ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁସୂଦନ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍କଳ ସମ୍ମିଳନୀ ବାଲେଶ୍ୱର ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଏନେଇ ଜିଲାସ୍କୁଲ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ସଂଧ୍ୟାରେ ସ୍ଥାନୀୟ ନାରୀସଂଘ ପରିସରରେ ‘ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଜିଲା ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ କବି କାଳୀପଦ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ । ‘ସମାଜ’ ଉତ୍ତର ଓଡ଼ିଶା ବ୍ୟୁରୋ ଇନଚାର୍ଜ କୁଳମଣି ବାରିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନାଦର୍ଶ ଓ ଭାଷା ଭିତ୍ତିକ ପ୍ରଦେଶ ଗଠନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଉତ୍କଳ ସମ୍ମିଳନୀ ବାଲେଶ୍ୱର ଶାଖା ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ, ପୂର୍ବତନ ସମ୍ପାଦକ ନିରଞ୍ଜନ ରାଉତ, ଶିକ୍ଷାବିତ ଡ.ଶିରୀଶ ଚନ୍ଦ୍ର ଜେନା, ସମାଜସେବୀ ଅରୁଣ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ନିର୍ମାଣରେ ମଧୁବାବୁଙ୍କ ଅବଦାନ ଓ ତାଙ୍କ ସ୍ୱପ୍ନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଗୋପାମୁଦ୍ରା ମହାପାତ୍ର, ସାଂଗଠନିକ ସମ୍ପାଦକ ଉତ୍ପଳ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । କୋଷାଧ୍ୟକ୍ଷ ରତ୍ନାକର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ତାନଶ୍ରୀ ପାଣିଗ୍ରାହୀ ମନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିବା ବେଳେ ଓମସାଇକୃଷ୍ଣା ସାହୁ ମଧୁବାବୁଙ୍କ କବିତା ପାଠ କରିଥିଲେ ।


