ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷର ଝୋଟି ପ୍ରତିଯୋଗିତା ଉର୍ମିଳା ରଥଙ୍କୁ ଝୋଟି ରାଣୀ ସମ୍ମାନ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଳୀୟ ଲୋକ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷରୁ ବାଲେଶ୍ୱର ସହର ଉପକଣ୍ଠ ବାମପଦା ସ୍ଥିତ ନୋସି ବିଜନେସ ପାର୍କ ଠାରେ ମହିଳାଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୋସିର ଉତ୍କଳା ମୁକ୍ତମଂଚରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂ ଧରଣୀଧର ମିଶ୍ର ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଆ ପରମ୍ପରା ରକ୍ଷା ସହିତ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବାରେ ଏହିଭଳି କାର୍ଯ୍ୟକ୍ରମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ସଂଗଠନର ସଭାନେତ୍ରୀ ଅଞ୍ଜଳି ପଣ୍ଡା ଏଥିରେ ପୌରହିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ମହିଳାମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତା କରାଯାଉଛି ବୋଲି ଶ୍ରୀମତୀ ପଣ୍ଡା ପ୍ରକାଶ କରିଥିଲେ । ସମ୍ପାଦିକା ଅର୍ଚ୍ଚନା ନନ୍ଦୀ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ବିଗତ ଦୁଇ ବର୍ଷ ଧରି କରୋନା ସଂକ୍ରମଣ ଜନିତ କଟକଣା ପାଇଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପାରିନଥିବା ବେଳେ ଚଳିତ ବର୍ଷ ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ପକ୍ଷରୁ ପୁଣି ମହିଳାଙ୍କ ମଧ୍ୟରେ ଓଡିଆ ପରମ୍ପରାକୁ ନେଇ ରହିଥିବା ଲୁକ୍କାୟିତ ପ୍ରତିଭା ବିକାଶ ଲକ୍ଷ୍ୟ ନେଇ ଏହା ଆୟୋଜିତ ହୋଇଛି ବୋଲି ସେ କହିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଏଥିରେ ପୁରସ୍କୃତ ସହ ଜଟଣୀର ଉର୍ମିଳା ରଥଙ୍କୁ ଝୋଟି ରାଣୀ ସମ୍ମାନ ପ୍ରଦାନ କରାଯାଇଛି ବୋଲି ସୁଶ୍ରୀ ନନ୍ଦୀ ପ୍ରକାଶ କରିଥିଲେ । ପ୍ରତିଷ୍ଠାନର ଆବାହକ ଶିଳ୍ପୀ କେଶୁ ଦାସ ଏଥିରେ ଉପସ୍ଥିତ ରହି ଉତ୍କଳର ପୁରାତନ ପରମ୍ପରାକୁ ଉଜ୍ଜିବୀତ ରଖିବା ସହ ସମଗ୍ର ଦେଶରେ ସାଂସ୍କୃତିକ ପରିଚୟ ପାଇବା ପାଇଁ ଚାଲିଥିବା ଆନ୍ଦୋଳନରେ ସମସ୍ତେ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ । ଏହି ପ୍ରତିଯୋଗିତାରେ ଉଭୟ ପାରମ୍ପରିକ ଓ ଆଧୁନିକ ବିଷୟ ଭିତିକ ବର୍ଗରେ ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରୁ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ଓଡିଆ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ମହିଳାମାନଙ୍କ ପ୍ରତିଭାର ବିକାଶ ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରବା ଦ୍ୱାରା ସେମାନଙ୍କୁ ବହୁ ଆନନ୍ଦ ମିଳିଛି ବୋଲି ପ୍ରତିଯୋଗୀମାନେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ଗିରିଜା ମିଶ୍ରଙ୍କ ସମେତ ରାଜଲକ୍ଷ୍ମୀ ଚାଟାର୍ଜୀ, କଲ୍ୟାଣୀ ନନ୍ଦ, ପ୍ରଣିତା ମିଶ୍ର, ଚିତ୍ରା ପାତ୍ର, ମୀନତି ସେଠୀ, କବିତା ଦତ, କଲ୍ୟାଣୀ ବିନ୍ଧାଣୀ, ସଂଯୁକ୍ତା ରାଣୀ ବେହେରା, ଦେବାଶିଷ ସାହୁ, ଜୟନ୍ତୀ ସାହୁ, ପ୍ରକାଶ ମହାନ୍ତି, ଦୀପକ ଗୋଚ୍ଛାୟତ, ବାଚୁ ଶ୍ରୀନିବାସ, ଅପର୍ଣ୍ଣା ମହାପାତ୍ର, ସୁଧାକର ସେଠୀ, କୃଷ୍ଣା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


