ଉତ୍କଳ ବିଶ୍ୱବିଦ୍ୟାଳୟକୁ ‘ନାକ’ ପୁନଃ ମୂଲ୍ୟାୟନ ରିପୋର୍ଟ କେବେ?
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଉ ଗୋଟିଏ ଦିନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ତାର ୮୧ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଦେଶର ୧୭ତମ ବିଶ୍ୱବିଦ୍ୟାଳୟ ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଓ କୃତିତ୍ୱ ଜାତୀୟସ୍ତରରେ ସର୍ବମାନ୍ୟତାପ୍ରାପ୍ତ । ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶ ବିଦେଶ ସମେତ ଜାତୀୟସ୍ତରରେ ମଧ୍ୟ ପ୍ରତିଷ୍ଠିତ । ଖୋଦ୍ ଆଜିର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଶ୍ୱବିଦ୍ୟାଳୟରେ ଜଣେ ଅତୀତର ଛାତ୍ରନେତା । କିନ୍ତୁ ତା ସତ୍ତ୍ୱେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ‘ନାକ’ର ପୁନଃ ମୂଲ୍ୟାୟନର ମାନ୍ୟତା ମିଳିପାରିଲା ନାହିଁ । ଏଠାରେ ଉଲ୍ଲେଖଥାଉକି ୨୦୧୬ମସିହାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ‘ନାକ’ ଦ୍ୱାରା ଏ+ ମାନ୍ୟତା ପାଇ ଆସୁଥିଲା । କିନ୍ତୁ ଗତଥର ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିବା ‘ନାକ’ ଟିମ୍ ଏହାର ମାନ୍ୟତାକୁ ‘ଏ’କୁ ଖସାଇ ଦେଇଥିଲେ ଯାହାକି ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବୁଦ୍ଧିଜୀବି ମହଲରେ ବେଶ୍ ହଇଚଇ ସୃଷ୍ଟି କରିଥିଲା । କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ନୁହେଁ, ରାଜ୍ୟବାସୀଙ୍କ ମଧ୍ୟରେ ମଧ୍ୟ ବିଶ୍ୱବିଦ୍ୟାଳୟର ଏହି ମାନ୍ୟତା ବେଶ୍ ଆଲୋଚନାର ଖୋରାକ ଯୋଗାଇଥିଲା । କେତେକ ପୁରାତନ ଛାତ୍ରଙ୍କ ସମେତ ଏହି ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରନେତା ତଥା ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ‘ନାକ’ ଟିମ୍ର ପୁନଃ ମୂଲ୍ୟାୟନା ଦାବି କରି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଥିଲେ । ଫଳରେ ‘ନାକ’ ଟିମ୍ ସେପ୍ଟେମ୍ବର ମାସରେ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସି ବୁଲି ଯାଇଥିଲେ । ଆଶା କରାଯାଉଥିଲା ଆସନ୍ତା ନଭେମ୍ବର ୨୭ ତାରିଖ ବିଶ୍ୱବିଦ୍ୟାଳୟ ୮୧ତମ ପ୍ରତିଷ୍ଠା ଦିବସ ପୂର୍ବରୁ ‘ନାକ’ର ରିପୋର୍ଟ ଆସିଯିବ । କିନ୍ତୁ ଦୁଃଖର କଥା ଆଜିପର୍ଯ୍ୟନ୍ତ ଏହି ରିପୋର୍ଟ ପ୍ରକାଶ ପାଇପାରିଲା ନାହିଁ । ଯାହା ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ମହଲରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ତୁରନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି ।