ଉତର ଓଡ଼ିଶାର ବିକାଶ ପାଇଁ ବିଜେଡ଼ି ସରକାର କିଛି କରିନାହାଁନ୍ତି

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିକାଶ ଦିଗରେ ବିଜୁ ଜନତା ଦଳ ସରକାର ଗୁରୁତ୍ୱ ଦେଉଥିବାବେଳେ ବାଲେଶ୍ୱର ସମତେ ଉତର ଓଡ଼ିଶାର ବିକାଶ ଦିଗରେ ସେଭଳି ଧ୍ୟାନ ନଦେଇ ଦୀର୍ଘ ୨୪ବର୍ଷ ହେଲା କ୍ରମାଗତ ଭାବେ ଅବହେଳା କରିଚାଲିଛନ୍ତି । ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭପତି ସଞ୍ଜୀବ ଗିରି ଏଭଳି ଅଭିଯୋଗ ଆଣିଛନ୍ତି । ଆଗାମୀ ୬ ତାରିଖରେ ଭିକେ ପାଣ୍ଡିଆନ ବିଜୁ ଜନତା ଦଳର ନେତାଭାବେ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସୁଥିବାବେଳେ ବାଲେଶ୍ୱର ଜିଲ୍ଲା ତଥା ଉତରଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କ’ଣସବୁ ଉପହାର ଦେବେ ସେ ସମ୍ପର୍କରେ ସେ ମଂଚ ଉପରୁ ଘୋଷଣା କରନ୍ତୁ ବୋଲି ଶ୍ରୀ ଗିରି କହିଛନ୍ତି । କେବଳ ରାସ୍ତାଘାଟର ଉନ୍ନତି, ପ୍ରଶସ୍ତିକରଣ, ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ନାମରେ ରଙ୍ଗଦିଆ ଓ କୋଠାବାଡ଼ି ନିର୍ମାଣ କିମ୍ବା ଷ୍ଟ୍ରିଟ୍ ଲାଇଟ୍ ଲଗାଇଦେଲେ ତାହା ବିକାଶର ପରିମାପକ ନୁହେଁ ବୋଲି ଉଲ୍ଲେଖ କରି ସେ କହିଥିଲେ କି, ଦୀର୍ଘବର୍ଷ ହେଲା ଜନସାଧାରଣ ବାଲେଶ୍ୱରରେ ଆରଡିସି କାର୍ଯ୍ୟାଳୟ ଏବଂ ରେଳ ଡିଡିଜନ ପ୍ରତିଷ୍ଠା ସମେତ ବାଲେଶ୍ୱରକୁ ମହାନଗର ନିଗମର ମାନ୍ୟତା ପ୍ରଦାନ, ଜଳେଶ୍ୱରକୁ ଏକ ସବଡିଭିଜନ୍‌ରେ ପରିଣତ କରିବା, ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ଇଂରେଜ ସରକାରଙ୍କ ଅମଳରେ ନିର୍ମାଣ ହୋଇଥିବା କୋଷ୍ଟକେନାଲର ପୁନଃରୁଦ୍ଧାର, ଉତ୍କଟ ବେକାରୀ ସମସ୍ୟାର ସମାଧାନ ଦିଗରେ ନବୀନ ସରକାର କୌଣସି ପଦକ୍ଷେପ ନନେଇ ବାଲେଶ୍ୱର ଜିଲ୍ଲକୁ ସମ୍ପୂର୍ଣ୍ଣ ଭାବେ ଅବହେଳା କରିଚାଲିଛନ୍ତି ବୋଲି ଶ୍ରୀ ଗିରି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ପଶ୍ଚିମଓଡ଼ିଶା, ଦକ୍ଷିଣଓଡ଼ିଶା ଏବଂ ମଧ୍ୟଓଡ଼ିଶାର ବିକାଶ ଦିଗରେ ପ୍ରଚୁର ଅର୍ଥ ବିନିଯୋଗ କରିବା ଏସବୁ ଅଂଚଳରେ ମହାନଗର ନିଗମ ପ୍ରତିଷ୍ଠା କରିଥିଲେ ମଧ୍ୟ ବାଲେଶ୍ୱରକୁ ଜାଣିଶୁଣି ଏଥିରୁ ବାଦ୍ ଦିଆଯାଇଛି । କଂଗ୍ରେସ ସରକାରଙ୍କ ଅମଳରେ ବାଲେଶ୍ୱରରେ ଏମ୍ସ ପ୍ରତିଷ୍ଠା ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ କେନ୍ଦ୍ରରେ କ୍ଷମତାସୀନ ମୋଦି ସରଗାର ଷଡ଼ଯନ୍ତ୍ର କରି ଏହି ପ୍ରତିଷ୍ଠାନକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିଛନ୍ତି । ଏହା ବ୍ୟତୀତ ଡାକ୍ତରଖାନାର ଆଧୁନିକୀକରଣ ଏବଂ ବିଦ୍ୟାଳୟଗୁଡ଼ିକୁ ୫-ଟି ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ଶହଶହ ଡାକ୍ତର, ବିଶେଷଜ୍ଞ, ଶିକ୍ଷକ ଓ ଅଧ୍ୟପକ ପଦବୀ ଏବେବି ଖାଲି ପଡ଼ିଛି । କଗ୍ରେସ ସରକାରଙ୍କ ଅମଳରେ ବାଲେଶ୍ୱରରେ ଶିଳ୍ପ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏବେ ସେସବୁ ଶିଳ୍ପରେ ତାଲା ଝୁଲୁଛି । ନବୀର ସରକାର ପ୍ରତି ବର୍ଷ ୨୦ରୁ ଊର୍ଦ୍ଧ୍ୱ ବଡ଼ବଡ଼ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର କରୁଥିଲେ ହେଁ ୨୪ବର୍ଷ ମଧ୍ୟରେ ଗୋଟିଏ ବୃହତ୍ ଘରୋଇ ଶିଳ୍ପାନୁଷ୍ଠାନକୁ ବାଲେଶ୍ୱରରେ ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି । ବାରମ୍ବାର ମୁଖ୍ୟମନ୍ତ୍ରୀକୁ ଏନେଇ କଂଗ୍ରେସ ଦଳ ପ୍ରଶ୍ନ ପଚାରିଥିଲେ ମଧ୍ୟ ସରକାର ନିରବ ରହିଛନ୍ତି । ତେଣୁ ଆଗାମୀ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ବୋଲାଉଥିବା ଭିକେ ପାଣ୍ଡିଆନ ବାଲେଶ୍ୱର ଗସ୍ତରେ ଆସୁଥିବାରୁ ସେ ବାଲେଶ୍ୱର ଏସବୁ ସମସ୍ୟା ଦିଗରେ ଉତର ମଂଚରୁ ଦେବେ ବୋଲି ଜିଲ୍ଲା କଂଗ୍ରେସ ଆଶା କରୁଛି । ଆଜିର ଖବରଦାତା ସମ୍ମିଳନୀରେ ଜିଲ୍ଲା ଉପସଭାପତି ଗୋପୀନାଥ ପାଢ଼ୀ, ମହିଳା କଂଗ୍ରେସ ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଦେବଦତ ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ