ଉତ୍ତର ପ୍ରଦେଶରେ ଉଜ୍ଜ୍ୱଳା ୨.୦ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉଜ୍ଜ୍ୱଳା ଯୋଜନାର ୨ୟ ପର୍ଯ୍ୟାୟ ‘ଉଜ୍ଜ୍ୱଳା ୨.୦’ର ଉଦଘାଟନ କରିଛନ୍ତି । ଉତରପ୍ରଦେଶର ମାହୋବାଠାରେ ଅନୁଷ୍ଠିତ ଏକ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ମୋଦୀ କିଛି ହିତାଧିକାରୀଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତରଫରୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିତାଧିକାରୀମାନଙ୍କୁ ଏଲପିଜି ସଂଯୋଗର କାଗଜପତ୍ର ପ୍ରଦାନ କରିଥିଲେ ।ଏହି ଅବସରରେ ମୋଦୀ କହିଛନ୍ତି, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ । ଏପରି ସ୍ଥିତିରେ ବିଗତ ସାଢ଼େ ସାତ ଦଶନ୍ଧିର ପ୍ରଗତିକୁ ଆମେ ଦେଖିଲେ, ଆମକୁ ନିଶ୍ଚିତ ଭାବେ ଲାଗେ ଯେ କେତେକ ସ୍ଥିତି, କେତେକ ପରିସ୍ଥିତି ଏପରି ରହିଛି, ଯାହାକୁ ଅନେକ ଦଶନ୍ଧି ପୂର୍ବରୁ ବଦଳା ଯାଇପାରିଥାନ୍ତା । ଘର, ବିଦ୍ୟୁତ, ପାଣି, ଶୌଚାଳୟ, ଗ୍ୟାସ, ସଡ଼କ, ଡାକ୍ତରଖାନା ସ୍କୁଲ, ଏପରି ଅନେକ ମୌଳିକ ଆବଶ୍ୟକତା ରହିଛି, ଯାହାକୁ ପୂରଣ କରିବା ଲାଗି ବହୁଦଶନ୍ଧି ପର‌୍ୟ୍ୟନ୍ତ ଦେଶବାସୀଙ୍କୁ ଅପେକ୍ଷା କରିବାକୁ ପଡ଼ିଲା । ଏହାର ସବୁଠୁ ଅଧିକ କ୍ଷତି ଯଦି କେହି ଉଠାଇଥିଲେ ସେମାନେ ହେଉଛନ୍ତି ଆମର ମା’-ଭଉଣୀମାନେ ।ଉଜ୍ଜ୍ୱଳା ଯୋଜନାର ପ୍ରଥମ ପର୍ଯ୍ୟାୟରେ ୮ କୋଟି ଗରିବ, ଦଳିତ, ବଂଚିତ, ପଛୁଆ, ଆଦିବାସୀ ପରିବାରର ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି । ଉଜ୍ଜ୍ୱଳା ଯୋଜନାର ଏକ ପ୍ରଭାବ ମଧ୍ୟ ଏହା ହୋଇଛି ଯେ, ସାରା ଦେଶରେ ଏଲପିଜି ଗ୍ୟାସ ସହ ଜଡ଼ିତ ଭିତିଭୂମିର ଅନେକ ଗୁଣା ବିସ୍ତାର ହୋଇଛି । ବିଗତ ୬-୭ ବର୍ଷରେ ସାରା ଦେଶରେ ୧୧ ହଜାରରୁ ଅଧିକ ନୂଆ ଏଲପିଜି ବିତରଣ କେନ୍ଦ୍ର ଖୋଲାଯାଇଛି । ଉତର ପ୍ରଦେଶରେ ୨୦୧୪ରେ ୨ ହଜାରରୁ ମଧ୍ୟ କମ ବିତରଣ କେନ୍ଦ୍ର ଥିଲା । ଆଜି ୟୁପିରେ ଏମାନଙ୍କ ସଂଖ୍ୟା ୪ ହଜାରରୁ ଅଧିକ ହୋଇସାରିଛି । ଆଜି ଭାରତରେ ଗ୍ୟାସ କଭରେଜ ଶତପ୍ରତିଶତ ହେବାର ଅତି ନିକଟତର ହୋଇପାରିଛି । ୨୦୧୪ ସୁଦ୍ଧା ଦେଶରେ ଯେତିକି ଗ୍ୟାସ ସଂଯୋଗ ଥିଲା, ତା’ଠାରୁ ଅଧିକ ବିଗତ ୭ ବର୍ଷ ମଧ୍ୟରେ ଦିଆଯାଇଛି । ସିଲିଣ୍ଡର ବୁକିଂ ଏବଂ ଡେଲିଭରୀ ଠାରୁ ଆରମ୍ଭ କରି ପୂର୍ବରୁ ଯେଉଁ ସମସ୍ୟା ଥିଲା, ତାହା ମଧ୍ୟ ଦୂର କରିବା ଲାଗି ପ୍ରୟାସ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ