ଉତ୍କଟ ପାନୀୟ ଜଳ ସଂକଟ

୨୦୨୪ ଶେଷ ସୁଦ୍ଧା ସମସ୍ତ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ସଂକଳ୍ପ ଘୋଷଣା କରିଥିବା ଏବେ ରାଜ୍ୟର ବିଭିନ୍ନ ଅଂଚଳରେ ଗରାଏ ପାଣି ପାଇଁ ଯେପରି ଡହଳ ବିକଳ ହେଉଛନ୍ତି, ସେଥିରୁ ବାସ୍ତବ ସ୍ଥିତି ସ୍ପଷ୍ଟ ଅନୁମାନ କରାଯାଇପାରେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଝରଣା ଓ ଚୁଆ ପାଣି ଏବେ ଲୋକଙ୍କ ଭରସା ପାଲଟିଛି । ଗରାଏ ପାଣି ପାଇଁ ଦୁର୍ଗମ ଅଂଚଳରେ ମହିଳାମାନଙ୍କୁ ମାଇଲ-ମାଇଲ ବାଟ ଯିବାକୁ ପଡୁଛି । କେବଳ ଏତିକି ନୁହେଁ, ପୋଖରୀ, ଗାଡିଆର ପାଣିକୁ ବ୍ୟବହାର କରି ଜନସାଧାରଣ, ହଇଜା, ଝାଡାବାନ୍ତି, ଜଣ୍ଡିସ୍ ଆଦି ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ କଟକ ସହରର କେତେକ ଅଂଚଳରେ ଜଣ୍ଡିସ ବ୍ୟାପିକା ଏବଂ ଦୁର୍ଗମ ଅଂଚଳରେ ଲୋକେ ଝାଡାବାନ୍ତିରେ ହେବା । ଏହା ସତ୍ୟ ଯେ, ଜନସାଧାରଣଙ୍କୁ କୋଟି କୋଟି ଟଙ୍କା ବ୍ୟୟରେ ଗ୍ରାମାଚଂଳରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଯୋଜନା କରିଛନ୍ତି । ଏଥିଲାଗି ମେଗା ଜଳ ପ୍ରକଳ୍ପ ମଧ୍ୟ କରିଛନ୍ତି । ଗ୍ରାମାଚଂଳ ପାଇପ ଅଛି, ଟ୍ୟାପ ଅଛି । ମାତ୍ର ଜଳ ଆସୁନାହିଁ, କେଉଁଠି ମଟର ଅଚଳ ହୋଇଗଲାଣି ତ କେଊଁଠି ପାଇପରେ ପାଣି ଆସୁନାହିଁ । କେଉଁଠି ପାଇପ୍‌ରେ ଆସୁଥିବା ପାଣି ବ୍ୟବହାର ଉପଯୋଗୀ ନୁର୍ହେ । କେବଳ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନୁହେଁ, ନଳକୂପ ଗୁଡିକରେ ଅବସ୍ଥା ମଧ୍ୟ ଅନୁରୂପ । କେଉଁଠି ନଳକୂପଗୁଡିକ ଅଚଳ ହୋଇପଡିଛି ତ, କେଉଁଠି ବାହାରୁଥିବା ପାଣି ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ଯେଉଁଥିପାଇଁ କି ଗ୍ରାମାଚଂଳ ଏବଂ ଦୁର୍ଗମ ପାହାଡିଆ ଅଂଚଳରେ ନଦୀର ଚୂଆ ଏବଂ ଝରଣା ଜଳ ଲୋକଙ୍କ ଭରସା ପାଲଟିଛି । ନିକଟରେ ରାଜ୍ୟ ସରକାର ଡ୍ରିଙ୍କ ଫର ଟ୍ୟାପ ବା ବିଶୁଦ୍ଧ ପାନୀୟ ଜଳଯୋଗାଣ ପୁରୀ ସହରରେ ଆରମ୍ଭ କରିଥିଲେ । ଯାହାକି ଦେଶରେ ସର୍ବପ୍ରଥମ ବୋଲି କୁହାଯାଇଥିଲା । ଏହି ଯୋଜନାକୁ ରାଜ୍ୟର ସହର ଓ ଗ୍ରାମାଚଂଳରେ କାର୍ଯ୍ୟକାରୀ କରିଛନ୍ତି । ମାତ୍ର ଏହାର ସୁଫଳ ଲୋକଙ୍କ ନିକଟରେ ପହଁଚିପାରିନାହିଁ । ସେହିପରି ବହୁ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଛି । ବର୍ଷ ପରେ ବର୍ଷ ଗଡିଚାଲିଛି, କିନ୍ତୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ପାନୀୟ ଜଳ ପାଇଁ ଲୋକେ ଚାତକ ପରି ଚାହିଁ ରହିବା ସାର ହେଉଛି । ସାଧାରଣତଃ ଖରାଦିନେ ଆସିଲେ, ଆମ ରାଜ୍ୟ ତଥା ଦେଶର ବିଭିନ୍ନ ଭାଗରେ ପାନୀୟ ଜଳସଂକଟ ଉତ୍କଟ ହୋଇଥାଏ । ଏହି ସ୍ଥିତି ବର୍ଷ ବର୍ଷ ଧରି ଲାଗିରହିଛି । ନଦୀ, ନାଳ, ଗାଡିଆ, ପୋଖରୀ, କୂଅ ଶୁଖିଯିବା ଯୋଗୁଁ ଜଳ ସଂକଟ ଉତ୍କଟ ହୋଇଥାଏ । ପ୍ରତିବର୍ଷ ମଧ୍ୟ ଭୂତଳ ଜଳସ୍ତର ୧ମିଟରରୁ ଦୁଇ ମିଟର ହ୍ରାସ ପାଉଥିବା ଏକ ଗବେଷଣାତ୍ମକ ରିପୋର୍ଟରୁ ଜଣାଯାଏ । ଏହାର କାରଣ ଭାବେ ବିଶ୍ୱ ଜଳବାୟୁ ପରିବର୍ତନ, ତାପମାତ୍ରା ବୃଦ୍ଧି, ଶିଳ୍ପ ସଂସ୍ଥାର ଜଳଶୋଷଣ, କୃଷି କ୍ଷେତ୍ରରେ ବହୁଳ ଭାବେ ଜଳ ବ୍ୟବହାର, ଅନିୟମିତ ମୌସୁମୀ ବର୍ଷା ଏବଂ ଜଳ ଅପଚୟ ବୋଲି କୁହାଯାଇପାରେ । ଆହୁରି ମଧ୍ୟ ନଦୀଗୁଡିକ ଶୁଖିଲା ପଡିବା ଭୂତଳ ଜଳସ୍ତର ହ୍ରାସ ପାଇବା ଆଉ ଏକ କାରଣ । ଉଲ୍ଳେଖଯୋଗ୍ୟ ଯେ, ଓଡିଶାର ଜୀବନରେଖା ଭାବେ ପରିଚିତ ମହାନଦୀରେ ଛତିଶଗଡର ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁଁ ଜଳସ୍ରୋତ ହ୍ରାସ ପାଇବା ସହ ଖରାଦିନେ ଶୁଖିଲା ପଡୁଛି । ସେହିପରି ବର୍ଷା ଦିନେ ନଦୀରେ ଆସୁଥିବା ଜଳ ସମୁଦ୍ରକୁ ବୋହିଯାଉଥିବା ଏହାକୁ ସଂରକ୍ଷିତ କରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ନଦୀ, ପୋଖରୀ, ଜଳାଶୟ ଆଦି ଶୁଖିଯିବା ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସେହିପରି ଆଖିବୁଜା ଗଛକଟା ଭୂତଳ ଜଳସ୍ତର ହ୍ରାସର ଆଉ ଏକ କାରଣ । ଗଛର ଚେର ଭୂତଳ ଜଳସ୍ତରକୁ ଧାରଣ କରିବାରେ ସହାୟକ ହୋଇଥିବାବେଳେ ଏବେ ଖସି ଖସି ଯାଉଛି । ଆହୁରି ମଧ୍ୟ ଗ୍ରାମାଚଂଳଠାରୁ ଆରମ୍ଭ କରି ସହରାଚଂଳର ପର୍ଯ୍ୟନ୍ତ ସବୁଠାରେ କଙ୍କ୍ରିଟ ଜଙ୍ଗଲ ବ୍ୟାପକ ମାତ୍ରାରେ ବଢିଚାଲିଥିବା ଯୋଗୁଁ ମୂର୍ତିକାରେ ରହୁଥିବା ଜଳୀୟ ଅଂଶ ପ୍ରବଳ ଗ୍ରୀଷ୍ମରେ ଶୁଖିଯାଇଛି । ଯାହାକି କୃଷିକ୍ଷେତ୍ର ପାଇଁ ସବୁଠାରୁ ବଡ ବିପଦ ସୃଷ୍ଟି କରିଛି ବୋଲି କୁହାଯାଇପାରେ । ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱତାପମାତ୍ରା ବୃଦ୍ଧି ଏବଂ ଦ୍ରୃତ ଜଳବାୟୁ ପରିବର୍ତନ ଯୋଗୁଁ ଆସନ୍ତା ୨୦୫୦ ମସିହା ବେଳକୁ ଭାରତ ସମେତ ବିଶ୍ୱର ଅର୍ଦ୍ଧାଧିକ ରାଷ୍ଟ୍ରରେ ଉତ୍କଟ ଜଳସଂକଟର ସମ୍ମୁଖୀନ ହୋଇପାରନ୍ତି । କେବଳ ଏତିକି ନୁହେଁ ବିଶ୍ୱର ବହୁ ଶସ୍ୟଶ୍ୟାମଳ ଅଂଚଳ ମରୁଭୂମିରେ ପରିଣତ ହୋଇପାରେ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି । ସେହିପରି ଆନ୍ତର୍ଜାତିକ ମାନଦଣ୍ଡ ଅନୁଯାୟୀ ବାର୍ଷିକ ମୁଣ୍ଡ ପିଛା ୧୭୦୦ ଘନ ମିଟରରୁ କମ୍ ଉପଲବ୍ଧି ରାଷ୍ଟ୍ରଗୁଡିକ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବେ । ଭାରତ ମଧ୍ୟ ଏଥିରୁ ବାଦ୍ ପଡିବ ନାହିଁ ।୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଆମ ଦେଶରେ ମୁଣ୍ଡପିଛା ବାର୍ଷିକ ଜଳ ବ୍ୟବହାର ୧୫୪୫ ଘନମିଟର ରହିଥିଲା । ତେବେ ୨୦୫୦ ବେଳକୁ ଏହା ୧୧୯୧ ଜଳମିଟରକୁ ହ୍ରାସ ପାଇପାରେ ବୋଲି କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାର ଓ ଜନସାଧାରଣ ସଚେତନ ହେବା ଜରୁରୀ । ତେଣୁ ଜଳ ସଂରକ୍ଷଣ ପାଇଁ ବେଳହୁଁ ସଜାଗ ଓ ସତର୍କ ହେବା ଆବଶ୍ୟକ । ଏହାର ମୁକାବିଲା ପାଇଁ ଏକାଧିକ ନଦୀ ବନ୍ଧ ନିର୍ମାଣ କରି ନଦୀଜଳକୁ ସଂରକ୍ଷିତ ରଖିବା ଆବଶ୍ୟକ । ଅନ୍ୟଥା ଜଳସଂକଟ ଆହୁରି ଉତ୍କଟ ହେବ, ଏଥିରେ ସନ୍ଦେହ ନାହିଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ