ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ, ସେମାନଙ୍କର ସୁରକ୍ଷା ଓ ଅବସରକାଳୀନ ଭତ୍ତା ଓ ଅନ୍ୟାନ୍ୟ ଯଥୋଚିତ ଦାବୀ ପ୍ରତି ସରକାରଙ୍କ ଅଣଦେଖାକୁ ସମାଲୋଚନା କରିବା ସହ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବୀକୁ ଉପଯୁକ୍ତ ମଞ୍ଚରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି କହିଥିଲେ ଯେ, ଦେଶର ଅନ୍ୟାନ୍ୟ ବି.ଜେ.ପି. ଶାସିତ ଅଞ୍ଚଳରେ ସାମ୍ବାଦିକମାନେ ଅଧିକ ସୁବିଧା ସୁଯୋଗ ପାଉଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ସାମ୍ବାଦିକମାନେ ଅଧିକ ଅବହେଳିତ । ଏଥିନେଇ ବିଧାନସଭାରେ ଦଳୀୟ ବିଧାୟକମାନେ ପ୍ରଶ୍ନ ଉତ୍ଥାପନ କରିବେ ବୋଲି ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ତାଙ୍କ ଅଭିଭାଷଣରେ ବକ୍ତବ୍ୟ ରଖି ନବୀନ ବାବୁଙ୍କ ନେତୃତ୍ୱାଧୀନ ସରକାର ସାମ୍ବାଦିକମାନଙ୍କ ନ୍ୟାୟୋଚିତ ଦାବୀ ପ୍ରତି ସଚେତନ ଅଛନ୍ତି । ଏଥିମଧ୍ୟରେ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ ହୋଇଥିବା ବେଳେ ଅଧିକ ସୁବିଧା ସୁଯୋଗ ଦେବା କ୍ଷେତ୍ରରେ ସରକାରୀସ୍ତରରେ ବିଚାର ବିମର୍ଷ ଚାଲିଛି । ସଭାପତି ବିଭୂତି ଭୂଷଣ କର ତାଙ୍କ ଅଭିଭାଷଣରେ କହିଥିଲେ କି, ସ୍ୱାସ୍ଥ୍ୟବୀମା ଭଳି ଯୋଜନା ଲାଗୁ କରି ନବୀନ ସରକାରଙ୍କର ସାମ୍ବାଦିକଙ୍କ ପ୍ରତି ଥିବା ସମ୍ବେଦନଶୀଳତା ପ୍ରଦର୍ଶନ କରିଛନ୍ତି । କିନ୍ତୁ ସୁରକ୍ଷା ଆଇନ୍ ଓ ଅବସରକାଳୀନ ଭତ୍ତା ଭଳି ନ୍ୟାର୍ଯ୍ୟ ଦାବୀ ପ୍ରତି ସରକାରଙ୍କ ଅଣଦେଖା ପାଇଁ ସାମ୍ବାଦିକମାନେ ସଂଗଠିତ ହୋଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ । ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ରବିନାରାୟଣ ଖିଲାର, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, କେନ୍ଦୁଝର ଜିଲ୍ଲାର ସଭାପତି ସତ୍ୟନାରାୟଣ ମିଶ୍ର, ମାଲକାନଗିରି ସଭାପତି ଦୁର୍ଯ୍ୟୋଧନ ପାତ୍ର, କଳାହାଣ୍ଡି ସଭାପତି ରଜନୀକାନ୍ତ ମିଶ୍ର, ନୟାଗଡ଼ ସଭାପତି ଶ୍ରୀକାନ୍ତ ଖଟେଇ, ଢେଙ୍କାନାଳ ସଭାପତି ପ୍ରସନ୍ନ ପଟ୍ଟନାୟକ, ଜଗତସିଂହପୁର ସଭାପତି ରାଧାକାନ୍ତ ମିଶ୍ର, ସୋନପୁର ସଭାପତି ଗୋରେଖନାଥ ସାହୁ, ଝାରସୁଗୁଡ଼ା ସଭାପତି ଜଗଦୀଶ ପୁରୋହିତ, ବାଲେଶ୍ୱର ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ପୁରୀ ସଭାପତି ବିଶ୍ୱଜିତ ପଟ୍ଟନାୟକ, ସମ୍ବଲପୁର ସଭାପତି ସୁବାସ ପାଣିଗ୍ରାହୀ, ନବରଙ୍ଗପୁର ସଭାପତି ହୃଷିକେଶ ମିଶ୍ର, ସୁନ୍ଦରଗଡ଼ ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ରାୟଗଡ଼ା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଯାଜପୁର ସଭାପତି ହରିହର ସ୍ୱାଇଁ, ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ଦାସ, ଖୋର୍ଦ୍ଧାଜିଲ୍ଲା ସଭାପତି ପ୍ରଭାତ ମିଶ୍ର, ଗଜପତି ସମ୍ପାଦକ ଦ୍ୟୁଜେନ ପାଢୀ, ବଲାଙ୍ଗୀର ସମ୍ପାଦକ ଆନନ୍ଦ ସାହୁ, ନୂଆପଡ଼ା ସମ୍ପାଦକ ରୁଦ୍ରରାଜ ବାଗ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଜିଲ୍ଲାର ସଭାପତିଙ୍କୁ ରାଜ୍ୟସଂଘ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନୂତନ ବର୍ଷର କ୍ୟାଲେଣ୍ଡର ଓ ଫଟୋ ମାଗାଜିନ୍ ଉନ୍ମୋଚନ କରାଯାଇ ବିତରଣ କରାଯାଇଥିଲା ।