ଉତ୍କଳ ସମ୍ମିଳନୀ ପକ୍ଷରୁ ଭାଷା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜାତୀୟତାର ବଳିଷ୍ଠ ଉପାଦାନ ହେଉଛି ଭାଷା । ପାରସ୍ପରିକ ବନ୍ଧନକୁ ସୁଦୃଢ କରିବା ସହ ଏହା ଜାତୀୟ ସଂହତିକୁ ପରିପୃଷ୍ଟ କରିଥାଏ । ଏହି ଭାଷାକୁ ଭିତ୍ତିକରି ଜାତୀୟ ସ୍ତରରେ ଓଡିଶା ପ୍ରଥମ ପ୍ରଦେଶ ରୂପେ ମାନ୍ୟତା ପାଇଥିବା ସ୍ଥଳେ ଆନ୍ତର୍ଜାତିକ କ୍ଷେତ୍ରରେ ବଙ୍ଗଳାଦେଶ ପ୍ରଥମ ରାଷ୍ଟ୍ରର ସ୍ୱୀକୃତି ହାସଲ କରିଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ସମସ୍ତ ଭାଷାକୁ ସମ୍ମାନ ଓ ସୁରକ୍ଷା ସହ ନିଜ ମାତୃଭାଷାର ବହୁଳ ବ୍ୟବହାର ମାଧ୍ୟମରେ ତା’ର ବିକାଶ କରିବା ଆଜିର ଆହ୍ୱାନ ବୋଲି ଆନ୍ତର୍ଜାତୀୟ ଭାଷା ଦିବସ ଅବସରରେ ଉତ୍କଳ ସମ୍ମିଳନୀ କେନ୍ଦ୍ରାପଡା ଜିଲ୍ଲା ଶାଖାର ରୌପ୍ୟ ଜୟନ୍ତୀ ସ୍ମରଣୀକା ଉନ୍ମୋଚନ ସଭାରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସଂଗଠନର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ମରଣୀକାକୁ ଲୋକାର୍ପଣ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ସୁରେନ୍ଦ୍ର ଆଚାର୍ଯ୍ୟ ମୁଖ୍ୟବକ୍ତା ଏବଂ ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଜିଲ୍ଲା ସମ୍ପାଦକ ଡଃ. ବାସୁଦେବ ଦାସ ସ୍ୱାଗତ ଭାଷଣ, ଆଦିକନ୍ଦ ରାଉଳ ଅତିଥି ପରିଚୟ ଓ ରାମକୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ମୋହନ ଜେନା, ଅଧ୍ୟାପକ ଅଜୟ ସାମଲ, ଡଃ. ଭାଗ୍ୟଧର ସାହୁ, ଅବନ୍ତୀ ବେହେରା, ଅମର ପ୍ରସାଦ ରାଉତ, ଅଧ୍ୟାପକ ଶ୍ରୀଧର ସାମଲ, ଡଃ କଳ୍ପନା ମଲ୍ଲିକ, ଆଶିଷ ସେନାପତି, କରୁଣାକର ଦାସ, ଗୋବିନ୍ଦ ନନ୍ଦ ପ୍ରମୁଖ ଭାଷା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କଣ୍ଠଶିଳ୍ପୀ ଗୋଲଖ ସେଠୀ ଉଦଘାଟନୀ ସଂଗୀତ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ