ଉତ୍କଳର ସୁଯୋଗ୍ୟ ସନ୍ତାନ ତଥା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର

ଆଲେଖ୍ୟ-ଅରବିନ୍ଦ ତ୍ରିପାଠୀ

“ରାଜା ସିନା ପ୍ରଜା ପାଏ ଆପଣା ଦେଶରେ । କବି ପୂଜା ପାଉଥାଏ, ଦେଶ ବିଦେଶରେ ।” କବିର ପୂଜା ସବୁଠି, ସେ ସବୁରି ଆଦର ପାଇଥାଏ । ମାତ୍ର ଓଡ଼ିଶାରେ ନେତାଙ୍କ ତୁଳନାରେ କବି ଆଜି ଅଲୋଡ଼ା । ଓଡ଼ିଆ ଜାତି କେତେ ଦିନ ଆଉ ଏନେଇ ନୀରବ ରହିବ ?
ଯେଉଁ କେତେଜଣ ବରପୁତ୍ର ନିଜର ସ୍ୱଅର୍ଜିତ କର୍ମ, ଆଚରଣ, ପାଣ୍ଡିତ୍ୟ, ସଂସ୍କୃତି, ଲୋକଭାଷା, ଲୋକସଂଗୀତ, ପରମ୍ପରାକୁ ବଜାୟ ରଖି ସମାଜର ଉନ୍ନତି ଓ ସର୍ବୋପରି ରାଷ୍ଟ୍ରର ଉନ୍ନତିପାଇଁ ଅହରହ ଚେଷ୍ଟା କରି ସେଥିରେ ସଫଳ ହୋଇଛନ୍ତି ସର୍ବଦା ମାଟି, ମା’ ଓ ମାତୃଭାଷାର ଉନ୍ନତି ଓ ସୁରକ୍ଷାକୁ ନିଜ ଜୀବନର ବ୍ରତ ବୋଲି ଧରିନେଇଛନ୍ତି ସେହିପରି ଜଣେ ମହାପୁରୁଷ, ସାହିତ୍ୟିକ, ଉଚ୍ଚପ୍ରତିଭା ସମ୍ପନ୍ନ କବି ତଥା ଲୋକସଂଗୀତକୁ ସରଳ ଭାଷାରେ ଘରେ ଘରେ ପହଞ୍ଚାଇବାରେ ସଫଳ ହୋଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ବିଧଗ୍ଦ କବି ଅଭିମନ୍ୟୁ ସାମନ୍ତସିଂହାର । ସଂସ୍କୃତି ସମ୍ପନ୍ନ ମାଟି ଯାଜପୁର ଜିଲ୍ଲା ବରି ବ୍ଲକ ଅନ୍ତର୍ଗତ ବାଲିଆ ଗ୍ରାମରେ ୧୭୬୦ ମସିହା ଫେବୃଆରୀ ମାସ ୨୩ ତାରିଖ(ପବିତ୍ର ମାଘଶୁକ୍ଳ ସପ୍ତମୀ)ରେ ଏହି ମହାମାନବ ଭୂମିଷ୍ଠ ହୁଅନ୍ତି ଏବଂ ୧୮୦୬ ମସିହା ଜୁନ୍‌ମାସ ୧୫ ତାରିଖ ରଜ ସଂକ୍ରାନ୍ତି ଦିନ ଏହି ମହାନ୍ ବ୍ୟକ୍ତିତ୍ୱଙ୍କର ମାତ୍ର ୪୬ ବର୍ଷ ବୟସରେ ତିରୋଧାନ ହୁଏ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଭିମନ୍ୟୁଙ୍କ ପ୍ରତିଭା ପିଲାଟି ଦିନରୁ ଜଣାପଡିଥିଲା । ମାତ୍ର ୯ ବର୍ଷ ବୟସରେ ସେ କବିତା ଲେଖିବା ଆରମ୍ଭ କରିଥିଲେ ଯାହାକି ବହୁ କମ୍ ବ୍ୟକ୍ତିତ୍ୱମାନଙ୍କ ପାଖରେ ଦେଖାଯାଇଥାଏ । ଧିରେ ଧିରେ ତାଙ୍କର ପ୍ରତିଭା ଲୋକଲୋଚନକୁ ଆସିଲା । ତାଙ୍କର ଅମର କୃତିମାନଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ କୃତି ହେଲା ବିଧଗ୍ଦ ଚିନ୍ତାମଣି । ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମ ସଂପର୍କରେ ଖୁବ୍ ସୁନ୍ଦରଭାବରେ ଆଲୋକପାତ କରିଥିଲେ । ସମାଜକୁୁ ନୂତନ ଦିଗ୍‌ଦର୍ଶନ, ବାର୍ତା ତାଙ୍କ ଲେଖନୀ ମୂନରେ ସେ ପ୍ରଦାନ କରିଅଛନ୍ତି । ଓଡ଼ିଆ ଭାଷାକୁ ସଂଗୀତକୁ ସଂସ୍କୃତି ପରମ୍ପରା ଲୋକଗୀତ ଇତ୍ୟାଦି ପାଇଁ ସେ ଘରେ ଘରେ ପରିଚିତ । ତାଙ୍କର କଳାକୃତିମାନଙ୍କ ମଧ୍ୟରେ ରସବତୀ, ସୁଲକ୍ଷଣା, ବାଘଗୀତ, ଚଢେଇଗୀତ, ପ୍ରେମ ଚିନ୍ତାମଣି, ପ୍ରେମକଳା ଇତ୍ୟାଦି ଅନ୍ୟତମ ।
ସେହି ମହାନ୍‌କବିଙ୍କର ପଙକ୍ତି ଗୁଡିକ ଆଜିବି ଜନମାନସରେ ପ୍ରାସଙ୍ଗିଗତାର ଗୁରୁତ୍ୱ ବହନ କରେ । ତାଙ୍କ ନାମରେ ୧୯୬୦ ମସିହାରେ ବରି ବ୍ଲକର ବାଲିଆଠାରେ ଅପରପ୍ରାଇମେରୀ ସ୍କୁଲ ନାମିତ ହୋଇଥିଲା । ଯାହାକି ଷଷ୍ଠ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କକ୍ଷ ରହିଛି । ଆହୁରି ତାଙ୍କ ନାମରେ ମଧ୍ୟ ମହାବିଦ୍ୟାଳୟ ସ୍ଥାପନା କରାଯାଇଛି । ଏଠାରେ ବହୁ ଦୁଃଖ ଓ କ୍ଷୋଭ ସହିତ କୁହାଯାଇପାରେ ଯେ ଏହି ସବୁ କଳାକୃତି ଥିବା ମହାପୁରୁଷଙ୍କୁ ରାଜ୍ୟ ସରକାର ଯଥୋଚିତ ସମ୍ମାନ ପ୍ରଦର୍ଶନ କରିପାରିଲେ ନାହିଁ । ରାଜଧାନୀ ଭୁବନେଶ୍ୱରର ଗୋଟିଏ ପ୍ରମୁଖ ରାଜରାସ୍ତା ଯାହା ସତ୍ୟନଗର କନ୍‌ଭେଣ୍ଟ ଛକଠାରୁ ପୁରୀ-କଟକ ରୋଡ୍ ଲେଭର କ୍ରସିଂ ପର୍ଯ୍ୟନ୍ତ ତାଙ୍କ ନାମରେ ସରକାର ୨୦୦୩ ମଇମାସ ୩୦ ତାରିଖରେ ନାମିତ କରିଥିଲେ । ସେହି ଅନୁଯାୟୀ ଛକର ଦୁଇ ପାଶ୍ୱର୍ରେ ତାଙ୍କର ନାମ ଫଳକ ମଧ୍ୟ ସରକାରଙ୍କ ପୂର୍ତ ବିଭାଗ ପକ୍ଷରୁ ଲଗାଯାଇଥିଲା । ମାତ୍ର ହଠାତ୍ କ’ଣ ହେଲା କେଜାଣି ଦୀର୍ଘ ୧୩ ବର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ, ପୂର୍ତ ବିଭାଗର ପ୍ରସ୍ତାବ ଅନୁସାରେ ୨୦୧୬ ସେପ୍ଟେମ୍ବର ମାସ ୩ରେ ଉକ୍ତ ରାସ୍ତାକୁ ତରବରିଆ ଭାବରେ କାହାକୁ କୌଣସି ଭାବରେ ନ ଜଣାଇ ସନ୍ଥ ମଦର ଟେରେସାଙ୍କ ନାମରେ ନାମିତ କରିଦେଲେ । ମଦର ଟେରେସାଙ୍କୁ ବିରୋଧ ବା ଅସମ୍ମାନ କରିବାର ପ୍ରଶ୍ନ ଉଠୁନହିଁ । ସେ ଚିରନମସ୍ୟା ମାତ୍ର ଅଭିମନ୍ୟୁଙ୍କୁ ପୂର୍ବରୁ ଦିଆଯାଇଥିବା ସମ୍ମାନ କିପରି ସରକାର ଫେରେଇ ନେଲେ ଏହା ହିଁ ବହୁ ଦୁଃଖ ଓ ପରିତାପର ବିଷୟ । ସମ୍ମାନ ଜଣଙ୍କୁ ଦେଲା ପରେ ପୁନର୍ବାର ଫେରାଇ ଦିଆଯାଏ କି? ଏହା ବୁଦ୍ଧିଜୀବୀ, ସମାଜସେବୀ, ସାଧାରଣ ଜନତା, ଅଭିମନ୍ୟୁ ସ୍ମୃତି ସୁରକ୍ଷା ମଂଚ ସମସ୍ତଙ୍କୁ ବହୁ ଆଶ୍ଚର୍ଯ୍ୟାନ୍ୱିତ କରିବା ସହିତ ମନରେ ଦୁଃଖ ଓ କ୍ରୋଧ ଜାଗ୍ରତ କଲା । ଏହି ପରିପ୍ରେକ୍ଷୀରେ ଅଭିମନ୍ୟୁ ସ୍ମୃତି ସୁରକ୍ଷାମ, ବୁଦ୍ଧିଜୀବୀ, ସ୍ୱାଭିମାନୀ ଓଡିଆ ସମସ୍ତେ ଆଗେଇ ଆସିଛନ୍ତି ଏହାର ପ୍ରତିବାଦରେ ।
ଅଭିମନ୍ୟୁ ସ୍ମୃତି କମିଟି ଏହା ବିରୋଧ ମାନ୍ୟବରର ଉଚ୍ଚନ୍ୟାୟାଳୟକୁ ଯାଇଛନ୍ତି । ଉଚ୍ଚ ନ୍ୟାୟାଳୟ ରାଜ୍ୟସରକାରଙ୍କୁ ଏ ବାବଦରେ ନୋଟିଏ୍ ପଠାଇତିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର କୌଣସି ସନ୍ତୋଷଜନକ ଉତର ଦେବାକୁ ସକ୍ଷମ ହୋଇନାହାନ୍ତି । ବହୁ ଦୁର୍ଭଗ୍ୟର କଥା ଯେ ଉପରୋକ୍ତ ରାସ୍ତାକୁ ୨୦୦୬ ମେ ୩୧ରେ ଶକ୍ତିସାରିଣୀ ରୂପେ ଘୋଷଣା କରାଯାଇଥିଲା । ସରକାରଙ୍କର ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ସର୍ବସାଧାରଣରେ ଦାବି ଓ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଉତର ମିଳିପାରିନାହିଁ । ଏହାର ପ୍ରତିବାଦ୍‌ରେ ଓ ଅଭିମନ୍ୟୁ ସାମନ୍ତସିଂହାର ମାର୍ଗକୁ ଫେରାଇ ଆଣିବା ପାଇଁ ଅଭିମନ୍ୟୁ ସ୍ମୃତି ସୁରକ୍ଷାମ, ବୁଦ୍ଧିଜୀବୀ, ସମାଜସେବୀ, ସ୍ୱାଭିମାନୀ ଓଡିଆ ସମସ୍ତେ ଲୋୟର ପିଏମ୍‌ଜିଠାରେ ୨୦୧୭ ମସିହା ସେପ୍ଟେମ୍ବର ୭ ତାରିଖରୁ ୧୪ ପର୍ଯନ୍ତ ଗଣଧାରଣା ଅବ୍ୟାହତ ରଖିଥିଲେ । ମାତ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରିଲେ ନାହିଁ ବୋଲି ଅଭିମନ୍ୟୁ ସ୍ମୃତି ସୁରକ୍ଷା ମଂଚ ପକ୍ଷରୁ ଘୋଷଣା କରାଯାଇଛି । ଧାରଣାର ଶେଷ ଦିନ ଅର୍ଥାତ୍ ୨୦୧୭ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସତ୍ୟନଗର ରାଜରାସ୍ତାକୁ ପୁନର୍ବାର ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ କରାଇବା ପାଇଁ ଅନୁରୋଧ ପତ୍ର ଓ ତାଙ୍କ ନାମରେ ରାଜ୍ୟ ସରକାରଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଅଭିମନ୍ୟୁଙ୍କ ନାମରେ ଏକ ଟ୍ରେନ୍ ନାମିତ କରିବା ପାଇଁ ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ସମର୍ଥନ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଅଭିମନ୍ୟୁ ସ୍ମୃତି ସୁରକ୍ଷାମଂଚର ପ୍ରମୁଖ ସଦସ୍ୟ ତଥା କାର୍ଯ୍ୟକାରୀ ପରିଷଦ ବରିଷ୍ଠ ସଭ୍ୟ ଗୋବିନ୍ଦ ମାହୁନ୍ତ, ପୂଜ୍ୟପୂଜା ପ୍ରାଣ ପ୍ରକାଶ ଚନ୍ଦ୍ର ନାୟକ, ଡ. ଅସିତ୍ ଦାସ, ତୁଷାରକାନ୍ତ ଶତ୍‌ପଥୀ, ଯନ୍ତ୍ରଣା ପରିକ୍ଷୀତ, ଉମା ମହାନ୍ତି, ସ୍ମୃତି ସୁରକ୍ଷା ମଂଚର ଆବାହକ ଜୟନ୍ତ କୁମାର ଜେନା, ଉପସଭାପତି ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ପୂଜ୍ୟପୂଜା ତଥା ଓଡ଼ିଆ ଭାଷାପ୍ରାଣମାନେ । କେଉଁ ପରିପ୍ରେକ୍ଷୀରେ ଏହି ତରବରିଆ ବିଭ୍ରାନ୍ତି କର, ବିବାଦୀୟ ନିଷ୍ପତି ଗ୍ରହଣ କରାଗଲା ତାହା ଆଜି ସମସ୍ତଙ୍କୁ ଆଚମ୍ବିତ କରିଛି । ଅଭିମନ୍ୟୁ ସ୍ମୃତି ସୁରକ୍ଷା ମଂଚ ମାନ୍ୟବର ଉଚ୍ଚନ୍ୟାୟାଳଙ୍କ ସମ୍ମୁଖରେ ନିଜର ଯୁକ୍ତି ଦର୍ଶାଇଛନ୍ତି । ମାନ୍ୟବର ଉଚ୍ଚନ୍ୟାୟାଳୟ ସରକାରଙ୍କୁ ଏ ବାବଦରେ ନିଷ୍ପତି ନେବା ଲାଗି କହିଥିବା ସୁରକ୍ଷା ମଂଚ ପକ୍ଷରୁ କୁହାଯାଇଛି । ମାତ୍ର ଏଠାରେ ସରକାରୀ ସ୍ତରରେ ଆନ୍ତରିକତା, ନିଷ୍ଠା ରହିଲେ ଅଭିମନ୍ୟୁଙ୍କୁ ଉଚିତ୍ ସମ୍ମାନ ମିଳିବା ସହିତ ପୂଜ୍ୟପୂଜାର ମହାନ ପରମ୍ପରା ଅକ୍ଷୂର୍ଣ୍ଣ ରହିପାରିବ । ଏହି ପରିପ୍ରେକ୍ଷୀରେ ସବୁ ଓଡ଼ିଆ ପୂଜ୍ୟପୂଜା ପ୍ରାଣ, ମା’ମାଟି, ମାତୃଭାଷା ପ୍ରାଣ ପ୍ରମୁଖ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କୁ ପୂର୍ବ ସମ୍ମାନ ଓ ଗୌରବ ଫେରାଇଆଣିବା ପାଇଁ ଅନୁରୋଧ ଓ ଦାବି କରିଛନ୍ତି । ବହୁ ସ୍ଥାନରେ କବି ଅଭିମନ୍ୟୁଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ମାନ ହେଉଛି, ମାତ୍ର ପ୍ରକୃତରେ ଯଦି ସମସ୍ତ ସରକାରୀ, ବେସରକାରୀ ସ୍ତରରେ ଆନ୍ତରିକତା ସହିତ କାର୍ଯ୍ୟକରାଯାଆନ୍ତା ତେବେ କବିଙ୍କ ପ୍ରତି ଉଚିତ୍ ସମ୍ମାନ ପ୍ରଦର୍ଶନ ହେବା ସହିତ ଆଜିର ଯୁବପୀଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପ୍ରେରିତ ହୋଇପାରନ୍ତେ । ୨୬୧ତମ ଜୟନ୍ତୀ ଅବସରରେ ବାଲିଆମାଟିର ଏହି ସୁଯୋଗ୍ୟ ସନ୍ତାନଙ୍କୁ କୋଟି ପ୍ରଣାମ ।

ମୋ- ୯୯୩୭୬୮୯୬୮୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ