନିଶ୍ୱାସରେ କହିଲା ବେଳେ ପୁଅ କହୁଥିଲା ଆଉ ସେ ମାୟା ମମତା ଭିତରେ ନିଜକୁ ଛନ୍ଦି ବାନ୍ଧି କଷ୍ଟ ପାଆନା ମାଆ. ହୁଣ୍ଡାକୁ ଛାଡ଼ିଦେବା ପରେ ପୁଣି ତାକୁ ଖୋଜିବାକୁ ଯାଇ ମତେ ଟ୍ରେନ ମାଡିଯାଇଥାନ୍ତା ଭଳି ପରିସ୍ଥିତି ଏଯାଏଁ ଭୁଲିହେଉନି ତା ପରେ ତୋର ଏହି ଅଣନିଶ୍ୱାସୀ ହେବା ରୋଗ. ପୁଣି କୁକୁର!ହେଲେ କୁକୁର ତାଙ୍କ ଅଜଣାତରେ ତାଙ୍କ ସହ ଥିଲା. ରୁମରେ ସେମାନେ ତ ତଳେ କୁକୁର. ସେତିକି ଦିନ ରହଣୀ ଭିତରେ କୁକୁର ସହ ନାତି ସାଇ ପରି ମାୟା ଜମି ଆସିବା ବେଳେ ପୁଅ ଏଥର ଫ୍ଲାଇଟ ଟିକେଟ କରି ଆଣିଥିଲା ଫେରିବାକୁ . ସ୍ୱାମୀ ବିପ୍ଳବଙ୍କର ଫ୍ଲାଇଟରେ ଯିବା ନାମ ଶୁଣି ଘରୁ ଅଣନିଶ୍ୱାସୀ ଲାଗିବା ଆରମ୍ଭ ହୋଇଯାଇଥିଲେ ବି ଟିକେଟ କ୍ୟାନ୍ସଲ କରିବା ସପକ୍ଷରେ ନଥିଲେ ସ୍ୱାମୀ. ଉଡାଣ ଆରମ୍ଭ ହେବା ବେଳକୁ ଫୋନ ଦୁଇଟି ଏରୋପ୍ଲେନ ମୋଡ଼ ହୋଇସାରିଥିଲା ଆଉ ପୁଅ ବୋହୁ ନାତି ସହ କୁକୁରଟି ରହି ଯାଇଥିଲେ ପଛରେ. ଯନ୍ତ୍ରଣା ହେଉଥିଲା ସ୍ୱାମୀଙ୍କୁ କିନ୍ତୁ ଓଲ୍ହେଇ ଯିବାର ସମ୍ଭାବନା ନଥିଲା.ସେହି ଭୁବନେଶ୍ୱର ପ୍ଳାଟଫର୍ମରେ ଓଲ୍ହେଇ ସାରିବା ପରେ ସ୍ୱାମୀ ନାତି କଥା ବଦଳରେ,ପୁଅକୁ କୁକୁର କଥା ପଚାରିବା ଦେଖି ଉପାସନା ବିସ୍ମିତ ହୋଇ ପଡ଼ିଥିଲେ କିନ୍ତୁ ସେଦିନ ଏଇଠି ହୁଣ୍ଡାକୁ ଛାଡି ଯିବା ପରେ ସ୍ୱାମୀ କହିଥିବା ସେଇ କେଇ ଦୁଇ ଧାଡି ଉପାସନାଙ୍କର ମନେ ପଡୁଥିଲା ଆଜି ଖୁବ. ମୁନିବ ହରାଇ ଥିବା କୁକୁରର ଅବସ୍ଥା କଥା ଅନୁଭବି ହିଁ ବୁଝେ କହିଥିଲେ ସିନା ସେଦିନ କିନ୍ତୁ ଆଜି ପୁଅ ଯେବେ କହୁଥିଲା କୁକୁରଟିକୁ ଏୟାରପୋର୍ଟରୁ ଆଣିବା କି ଯେ କଷ୍ଟ ହେଲା ଅନୁଭବ ନକଲେ ଜାଣି ପାରିବୁନି ମାଆ. ସ୍ୱାମୀ କହୁଥିଲେ ଅନୁଭବ କରିପାରୁଛିରେ ପୁଅ.ତ ଉପାସାନା ଚାହିଁରହିଥିଲେ ସ୍ୱାମୀଙ୍କୁ ଏକଲୟରେ. ନୂଆ କୁକୁର ହୁଣ୍ଡା ଦିଲ୍ଲୀରେ ମରିଯିବା ଖବରରେ ଉପାସନା ଓ ବିପ୍ଳବ ଆମିଷ ଛାଡିଦେଇଥିଲେ ସବୁଦିନ ପାଇଁ ସତ ହେଲେ ଅଣନିଶ୍ୱାସୀ ଲାଗିବା ରୋଗଟା ଆଉ ଛାଡି ଯାଇନଥିଲା ବିପ୍ଳବ ଓ ଉପାସନାଙ୍କ ପାଖରୁ କେଵେ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ