ଉତ୍କଳ ଗୌରବ ମଧୁସୂଦନଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୧ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସଭାଗୃହରେ ପରିଷଦର ସଂଗଠନ ସଂପାଦକ ତଥା ଆଇନଜୀବୀ ତୁଷାରକାନ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଫକୀରମୋହନ ସାହିତ୍ୟ ପରିଷଦର ସଂପାଦକ ଡ. ରତ୍ନାକର ସିଂହ ଯୋଗଦେଇ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୀବନାବଳୀ ଓ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନକୁ ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ ବୋଲି ମତ ପ୍ରଦାନ କରିଥିଲେ । ବରିଷ୍ଠ ଶ୍ରମିକନେତା ତଥା ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ, ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଅନ୍ୟତମ ଆବାହିକା ପ୍ରତିମା ପଣ୍ଡା ପ୍ରମୁଖ ମଧୁବାବୁଙ୍କର ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ଆଗାମୀ ବଂଶଧରମାନେ ମଧୁବାବୁଙ୍କ ସଂପର୍କରେ ଅଧିକ ଜାଣିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରର ପାଠ୍ୟପୁସ୍ତକମାନଙ୍କରେ ତାଙ୍କର ଜୀବନକୁ ସଠିକ୍ ଭାବେ ସ୍ଥାନିତ କରିବା ଦିଗରେ ଶିକ୍ଷାବିଭାଗ ଓ ସରକାର ଯତ୍ନବାନ ହେବାକୁ ମତ ପ୍ରକାଶ କରିଥିଲେ ।ଏହି ସଭାରେ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଆଇନଜୀବୀ ଜିତେନ୍ଦ୍ର ଉପାଧ୍ୟାୟ, ଦୀପକ ଦାସ, ମହମ୍ମଦ ଇସଲାମ ଓ ନିରଞ୍ଜନ ପରିଡ଼ାଙ୍କ ସମେତ କଲ୍ୟାଣୀ ନନ୍ଦ, ମଧୁସୂଦନ ମାଝୀ, ଅରୁଣ ଜେନା, ଅଜିତ୍ ବରାଳ, ଅଶ୍ରୀତା ତରେଇ, ଶ୍ରମିକନେତା ମାୟାଧର ନାୟକ, ଅକ୍ଷୟ କୁମାର ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ ଓ ସୀତାରାମ ପ୍ରଧାନ, ହେମେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଓଡ଼ିଶା ପ୍ରଦେଶ ଗଠନରେ ଓ ପ୍ରଥମ ଓଡ଼ିଆ ଭାବେ ମଧୁବାବୁ ବହୁ ଗୌରବର ଅଧିକାରୀ ବୋଲି ମତ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଓ ମଧୁବାବୁଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉପସ୍ଥିତମାନେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ସାମୁହିକ ଭାବେ ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୌରୀ ଶଙ୍କର ପରିଡ଼ା, ମାନଗୋବିନ୍ଦ ସେଠୀ, ବିରେନ୍ ଜେନା ଓ ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଆଇନଜୀବୀ ସତ୍ୟେନ୍ଦ୍ର ରାଉତ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଅଭିଭାଷଣ ଦେଇଥିଲେ ଓ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରିଷଦର ପ୍ରତିଷ୍ଠାତା ପୁରୁଷୋତ୍ତମ ବିଶ୍ୱାଳଙ୍କ ପତ୍ନୀଙ୍କର ସଭାପକ୍ଷରୁ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।