ଉତ୍କଳମଣି ଜୟନ୍ତୀରେ ଛାତ୍ରସଙ୍ଘ ପକ୍ଷରୁ ଆଲୋଚନାଚକ୍ର
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜନ୍ମତିଥିରେ ଅଖିଳ ଭାରତ ଛାତ୍ର ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ “ଦେଶର ଶିକ୍ଷା ବ୍ୟବସ୍ଥା ଓ ପ୍ରସ୍ତାବିତ ଶିକ୍ଷା ଆଇନ -୨୦୧୯”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଛାତ୍ରନେତା ସୂର୍ଯ୍ୟକାନ୍ତି ରାଉତଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋପଛକ ଠାରେ ଆୟୋଜିତ ଆଲୋଚନାଚକ୍ରକୁ ଶିକ୍ଷକନେତା ପ୍ରାଧ୍ୟାପକ ଅଜୟ କୁମାର ସାମଲ ଉଦଘାଟନ କରିଥିଲେ । ସଂଗଠିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବେସରକାରୀ କଲେଜ ଶିକ୍ଷକ ସଙ୍ଘର ସହ ସମ୍ପାଦକ ରଞ୍ଜନ କୁମାର ସାହୁ ଯୋଗଦେଇ ପ୍ରସ୍ତାବିତ ଶିକ୍ଷାନୀତି ଶିକ୍ଷାକୁ ସରକାରଙ୍କ ଦାୟିତ୍ୱରୁ ମୁକ୍ତକରି କିପରି ସମ୍ପୂର୍ଣ୍ଣ ବ୍ୟବସାୟୀଙ୍କ ହସ୍ତକୁ ଟେକିଦେବ,ଫଳରେ ସାଧାରଣ ଘରର ପିଲା ସର୍ବନିମ୍ନ ଶିକ୍ଷା ପ୍ରାପ୍ତିରୁ ବଂଚିତ ହେବ ଦର୍ଶାଇ ଏହା ବିରୋଧରେ ସାଧାରଣରେ ଜନମତ ସୃଷ୍ଟିକରି ଏହାକୁ ପ୍ରତ୍ୟାହାର କରି ସାର୍ବଜନୀନ ଗୁଣାତ୍ମକ ଅବୈତନିକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ପାଇଁ ମତ ରଖିଥିଲେ । ସଂଗଠନର ରାଜ୍ୟ ସଭାନେତ୍ରୀ ସଙ୍ଘମିତ୍ରା ଜେନା ଛାତ୍ରସଙ୍ଘର ଗୈାରବମୟ ଇତିହାସ ସମ୍ପର୍କରେ ସୂଚନା ଦେଇ ଦେଶରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ସୁରକ୍ଷା ପାଇଁ ସାଂଗଠନିକ ଶକ୍ତିକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣିରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଜିତେନ୍ଦ୍ର କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆହ୍ୱାନ ରାଉତରାୟ, ହରପ୍ରିୟା ବେହେରା, ଆଜାଦି ଆଦ୍ୟାଶା ପ୍ରମୁଖ ପରିଚାଳନା କରିଥିଲେ ।