ଉତ୍ତର ଜାଣିଥିଲେ, କହିଥିଲେ ୭ କୋଟି ପାଇଥା’ନ୍ତେ
ମୁମ୍ବାଇ: “କୌନ୍ ବନେଗା କରୋଡପତି’ ସିଜନ୍ ୧୧ର ଦ୍ୱିତୀୟ କୋଟିପତି ହାଇଛନ୍ତି ବବିତା ତାଡ଼େ । ସେ ଏହି ଶୋ’ରେ ୧ କୋଟି ଟଙ୍କା ଜିତିଛନ୍ତି । ମହାରାଷ୍ଟ୍ରର ଅମରାବତୀର ବାସିନ୍ଦା ବବିତା ଏକ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ କରନ୍ତି ଓ ମାସକୁ ୧୫୦୦ ଟଙ୍କା ପାରିଶ୍ରମିକ ପା’ନ୍ତି । ସେଥିପାଇଁ ତାଙ୍କର ଏ ସଫଳତା ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ତାଙ୍କ ପାଖରେ ୭ କୋଟି ଟଙ୍କା ଜିତିବାର ସୁଯୋଗ ଥିଲା । ଏଥିପାଇଁ ତାଙ୍କୁ ଯେଉଁ ପ୍ରଶ୍ନଟି ପଚରା ଯାଇଥିଲା, ତା’ର ଉତ୍ତର ବି ସେ ଜାଣିଥିଲେ । କିନ୍ତୁ ଟିକେ ଦ୍ୱନ୍ଦ୍ୱ ରହିଲା ବୋଲି ସେ ସେଥିରୁ ଓହରି ଯାଇଥିଲେ ।
୭ କୋଟି ଟଙ୍କା ପାଇଁ ଶୋ’ର ହାଷ୍ଟ୍ ଅମିତାଭ ବଚ୍ଚନ ତାଙ୍କୁ ଯେଉଁ ପ୍ରଶ୍ନଟି କରିଥିଲେ, ତାହା ହେଉଛି- କେଉଁ ରାଜ୍ୟର ସବୁଠୁ ଅଧିକ ରାଜ୍ୟପାଳ ପରବର୍ତ୍ତୀ ସମୟରେ ଦେଶର ରାଷ୍ଟ୍ରପତି ହୋଇଥିଲେ?
ଏଥିପାଇଁ ଯେଉଁ ଚାରୋଟି ବିକଳ୍ପ ଦିଆଯାଇଥିଲା, ସେଗୁଡ଼ିକ ହେଉଛି- ରାଜସ୍ଥାନ, ବିହାର, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶ । ଆଉ ଠିକ୍ ଉତ୍ତର ହେଉଛି- ବିହାର । ବବିତା ମଧ୍ୟ ବିହାର ବୋଲି ଜାଣିଥିଲେ, କିନ୍ତୁ ଟିକେ ଦ୍ୱନ୍ଦ୍ୱରେ ରହିବାରୁ ଓହରି ଯିବାକୁ ପସନ୍ଦ କରିଥିଲେ । ବବିତା ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି । ସେ ସ୍କୁଲରେ ୪୫୦ ପିଲା ପଢ଼ନ୍ତି । ସେ ସେମାନଙ୍କ ପାଇଁ ଖେଚୁଡ଼ି ତିଆରି କରନ୍ତି । ପାରିଶ୍ରମିକ ବାବଦକୁ କମ୍ ଟଙ୍କା ମିଳୁଥିବା ସତ୍ତେ୍ୱ ତାଙ୍କ ଖେଚୁଡ଼ିକୁ ପିଲାମାନେ ବେଶ୍ ପସନ୍ଦ କରୁଥିବାରୁ ତାଙ୍କୁ ଆତ୍ମସନ୍ତାଷ ମିଳେ ବୋଲି ସେ ଶୋ’ରେ ଅମିତାଭ ବଚ୍ଚନଙ୍କୁ କହିଥିଲେ । ସେହିପରି ଶୋ’ରେ ସେ ଜିତିଥିବା ପୁରସ୍କାର ରାଶିରେ ସେ ତାଙ୍କ ଗାଁରେ ଏକ ମନ୍ଦିର ନିର୍ମାଣ କରିବା ସହିତ ତାଙ୍କ ସ୍ୱାମୀଙ୍କୁ ଦେଶ ଭ୍ରମଣରେ ନେବେ ବୋଲି କହିଛନ୍ତି ।